ଗୁଡ଼ାରୀ: ରାୟଗଡ଼ା ଜିଲ୍ଲାରେ ଦୁର୍ଦ୍ଦଶାର ଚିତ୍ର । ନାହିଁ ରାସ୍ତା । ଗର୍ଭବତୀ ମହିଳାଙ୍କୁ ଖଟିଆରେ ବୋହି ୩.୫ କିଲୋମିଟର ଦୂର ଆମ୍ବୁଲାନ୍ସ ନିକଟକୁ ନେବାକୁ ପଡ଼ିଛି। ଏଭଳି ମୌଳିକ ରାସ୍ତା ସୁବିଧାରୁ ବଞ୍ଚିତ ହୋଇ ଅବହେଳିତ ଅବସ୍ଥାରେ ରହିଛନ୍ତି ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ବ୍ଲକ ଶିରିଗୁଡ଼ା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାଡକଣା ଗ୍ରାମବାସୀ। ସେହି ଗ୍ରାମର ସୁମି କାଡ୍ରାକ (୨୫) ନଅ ମାସର ଗର୍ଭବତୀ ଥିଲେ । ପ୍ରଥମ ସନ୍ତାନ ପାଇଁ ତାଙ୍କୁ ଚିକିତ୍ସାଳୟ ନେବାର ଆବଶ୍ୟକତା ପଡ଼ିଲା । ହେଲେ ଗାଁକୁ ଆମ୍ବୁଲାନ୍ସ ପହଞ୍ଚିବାର ସୁବିଧା ନଥିଲା ।
ଶେଷରେ ପରିବାର ଲୋକ ଓ ଗ୍ରାମବାସୀ ତାଙ୍କୁ ଖଟିଆରେ ବୋହି ସାଡକଣାରୁ ବଡ଼ପଙ୍କାଳ ପର୍ଯ୍ୟନ୍ତ ପ୍ରାୟ ୩.୫ କିଲୋମିଟର ନେଇଥିଲେ। ସେଠାରୁ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଚିକିତ୍ସା ପାଇଁ ନିଆଯାଇଥିବା ଜଣାପଡ଼ିଛି। ସୂଚନାଥାଉକି, ସାଡକଣା ଗ୍ରାମକୁ ଯିବା ପାଇଁ ଦୁଇଟି ରାସ୍ତା ରହିଛି। ଗୋଟିଏ ପଟେ ନାଳ ଥିବାବେଳେ ଅନ୍ୟପଟେ କାଦୁଅ ଭରା ରାସ୍ତା। ବର୍ଷା ଦିନେ ଏହି ରାସ୍ତା ଦେଇ ଯାତାୟତ ପ୍ରାୟ ଅସମ୍ଭବ ହୋଇପଡ଼ୁଛି। ଫଳରେ ଜରୁରୀ ପରିସ୍ଥିତିରେ ଆମ୍ବୁଲାନ୍ସ ଗ୍ରାମକୁ ପହଞ୍ଚିପାରୁନାହିଁ। ବିଶେଷକରି ଗର୍ଭବତୀ, ରୋଗୀ ଓ ବୟସ୍କଙ୍କ ପାଇଁ ଏହି ରାସ୍ତା ଅଭାବ ଜୀବନ ପ୍ରତି ବିପଦ ସୃଷ୍ଟି କରୁଛି।







