ତେହେରାନ: ହର୍ମୁଜ ପ୍ରଣାଳୀ ଏବଂ ଉପସାଗରୀୟ ଅଞ୍ଚଳରେ ବାଣିଜ୍ୟିକ ଜାହାଜ ଉପରେ ନିକଟରେ ହୋଇଥିବା ଆକ୍ରମଣ ବିଶ୍ୱ ଯୋଗାଣ ସଙ୍କଟକୁ ଆହୁରି ବଢ଼ାଇଛି।ସୋମବାର ଦିନ ଅଶୋଧିତ ତୈଳ ମୂଲ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ବ୍ରେଣ୍ଟ ଅଶୋଧିତ ତୈଳର ମୂଲ୍ୟ ବ୍ୟାରେଲ ପିଛା ୩% ବୃଦ୍ଧି ପାଇ $୧୦୭.୭୪ ଏବଂ ଆମେରିକାର ଅଶୋଧିତ ତୈଳର ମୂଲ୍ୟ ବ୍ୟାରେଲ ପିଛା $୧୦୨.୯୩ ରେ ପହଞ୍ଚିଛି। ସାଉଦି ଆରବର ସରକାରୀ ଗଣମାଧ୍ୟମ ଅନୁଯାୟୀ, ହୁଥି ବିଦ୍ରୋହୀ ମାନେ ଦେଶର ଦକ୍ଷିଣ ଜାଜାନ ପ୍ରଦେଶରେ ଆକ୍ରମଣ କରି ଘର ଏବଂ ଏକ ମସଜିଦକୁ କ୍ଷତି ପହଞ୍ଚାଇଛନ୍ତି। ଏହା ବ୍ୟତୀତ ହୁଥିମାନେ ପଡ଼ୋଶୀ ପ୍ରଦେଶରେ ଥିବା ଏକ ସାଉଦି ସାମରିକ ଘାଟିକୁ ମଧ୍ୟ ଟାର୍ଗେଟ କରିଛନ୍ତି।
ସେହିପରି ବ୍ରିଟିଶ ସାମୁଦ୍ରିକ ସୁରକ୍ଷା ଏଜେନ୍ସି UKMTO ରିପୋର୍ଟ ଅନୁଯାୟୀ, ହରମୁଜ୍ ପ୍ରଣାଳୀରେ ଏକ ଜାହାଜ ଉପରେ ଆକ୍ରମଣ କରାଯାଇଥିଲା। ଯାହା ଫଳରେ ନିଆଁ ଲାଗିଯାଇଥିଲା। ଯେଉଁଥିପାଇଁ କର୍ମଚାରୀମାନଙ୍କୁ ସ୍ଥାନାନ୍ତର କରିବାକୁ ପଡିଛି। ଉଲ୍ଲେଖଯୋଗ୍ୟ, ନିକଟରେ ଇରାନ ସମର୍ଥିତ ୟେମେନର ହୁତି ବିଦ୍ରୋହୀମାନେ ଲୋହିତ ସାଗରର ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ମାର୍ଗ ‘ବାବ୍ ଅଲ-ମଣ୍ଡେବ’ ଏବଂ ମୋଖା ବନ୍ଦର ଉପରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ହାସଲ କରିଛନ୍ତି। ସାଉଦି ଆରବର ଅଶୋଧିତ ତୈଳ ରପ୍ତାନି ପାଇଁ ବ୍ୟବହୃତ ହେଉଥିବା ଏହି ପ୍ରମୁଖ ସାମୁଦ୍ରିକ ମାର୍ଗରେ ହୁତିଙ୍କ କବଜା ବିଶ୍ୱ ତୈଳ ଯୋଗାଣ ପ୍ରତି ବଡ଼ ସଙ୍କଟ ସୃଷ୍ଟି କରିଛି। ସେହିପରି ସମୁଦ୍ର ମାର୍ଗରେ ଅତି ସମ୍ବେଦନଶୀଳ କୁହାଯାଉଥିବା ‘ଷ୍ଟ୍ରେଟ୍ ଅଫ୍ ହର୍ମୁଜ୍’ ଦେଇ ଗତି କରୁଥିବା ଏକ ବାଣିଜ୍ୟିକ ଜାହାଜ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ ହୋଇଥିଲା। ଯାହା ପରେ ବଢ଼ିଛି ଅଶୋଧିତ ତୈଳ ମୂଲ୍ୟ।





