ଓଡ଼ିଶା

ବିଷ ପିଇ ମହିଳା ହୋମ୍‌ଗାର୍ଡଙ୍କ ଆତ୍ମହତ୍ୟା

ଭୁବନେଶ୍ୱରରେ ଜଣେ ମହିଳା ହୋମ୍‌ଗାର୍ଡ ବିଷ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ତାଙ୍କ ନାଁ ସୁଜାତା କର। ତାଙ୍କୁ ୨୯ ବର୍ଷ ହୋଇଥିଲା। ସୁଜାତା ଚନ୍ଦ୍ରଶେଖରପୁରର ମଣ୍ଡପ ବସ୍ତିରେ ଥିବା ସରକାରୀ ଘରେ ରହୁଥିଲେ। ଶାଶୁ, ଦୁଇ ଛୁଆ (ଜଣେ ପୁଅ, ଜଣେ ଝିଅ) ଓ ଭଣଜାଙ୍କ ସହିତ ସେ ସେଠାରେ ରହୁଥିଲେ।
ଚନ୍ଦ୍ରଶେଖରପୁର ଥାନା ଅଧିକାରୀ ଗିରିଶଚନ୍ଦ୍ର ମହାରଣା କହିଛନ୍ତି, ଗତକାଲି ଘଟଣାଟି ଘଟିଥିଲା। ତାଙ୍କ ପରିବାର ଲୋକେ ଥାନାକୁ ଫୋନ୍ କରି କହିଥିଲେ,‘ଝିଅ ବିଷ ପିଇ ଦେଇଛି। ତାକୁ କ୍ୟାପିଟାଲ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି।’ ପରେ ତାଙ୍କୁ ଏକ ଘରୋଇ ହସ୍‌ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଆମେ ସେଠାରେ ପହଞ୍ଚିଲା ବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା।
ଥାନା ଅଧିକାରୀ ଶ୍ରୀ ମହାରଣା କହିଛନ୍ତି, ୬/୭ ମାସ ତଳେ ହୃଦ୍‌ଘାତରେ ତାଙ୍କ ସ୍ୱାମୀଙ୍କର ମୃତ୍ୟୁ ହୋଇଥିଲା। ତାଙ୍କ ଘରେ ଏବେ ତାଙ୍କ ଶାଶୁ ଓ ଦୁଇ ଛୁଆ ଅଛନ୍ତି। ଦୁଇ ଛୁଆ ମଧ୍ୟରୁ ପୁଅଟି ଦିବ୍ୟାଙ୍ଗ। ଝିଅଟି ଛୋଟ। ସେ ବିଷ ପିଇଥିବା ନେଇ କେହି ଜାଣିପାରି ନଥିଲେ। ସୁଜାତା ବାନ୍ତି କଲା ପରେ ତାଙ୍କ ଶାଶୁ ଜାଣିଲେ ଯେ ସେ ବିଷ ପିଇ ଦେଇଛନ୍ତି। ଏହା ପରେ ତାଙ୍କୁ କ୍ୟାପିଟାଲ ହସ୍‌ପିଟାଲ ନିଆଯାଇଥିଲା।
ସୁଜାତାଙ୍କ ମା’ କହିଛନ୍ତି, ତା’ ସ୍ୱାମୀଙ୍କ ମୃତ୍ୟୁ ପରଠାରୁ ସେ ରାତିରେ ଜମାରୁ ଶୋଉନଥିଲା। ସବୁବେଳେ ତାଙ୍କୁ ଝୁରି ହେଉଥିଲା। ସ୍ୱାମୀଙ୍କ କଥା ଭାବି ଭାବି ମୋବାଇଲରେ ତାଙ୍କ ଫଟୋ ଦେଖୁଥିଲା ଓ କାନ୍ଦୁଥିଲା। ସେଥିପାଇଁ ଆମେ ତା’ ମୋବାଇଲରୁ ସବୁ ଫଟୋ ଡିଲିଟ୍ କରି ଦେଇଥିଲୁ। ତଥାପି କିଛି ବଦଳି ନଥିଲା। ସେ ବହୁତ ମାନସିକ ଅବସାଦ ମଧ୍ୟରେ ଥିଲା। ତା’ ସ୍ୱାମୀ ଡ୍ରାଇଭର ଥିଲେ। ସେ ଜଣେ ଡାକ୍ତରଙ୍କ ଗାଡ଼ି ଚଲାଉଥିଲେ।
୬/୭ ମାସ ତଳେ ହଠାତ୍‌ ସ୍ୱାମୀଙ୍କ ମୃତ୍ୟୁ ପରେ ସେ ଛୁଟିରେ ରହିଥିଲେ। ଗତ ୩ ମାସ ତଳେ ସେ ପୁଣି ଚାକିରିରେ ଯୋଗ ଦେଇଥିଲେ।
ହୋମଗାର୍ଡ ସଂଘ ସଭାପତି ଶରତ ଚନ୍ଦ୍ର ମିଶ୍ର କହିଛନ୍ତି, ହୃଦ୍‌ଘାତରେ ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ହୋଇଥିଲା। ତାଙ୍କର ଦୁଇଟି ଛୁଆ ଅଛନ୍ତି। ସେ ଛୁଆ ଦୁଇଟିଙ୍କ କଥା ବୁଝିବାକୁ ସରକାରଙ୍କୁ ଅନୁରୋଧ କରୁଛୁ।

aduser

About Author

LOKA SAMACHAR @2026. All Rights Reserved || Developed By CBSPL