ଓଡ଼ିଶା

ରାଜ୍ୟର ସବୁ କ୍ଲବ, ପବ୍‌ରେ ଅଗ୍ନି ନିରାପତ୍ତା ଯାଞ୍ଚ ପାଇଁ ନିର୍ଦ୍ଦେଶ

ଭୁବନେଶ୍ବର: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ ପରେ ଓଡ଼ିଶାରେ ସରକାରଙ୍କ ଚେତା ପଶିଛି। ରାଜଧାନୀ ଭୁବନେଶ୍ଵର ସମେତ ରାଜ୍ୟର ସମସ୍ତ କ୍ଲବ, ପବ୍‌ରେ ଅଗ୍ନି ନିରାପତ୍ତା ଯାଞ୍ଚ କରିବାକୁ ସରକାର ନିର୍ଦେଶ ଦେଇଛନ୍ତି।

ରାଜ୍ୟ ଅଗ୍ନିଶମ ଡିଜିଙ୍କ ପକ୍ଷରୁ ଅଗ୍ନିଶମ ବିଭାଗକୁ ଏହି ନିର୍ଦେଶ ଜାରି କରାଯାଇଛି। ରାଜ୍ୟରେ ଚାଲୁଥିବା କ୍ଲବ ଏବଂ ପବଗୁଡ଼ିକରେ ଯୁବପିଢ଼ିଙ୍କ ଭିଡ଼ ଲାଗିରହୁଛି। ମନୋରଞ୍ଜନ ସମୟରେ କୌଣସି ଅଘଟଣ ଘଟିଲେ କିମ୍ବା ଅଗ୍ନିକାଣ୍ଡ ଘଟିଲେ ତାହାର ପ୍ରତିକାର ଲାଗି ଅଗ୍ନି ନିରାପତ୍ତା ବ୍ୟବସ୍ଥା ରହିଛି କି ନାହିଁ ତାହାକୁ ଯାଞ୍ଚ କରିବାକୁ ଡିଜିଙ୍କ ପକ୍ଷରୁ ନିର୍ଦେଶ ଦିଆଯାଇଛି। ଏହା ସହିତ ରାଜ୍ୟରେ ଥିବା ବିଭିନ୍ନ ରେଷ୍ଟୁରାଣ୍ଟ ଯେଉଁଠି ୧୦୦ରୁ ଅଧିକ ଲୋକ ଏକାଠି ବସି ଭୋଜନ କରିପାରିବାର କ୍ଷମତା ରହିଛି ସେସବୁ ସ୍ଥାନରେ ବି ଅଗ୍ନି ନିରାପତ୍ତା ଯାଞ୍ଚ ପାଇଁ ନିର୍ଦେଶ ଦିଆଯାଇଛି।

ସୂଚନାଯୋଗ୍ୟ, ଦୁଇଦିନ ତଳେ ଗୋଆର ଏକ ନାଇଟ୍‌ କ୍ଲବରେ ଡ୍ୟାନ୍ସ ଚାଲୁଥିବା ସମୟରେ ଅଗ୍ନିକାଣ୍ଡ ଘଟିଥିଲା। ପରେ ନିଆଁ ଚାରିଆଡ଼େ ବ୍ୟାପିଯିବା ସହିତ ଗ୍ୟାସ ସିଲିଣ୍ଡର ସହ ସଂଯୋଗ ହୋଇଯିବାରୁ ପ୍ରଚଣ୍ଡ ବିସ୍ଫୋରଣ ଘଟିଥିଲା। ଏଥିରେ ୨୫ ଜଣ ପ୍ରାଣ ହରାଇଥିବା ବେଳେ ଅନେକ ଆହତ ହୋଇଥିଲେ।

aduser

About Author

LOKA SAMACHAR @2026. All Rights Reserved || Developed By CBSPL