ଓଡ଼ିଶା

ଉତ୍ତରାଖଣ୍ଡରେ ଓଡ଼ିଆ ଯୁବତୀଙ୍କୁ ମାରି ଫିଙ୍ଗିଦେଲା ଘର ମାଲିକର ପୁଅ

ଭୁବନେଶ୍ୱର/ରାୟଗଡ଼ା: ପାଠ ପଢ଼ିସାରିବା ପରେ ପରିବାର ପାଇଁ କିଛି କରିବାର ଆଶା-ସ୍ବପ୍ନ ନେଇ ସୁଦୂର ଉତ୍ତରାଖଣ୍ଡ ଯାଇଥିବା ଯୁବତୀଙ୍କୁ ନିର୍ମମ ହତ୍ୟା କରାଯାଇଛି। ହତ୍ୟାକାଣ୍ଡ ପରେ ଯୁବତୀଙ୍କ ମୃତଦେହକୁ ଫିଙ୍ଗି ଦିଆଯାଇଥିବା ବେଳେ ଏବେ ପୁଲିସ ଏହାର ଖୁଲାସା କରିଛି। ପାହାଡି ରାଜ୍ୟରେ ଏଭଳି ଏକ ହତ୍ୟାକାଣ୍ଡ ଏତେ ଭୟାନକ ଯେ ଆପଣ ଜାଣି ବି ଆଶ୍ଚର୍ଯ୍ୟ ହୋଇଯିବେ।
ରିପୋର୍ଟ ମୁତାବକ ରାୟଗଡ଼ା ଜିଲ୍ଲା ଜେକେପୁରର ସୃଷ୍ଟି ଶର୍ମା ଉତ୍ତରାଖଣ୍ଡର ଲାଲପୁରର ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରାରେ ତାଙ୍କର ଇଣ୍ଟର୍ନସିପ୍ ଟ୍ରେନିଂ କରିବାକୁ ଯାଇଥିଲେ। ୨୩ ବର୍ଷୀୟା ସୃଷ୍ଟି ଗତ ଛଅ ମାସ ଧରି ଲାଲପୁରର ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଟ୍ରାକ୍ଟରରେ ଇଣ୍ଟର୍ନସିପ୍ କରୁଥିଲେ। ସେ ଲାଲପୁରର ଭାରତୀୟମ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ୍ ପଛରେ କାମେଶ୍ୱର ସିଂହଙ୍କ ଘରେ ଏକ କୋଠରୀ ଭଡ଼ା ନେଇ ରହୁଥିଲେ।
ତେବେ ମଙ୍ଗଳବାର ଅପରାହ୍ନରୁ ସୃଷ୍ଟିଙ୍କ ଫୋନ ବନ୍ଦ ଥିବାବେଳେ ରାୟଗଡାରେ ଥିବା ତାଙ୍କ ପରିବାର ଯେତେ ଚେଷ୍ଟା କରିଥିଲେ ବି ସୃଷ୍ଟିଙ୍କ ସହ ଫୋନ୍‌ରେ ଯୋଗାଯୋଗ ହୋଇପାରି ନଥିଲା। ଯେତେବେଳେ ସୃଷ୍ଟିଙ୍କ ପରିବାର ଲୋକ ଘରମାଲିକ କାମେଶ୍ୱର ସିଂହଙ୍କୁ ଯୋଗାଯୋଗ କଲେ, ସେମାନେ ଜାଣିବାକୁ ପାଇଲେ ଯେ ତାଙ୍କ ସ୍ତ୍ରୀ ସରୋଜଙ୍କ ରୁଦ୍ରପୁରର ଏକ ଘରୋଇ ହସ୍ପିଟାଲରେ ଅସ୍ତ୍ରୋପଚାର ଚାଲିଛି। ସେମାନେ ଘର ମାଲିକଙ୍କ ପୁଅ ଅମିତଙ୍କୁ ଯୋଗାଯୋଗ କଲେ। କିନ୍ତୁ ସେ କୌଣସି ଉତ୍ତର ଦେଲେ ନାହିଁ। ଏହାପରେ ସୃଷ୍ଟି ଶର୍ମାଙ୍କ ସମ୍ପର୍କୀୟ ଭାଇ ଅମୃତ କୁମାର ବୁଧବାର ସନ୍ଧ୍ୟାରେ ତାଙ୍କ ବନ୍ଧୁ ସୂରଜ ଏବଂ ମନୀଷଙ୍କ ସହିତ ଲାଲପୁରରେ ପହଞ୍ଚିଥିଲେ। ସେ ଲାଲପୁର ପୋଲିସ ଷ୍ଟେସନରେ ସୃଷ୍ଟିଙ୍କ ନିଖୋଜ ବିଷୟରେ ରିପୋର୍ଟ କରିଥିଲେ।
ପୁଲିସ କାର୍ଯ୍ୟାନୁଷ୍ଠାନକୁ ଅପେକ୍ଷା ନକରି, ସେମାନେ କାମେଶ୍ୱର ସିଂହଙ୍କ ଘର ବିପରୀତରେ ଥିବା ପୂର୍ବତନ ଜିଲ୍ଲା ପଞ୍ଚାୟତ ସଦସ୍ୟ ରଞ୍ଜିତ ସିଂହଙ୍କ ଘରେ ଥିବା ସିସିଟିଭି ଫୁଟେଜ୍ ଯାଞ୍ଚ କରିଥିଲେ ଏବଂ ଘର ମାଲିକଙ୍କ ପୁଅ ଅମିତ କୁମାରଙ୍କୁ ସନ୍ଦେହଜନକ ଅବସ୍ଥାରେ ବୁଲୁଥିବାର ଦେଖିବାକୁ ପାଇଥିଲେ। ଏନେଇ ସେମାନଙ୍କର ସନ୍ଦେହ ନେଇ ପୁଲିସକୁ କହିଥିଲେ। ଏହାପରେ ପୁଲିସ ଘରମାଲିକଙ୍କ ପୁଅକୁ ପଚରାଉଚୁରା କରିବା ପରେ ଏକ ନିର୍ମମ ହତ୍ୟାକାଣ୍ଡ ଉପରୁ ପରଦା ଉଠିଥିଲା। ପୁଲିସ ଅମିତଙ୍କୁ ପଚରାଉଚୁରା ପରେ ସେ ହିଁ ସୃଷ୍ଟିଙ୍କୁ ହତ୍ୟା କରିଥିବା ସ୍ୱୀକାର କରିଥିଲେ।
ସେ ସୃଷ୍ଟିଙ୍କ ମୃତଦେହକୁ ଏକ ଚାଦରରେ ଗୁଡ଼ାଇ ଇଟା ଏବଂ ପଥର ବାନ୍ଧି ଲାଲପୁର ମନ୍ଦିର ପଛପଟେ ଶ୍ରୀପୁର-ମହାରାଜପୁର ରାସ୍ତା ନିକଟରେ ବାଡୋର ନଦୀରେ ଫିଙ୍ଗି ଦେଇଥିବାର କହିଥିଲେ। ଏହି ସୂଚନା ପାଇବା ପରେ ପୁଲିସ ଗୁରୁବାର ଅପରାହ୍ନରେ ନଦୀରୁ ମୃତଦେହ ଉଦ୍ଧାର କରିଛି। ପୁଲିସ ଅମିତ ସିଂହଙ୍କୁ ଗିରଫ କରିଛି ଏବଂ ହତ୍ୟାରେ ସହାୟତା କରିଥିବା ଲୋକଙ୍କ ବିଷୟରେ ତଦନ୍ତ କରୁଛି। ତେବେ ଏହି ହତ୍ୟା ପଛର କାରଣ କଣ ସେନେଇ ଜଣାପଡ଼ିନଥିବାବେଳେ ଏବେ ସୃଷ୍ଟିଙ୍କ ମୃତଦେହ ବ୍ୟବଛେଦ ପାଇଁ ରୁଦ୍ରପୁର ମେଡିକାଲକୁ ପଠାଯାଇଛି।

aduser

About Author

Leave a Reply

Your email address will not be published. Required fields are marked *

LOKA SAMACHAR @2026. All Rights Reserved || Developed By CBSPL