ନୂଆଦିଲ୍ଲୀ : ନୂଆଦିଲ୍ଲୀ ସ୍ଥିତ ଭାରତ ମଣ୍ଡପମରେ ଅନୁଷ୍ଠିତ ୧୮ତମ ବ୍ରିକ୍ସ ସମ୍ମିଳନୀ ସମାପ୍ତ ହୋଇଛି । ଭାରତ ଏହି ସମ୍ମିଳନୀର ଅଧ୍ୟକ୍ଷତା କରିଥିଲା । ଉଦଯାପନୀ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ମିଳନୀରେ ସମସ୍ତ ଦେଶର ସକ୍ରିୟ ଅଂଶଗ୍ରହଣ ଓ ମୂଲ୍ୟବାନ ଅବଦାନ ପାଇଁ ଧନ୍ୟବାଦ ଜଣାଇଛନ୍ତି । ୨୦୨୭ରେ ଚୀନ୍ ୧୯ତମ BRICS ଶିଖର ସମ୍ମିଳନୀର ଅଧ୍ୟକ୍ଷତା କରି ଆୟୋଜନ କରିବ । ଏଥିସହ ଆଗାମୀ ବ୍ରିକ୍ସ ସମ୍ମିଳନୀର ଅଧ୍ୟକ୍ଷତା କରିବାକୁ ଥିବା ଚୀନକୁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ସମ୍ମିଳନୀରେ ନେତାମାନଙ୍କ ଗୁରୁତ୍ୱପୂର୍ଣ୍ଣ ମତାମତ ଓ ପ୍ରସ୍ତାବ ବ୍ରିକ୍ସ ଦେଶଗୁଡ଼ିକ ମଧ୍ୟରେ ସହଯୋଗକୁ ଅଧିକ ବ୍ୟାପକ ଓ ଗଭୀର କରିଛି । ନୂଆଦିଲ୍ଲୀରେ ଚାଲିଥିବା ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀର ଶେଷ ଦିନରେ ଗ୍ଲୋବାଲ୍ ସାଉଥର ସ୍ୱରକୁ ଗୁରୁତ୍ୱ ଦିଆଯାଇଛି । ଏଥିସହ ସହଯୋଗର ନୂଆ ରୋଡମ୍ୟାପ୍ ହୋଇଛି । ସମ୍ମିଳନୀର ଦ୍ୱିତୀୟ ତଥା ଶେଷ ଦିନରେ ବ୍ରିକ୍ସ ପ୍ଲସ, ଆଉଟରିଟ, ଗ୍ଲୋବାଲ ସାଉଥ , ଅର୍ଥନୈତିକ ସହଯୋଗ, ନୂଆ ପ୍ରଯୁକ୍ତି ଓ ବ୍ୟବହାରିକ ସହଯୋଗ ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି । BRICS ସଦସ୍ୟ ଓ ପାର୍ଟନର ଦେଶର ନେତାମାନେ ଶେଷ ଦିନର ବିଭିନ୍ନ ଅଧିବେଶନରେ ଯୋଗ ଦେଇଥିଲେ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ବିକାଶଶୀଳ ଦେଶଗୁଡ଼ିକର BRICS ପ୍ରତି ବିଶ୍ୱାସ ବଢ଼ୁଛି । BRICSର ପଦକ୍ଷେପ କେବଳ ସଦସ୍ୟ ଦେଶ ନୁହେଁ, ସମଗ୍ର Global South ପାଇଁ ଲାଭଦାୟକ ହେବା ଦରକାର ବୋଲି ମୋଦି କହିଛନ୍ତି । ଶେଷ ଦିନରେ ପ୍ରଧାନମନ୍ତ୍ରୀ ମୋଦି କେତେକ ନୂଆ ପଦକ୍ଷେପର ପ୍ରସ୍ତାବ ରଖିଛନ୍ତି । ସେ BRICS AI Open Source Zone, Special Economic Zone ଗୁଡ଼ିକ ମଧ୍ୟରେ ସହଯୋଗ ଏବଂ ବ୍ରିକ୍ସ ସର୍ଭିସ ଟ୍ରେଡ୍ ଫୋରମ ପାଇଁ ପ୍ରସ୍ତାବ ଦେଇଛନ୍ତି ।
ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ BRICSକୁ ଏକ ଅଧିକ ନ୍ୟାୟସଙ୍ଗତ ଓ ବହୁଧ୍ରୁବୀୟ ବିଶ୍ୱ ବ୍ୟବସ୍ଥା ଗଠନର ପ୍ରମୁଖ ଶକ୍ତି ବୋଲି କହିଛନ୍ତି। ସଦସ୍ୟ ଦେଶଗୁଡ଼ିକ ନିଜ ନିଜ ଅର୍ଥନୈତିକ ଶକ୍ତିକୁ ଏକାଠି କରି ସହଯୋଗ ବଢ଼ାଇବାକୁ ସେ ଆହ୍ୱାନ ଦେଇଛନ୍ତି। BRICS ଦେଶଗୁଡ଼ିକ ମଧ୍ୟରେ ବାଣିଜ୍ୟ ବଢ଼ାଇବା ସହ ସ୍ଥାନୀୟ ମୁଦ୍ରାର ଅଧିକ ବ୍ୟବହାର, ସୀମାପାର ପେମେଣ୍ଟ ବ୍ୟବସ୍ଥାକୁ ସହଜ କରିବା ଏବଂ ଯୋଗାଣ ଶୃଙ୍ଖଳକୁ ମଜବୁତ କରିବା ଉପରେ ନେତାମାନେ ଜୋର ଦେଇଛନ୍ତି। ଏହା ସହ ଜାତିସଂଘ ଓ ବିଶ୍ୱ ଆର୍ଥିକ ସଂସ୍ଥାଗୁଡ଼ିକରେ ସଂସ୍କାର କରି ବିକାଶଶୀଳ ଦେଶଗୁଡ଼ିକୁ ଅଧିକ ପ୍ରତିନିଧିତ୍ୱ ଦେବା ପାଇଁ ପୁଣି ଦାବି ଉଠିଛି।




