ଓଡ଼ିଶା

ରାଉରକେଲା ବାଏପାସ୍‌ ରାସ୍ତାର ଭାଗ୍ୟ ଫିଟିଲା, ଏନ୍‌ଏଚ୍‌-୩୨୦-ଡି’ ର କପରଣ୍ଡାରୁ ସୁଇଡିହିକୁ ସଂଯୋଗ କରିବ

ରାଉରକେଲା: ଓଡ଼ିଶା ଓ ଝାଡ଼ଖଣ୍ଡର ଖଣିଜ ସମୃଦ୍ଧ ଅଞ୍ଚଳ ମଧ୍ୟରେ ଆର୍ଥିକ ସଂଯୋଗକୁ ବୃଦ୍ଧିକରିବା ଉଦ୍ଦେଶ୍ୟରେ ରାଉରକେଲା-ଜାମସେଦପୁର ମଧ୍ୟରେ ସଡ଼କ ନିର୍ମାଣ ହେବ। ଏହି ଜାତୀୟ ରାଜପଥ ୩୨୦-ଡି ଓଡ଼ିଶା ସୀମାନ୍ତ ଜରେଇକେଲା ଦେଇ ମନୋହରପୁର ଓ ଜାମସେଦପୁରକୁ ସଂଯୋଗ କରିବ। ପୂର୍ବରୁ ଏହି ରାସ୍ତା ରାଉରକେଲା ହକି ଛକ-ବନ୍ଧମୁଣ୍ଡା-ବିଶ୍ରା ଦେଇ ନିର୍ମାଣ ପାଇଁ ପ୍ରସ୍ତାବ ରହିଥିବାବେଳେ ଏହାକୁ ସ୍ଥାନୀୟ ବାସିନ୍ଦା ତୀବ୍ର ପ୍ରତିବାଦ କରିଥିଲେ। ତେବେ ପ୍ରାୟ ୩ ବର୍ଷ ବିଳମ୍ବ ହେଉପଛେ, ଶେଷରେ ପ୍ରକଳ୍ପର ଭାଗ୍ୟ ଫିଟିଛି। ଏହି ବାଏପାସ୍‌ ରାସ୍ତା ନିର୍ମାଣ ପାଇଁ ନୂତନ ବିସ୍ତୃତ ପ୍ରକଳ୍ପ ରିପୋର୍ଟ (ଡିପିଆର୍‌) ପ୍ରସ୍ତୁତ ହୋଇସାରିଛି।
ସମ୍ଭବତଃ ଭବିଷ୍ୟତରେ ସମ୍ଭାବ୍ୟ ବିରୋଧାଭାସକୁ ଏଡ଼ାଇବା ତଥା ପ୍ରକଳ୍ପର ସୁପରିଚାଳନା ପାଇଁ ଖୁବଶୀଘ୍ର ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ଜନପ୍ରତିନିଧିଙ୍କ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହେବ। ଏ ସଂକ୍ରାନ୍ତୀୟ ବୈଠକ ଆୟୋଜନ ପାଇଁ ରାଉରକେଲା ଜାତୀୟ ରାଜପଥ ଡିଭିଜନ ପକ୍ଷରୁ ଜିଲ୍ଲାପାଳଙ୍କୁ ନିବେଦନ କରାଯାଇଛି। ଜାତୀୟ ରାଜପଥ ଡିଭିଜନର ନିର୍ବାହୀ ଯନ୍ତ୍ରୀ ଗତ ୨୫ ତାରିଖରେ ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି, ଗୁରୁତ୍ବପୂର୍ଣ୍ଣ ବାଏପାସ୍‌ ରାସ୍ତା ପ୍ରକଳ୍ପ ପାଇଁ ଜିଲ୍ଲାସ୍ତରୀୟ ବୈଠକ ଆୟୋଜନକରି ଜମି ଅଧିଗ୍ରହଣ ଓ ଆନୁଷଙ୍ଗିକ ବ୍ୟବସ୍ଥା ନେଇ ଆଲୋଚନା କରାଯିବ।
ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ସାଂସଦ, ରଘୁନାଥପାଲି ଓ ବୀରମିତ୍ରପୁର ବିଧାୟକ, ଜିଲ୍ଲା ପରିଷଦ ଅଧ୍ୟକ୍ଷ, ଜିଲ୍ଲା ପରିଷଦ ସଦସ୍ୟ, ଲାଠିକଟା ଓ ବିଶ୍ରା ପଞ୍ଚାୟତ ସମିତି ଅଧ୍ୟକ୍ଷ ସ୍ଥାନୀୟ ସରପଞ୍ଚ, ସମିତି ସଭ୍ୟ ଓ ଅନ୍ୟାନ୍ୟ ବିଭାଗୀୟ ପ୍ରଶାସନିକ ଅଧିକାରୀ ଉପସ୍ଥିତ ରହିବେ। ବୈଠକ ପାଇଁ ଯଥାଶୀଘ୍ର ତାରିଖ ଧାର୍ଯ୍ୟ କରିବାକୁ ନିବେଦନ କରିଛନ୍ତି।
ଉଲ୍ଲେଖଯୋଗ୍ୟ, ବ୍ୟାପକ ସର୍ଭେ ପରେ ଏହି ପ୍ରକଳ୍ପ ପାଇଁ ମୋଟ୍‌ ୪ଟି ଡିପିଆର୍‌ ପ୍ରସ୍ତୁତ ହୋଇଥିଲା। ସେଥିମଧ୍ୟରୁ ଗୋଟିଏ ଡିପିଆର୍‌କୁ ଚୂଡ଼ାନ୍ତ କରାଯାଇଛି। ଏହି ବାଏପାସ୍ ରାସ୍ତା ଲାଠିକଟା ତହସିଲ ଅନ୍ତର୍ଗତ ସୁଇଡିହିରୁ ବାହାରି ବିଶ୍ରା ବ୍ଲକ ଅନ୍ତର୍ଗତ କପରଣ୍ଡା (ଜରୈକେଲା ନିକଟବର୍ତ୍ତୀ ଅଞ୍ଚଳ)କୁ ସଂଯୋଗ କରିବ। ଏଥିପାଇଁ ଲାଠିକଟା ଓ ବିଶ୍ରା ବ୍ଲକ୍‌ ଅନ୍ତର୍ଗତ ୧୩ଟି ଗାଁରେ ଜମି ଅଧିଗ୍ରହଣ ଆବଶ୍ୟକ ହେବ। ଏସବୁ ଗାଁ ଗୁଡ଼ିକ ହେଲା,ବିଶ୍ରା ବ୍ଲକ୍‌ ଭାଲୁଲତା ପଞ୍ଚାୟତର କପରଣ୍ଡା, ଡରେଇକେଲା ପଞ୍ଚାୟତର ଯୋଡ଼ାବନ୍ଧ, ବିଶ୍ରା ପଞ୍ଚାୟତର ପୁରୁଣା ବିଶ୍ରା, ସନ୍ତୋଷପୁର ପଞ୍ଚାୟତର ଗୁଡ଼ଗୁଡ଼ଯୋର, କପାଟମୁଣ୍ଡା ପଞ୍ଚାୟତର ବିରକେରା ଓ କୁଦରବାହାଲ, ମନକୋ ପଞ୍ଚାୟତର ବରସୁନା, ମନକୋ, ଡୁଡୁର୍ତ୍ତା ଏବଂ ଲାଠିକଟା ବ୍ଲକ୍‌ ଅନ୍ତର୍ଗତ ସୁଇଡ଼ିହି ପଞ୍ଚାୟତର ଲୋହାଧର, ମୁଣ୍ଡାଯୋର ପଞ୍ଚାୟତର ନୂଆଟୋଲି, ମୁଣ୍ଡାଯୋର ଓ ଡୋଲାକୁଦର। ନିର୍ଦ୍ଦିଷ୍ଟ କେବେ ଏହି ବୈଠକ ଅନୁଷ୍ଠିତ ହେବା ତାହା ଘୋଷଣା କରାଯାଇନି। ତେବେ ନିର୍ଦ୍ଧାରିତ ସମୟରେ ବୈଠକରେ ପ୍ରସ୍ତାବିତ ପ୍ରକଳ୍ପକୁ ସବୁଜସଙ୍କେତ ମିଳିବାର ସମ୍ଭାବନା ସର୍ବାଧିକ।

aduser

About Author

Leave a Reply

Your email address will not be published. Required fields are marked *

LOKA SAMACHAR @2026. All Rights Reserved || Developed By CBSPL