ଅନ୍ତର୍ଜାତୀୟ

ୟୁନୁସଙ୍କୁ ଆମେରିକାର ଝଟକା, ଆବାମୀ ଲିଗ୍ ଉପରୁ ବ୍ୟାନ ହଟାଇବାକୁ ନିର୍ଦ୍ଦେଶ

ଢାକା ୨୪।୧୨: ବାଂଲାଦେଶରେ ଫେବୃଆରୀରେ ହେବାକୁ ଯାଉଥିବା ସାଧାରଣ ନିର୍ବାଚନ ପୂର୍ବରୁ ଶେଖ ହସିନାଙ୍କ ଦେଶକୁ ଫେରିବା ରାସ୍ତା ଖୋଲୁଥିବାର ଦେଖାଯାଉଛି। ଏଥି ପାଇଁ ମହମଦ ୟୁନୁସଙ୍କ ଏକଛତ୍ରବାଦୀ ଅନ୍ତରୀଣ ସରକାରଙ୍କ ଉପରେ ଅନ୍ତର୍ଜାତୀୟ ଚାପ ବଢିବାରେ ଲାଗିଛି। ଯୁକ୍ତରାଷ୍ଟ୍ର ଆମେରିକାର ପ୍ରଭାବଶାଳୀ ସାଂସଦଙ୍କ ଏକ ସମୂହ ସ୍ପଷ୍ଟ ଶବ୍ଦରେ ଚେତାବନୀ ଦେଇ କହିଛନ୍ତି ଯେ ୟୁନୁସଙ୍କୁ ଶେଖ ହସିନାଙ୍କ ପାର୍ଟି ଆବାମୀ ଲିଗ୍ ଉପରୁ ବ୍ୟାନ ହଟାଇବା ଆବଶ୍ୟକ।

ସାଂସଦମାନେ କହିଛନ୍ତି କୌଣସି ବଡ଼ ରାଜନୈତିକ ପାର୍ଟିକୁ ନିର୍ବାଚନ ପ୍ରକ୍ରିୟାରୁ ବାହାରେ ରଖିବା ନିର୍ବାଚନକୁ ନା ତ ନିରପେକ୍ଷ କୁହାଯାଇ ପାରିବ ନା ସ୍ୱାଧୀନ ହୋଇ ପାରିବ। ଆମେରିକା ପ୍ରତିନିଧି ସଭାର ବିଦେଶ ବ୍ୟାପାର କମିଟିର ବରିଷ୍ଠ ସଦସ୍ୟ ଗ୍ରେଗରୀ ଡବ୍ଲୁ ମିକ୍ସ, ବିଲ ହୁଇ ଜେଙ୍ଗା ଓ ସିଡନୀ କ୍ୟାମଲାଗର-ଡୋଭ ମଙ୍ଗଳବାର ବାଂଲାଦେଶ ମୁଖ୍ୟ ପରାମର୍ଶଦାତା ମହମଦ ୟୁନୁସଙ୍କୁ ଏକ ଔପଚାରିକ ପତ୍ର ଲେଖି ଏହା ଉଲ୍ଲେଖ କରିଛନ୍ତି। ଏହି ପତ୍ରରେ ସେମାନେ କହିଛନ୍ତି ଯେ କୌଣସି ରାଜନୈତିକ ସଙ୍ଗଠନ ଉପରେ କଟକଣା ଲଗାଇବା ଲକ୍ଷଲକ୍ଷ ଭୋଟରଙ୍କୁ ସେମାନଙ୍କ ଅଧିକାରରୁ ବଞ୍ଚିତ କରିପାରେ।

ଯୁକ୍ତରାଷ୍ଟ୍ର ଆମେରିକାର ସାଂସଦମାନେ ଏହି ପତ୍ର ଏପରି ସମୟରେ ଦେଇଛନ୍ତି ଯେତେବେଳେ ବାଂଲାଦେଶ ଅନ୍ତରୀଣ ସରକାର ଜୁଲାଇ ବିଦ୍ରୋହ ପରେ ଆବାମୀ ଲିଗ୍ ଓ ଏହାର ଛାତ୍ର ୟୁନିଟ୍ ବାଂଲାଦେଶ ଛାତ୍ର ଲିଗ୍ ଉପରେ ପ୍ରତିବନ୍ଧକ ଜାରି ରଖିଛନ୍ତି। ସାଂସଦମାନେ ସ୍ପଷ୍ଟ କରିଛନ୍ତି ଯେ ରାଷ୍ଟ୍ରୀୟ ସଂକଟ କାଳରେ ଅନ୍ତରୀଣ ସରକାରର ଭୂମିକାକୁ ବୁଝି ପାରୁଛୁ, ହେଲେ କୌଣସି ପାର୍ଟିକୁ ସାମୂହିକ ରୂପେ ଦୋଷୀ କରିବା ବୁନିୟାଦୀ ମାନବାଧିକାର ଓ ବ୍ୟକ୍ତିଗତ ଅପରାଧିକ ଦାୟିତ୍ୱ ସିଦ୍ଧାନ୍ତର ପରିପନ୍ଥି।

ପତ୍ରରେ ଏହା ବି ଚେତାବନୀ ଦିଆଯାଇଛି ଯେ ରାଜନୈତିକ ଗତିବିଦ୍ଧି ଉପରେ ରୋକ ଓ ଇଣ୍ଟରନ୍ୟାସନାଲ କ୍ରାଇମ ଟ୍ରିବ୍ୟୁନାଲ (ଆଇସିଟି)କୁ ଦ୍ୱିତୀୟବାର ପୁରୁଣା ରୂପରେ ଆରମ୍ଭ କରିବା ନିର୍ବାଚନୀ ପ୍ରକ୍ରିୟାର ବିଶ୍ୱସନୀୟତାକୁ କ୍ଷତିରେ ପକାଇ ପାରେ। ଆମେରିକୀୟ ସାଂସଦମାନେ କହିଛନ୍ତି ଯେ ନିର୍ବାଚନ ଏପରି ହେବା ଦରକାର ଯେପରି ଜନତା ଶାନ୍ତିପୂର୍ଣ୍ଣ ଉପାୟରେ ବାଲଟ ମାଧ୍ୟମରେ ସେମାନଙ୍କ ଇଛା ଜଣାଇ ପାରିବେ ଓ ସରକାରୀ ସଂସ୍ଥାଙ୍କ ନିରପେକ୍ଷତା ଉପରେ ଯେପରି ପୁଣି ଭରସା କରିହେବ।

ଏହି ପତ୍ର ଏପରି ସମୟରେ ଆସିଛି ଯେତେବେଳେ ୟୁନୁସ ଆମେରିକୀୟ ବିଶେଷ ଦୂତ ସର୍ଜିୟୋ ଗୋରଙ୍କ ସହିତ ଫୋନରେ କଥା ହୋଇଥିଲେ। ଏହି କଥାବାର୍ତ୍ତାରେ ସେ ବାଣିଜ୍ୟ, ଟାରିଫ, ନିର୍ବାଚନ, ଗଣତାନ୍ତ୍ରିକ ସଂକ୍ରମଣ ଓ ଛାତ୍ରନେତା ସରିଫ ଉଷ୍ମାନ ହାଦୀର ହତ୍ୟା ଉପରେ ଚର୍ଚ୍ଚା ହୋଇଥିଲା। ୟୁନୁସ କହିଥିଲେ ଯେ ଦେଶ ଫେବୃଆରୀ ୧୨ ନିର୍ବାଚନ ନିମନ୍ତେ ସମ୍ପୂର୍ଣ୍ଣ ପ୍ରସ୍ତୁତ ଓ ଅନ୍ତରୀଣ ସରକାର ସ୍ୱାଧୀନ, ନିରପେକ୍ଷ ଓ ଶାନ୍ତିପୂର୍ଣ୍ଣ ମତଦାନ ସୁନିଶ୍ଚିତ କରିବ।

aduser

About Author

Leave a Reply

Your email address will not be published. Required fields are marked *

LOKA SAMACHAR @2026. All Rights Reserved || Developed By CBSPL