ଜାତୀୟ

ଅହମ୍ମଦାବାଦରେ ରାଜ୍ୟଗୋଷ୍ଠୀ କ୍ରୀଡ଼ା

ନୂଆଦିଲ୍ଲୀ : ଦୁଇ ଦଶନ୍ଧି ପରେ ଭାରତକୁ ଫେରିଛି ରାଜ୍ୟଗୋଷ୍ଠୀ କ୍ରୀଡ଼ା। ୨୦୩୦ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ଅହମ୍ମଦାବାଦକୁ ଆୟୋଜକ ସହର ଭାବେ ବୁଧବାର ଆନୁଷ୍ଠାନିକ ଘୋଷଣା କରାଯାଇଛି। ୨୦୧୦ ଦିଲ୍ଲୀରେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପରେ ଭାରତ ଦ୍ବିତୀୟ ଥର ଏହି କ୍ରୀଡ଼ା ଆୟୋଜନ କରିବାକୁ ଯାଉଛି। ଗ୍ଲାସ୍‌ଗୋରେ ବୁଧବାର ଅନୁଷ୍ଠିତ ରାଜ୍ୟଗୋଷ୍ଠୀ କ୍ରୀଡ଼ା ମହାସଭାରେ ୭୪ଟି ସଦସ୍ୟ ରାଷ୍ଟ୍ର ଓ ଅଞ୍ଚଳର ପ୍ରତିନିଧି ଭାରତର ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ୨୦ ବର୍ଷ ପରେ ଏହି କ୍ରୀଡ଼ା ଭାରତରେ ହେବାର ଥିବାରୁ
ଭାରତୀୟ କ୍ରୀଡ଼ାପ୍ରେମୀ ଉଲ୍ଲସିତ ହୋଇଛନ୍ତି। ୨୦୩୦ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆୟୋଜନ ପାଇଁ ରାଜ୍ୟଗୋଷ୍ଠୀ କ୍ରୀଡ଼ାର କାର୍ଯ୍ୟକାରୀ ପରିଷଦ ଅକ୍ଟୋବର ୧୫ରେ ଅହମ୍ମଦାବାଦ ସହର ନାମ ସୁପାରିସ କରିଥିଲା। ଫଳରେ ବୁଧବାର ଗ୍ଲାସ୍‌ଗୋରେ ବସିଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାର ସାଧାରଣ ପରିଷଦର ପୂର୍ଣ୍ଣକାଳୀନ ବୈଠକରେ ଏହା ଉପରେ ମୋହର ବାଜିଛି। ଏହି କ୍ରୀଡ଼ାର ଆୟୋଜନ ଅଧିକାର ଲାଗି ଦୌଡ଼ରେ ଭାରତ ସହ ନାଇଜେରିଆ ରହିଥିଲା। ତେବେ ଅହମ୍ମଦାବାଦ୍‌କୁ ୨୦୩୦ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆୟୋଜନର ଅଧିକାର ମିଳିଛି। ଆଫ୍ରିକୀୟ ଦେଶ ନାଇଜେରିଆ ୨୦୩୪ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆୟୋଜନ କରିବ।
ରାଜ୍ୟଗୋଷ୍ଠୀ କ୍ରୀଡ଼ାର ମୂଲ୍ୟାୟନ କମିଟି ସମସ୍ତ ଦିଗକୁ ବିଚାରକରି ଏହି ନିଷ୍ପତ୍ତି ନେଇଛି। ମୂଲ୍ୟାୟନ କମିଟି ପକ୍ଷରୁ ଦାଖଲ କରା ଯାଇଥିବା ତଥ୍ୟକୁ ବିଚାରକରି ଅହମ୍ମଦାବାଦ ନାମକୁ ସୁପାରିସ କରା ଯାଇଥିଲା। ୧୯୩୦ରେ ପ୍ରଥମଥର ରାଜ୍ୟଗୋଷ୍ଠୀ କ୍ରୀଡ଼ା କାନାଡାର ହାମିଲ୍‌ଟନରେ ଆୟୋଜନ ହୋଇଥିବା ବେଳେ ଏହାର ଠିକ୍‌ ୧୦୦ ବର୍ଷ ପରେ ଏହି କ୍ରୀଡ଼ା ଆୟୋଜନର ସମ୍ମାନ ଭାରତ ପାଇଛି। ଅହମ୍ମଦାବାଦରେ ୧୫ଟିରୁ ୧୭ଟି କ୍ରୀଡ଼ାରେ ପଦକ ପାଇଁ ମୁକାବିଲା ହେବ। ବିଚାରାଧୀନ କ୍ରୀଡ଼ା ମଧ୍ୟରେ ତୀରନ୍ଦାଜୀ,
ବ୍ୟାଡମିଣ୍ଟନ, ଟ୍ବେଣ୍ଟି୨୦ କ୍ରିକେଟ, ହକି, ଜୁଡୋ, ସୁଟିଂ ଓ କୁସ୍ତି ରହିଛି। ଆୟୋଜକ ଦେଶ ଦୁଇଟି ନୂଆ କିମ୍ବା ପାରମ୍ପରିକ କ୍ରୀଡ଼ା ଅନ୍ତର୍ଭୁକ୍ତ କରିପାରିବ। ସମସ୍ତ କ୍ରୀଡ଼ା ତାଲିକା ଆସନ୍ତାବର୍ଷ ଘୋଷଣା କରାଯିବ। ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆସୋସିଏସନ୍ ଅଫ୍ ଇଣ୍ଡିଆର ସଭାପତି ପି.ଟି. ଉଷା କହିଛନ୍ତି, ୨୦୩୦ ରାଜ୍ୟଗୋଷ୍ଠୀ କ୍ରୀଡ଼ା କେବଳ ରାଜ୍ୟଗୋଷ୍ଠୀ ଆନ୍ଦୋଳନର ଶହେ ବର୍ଷ ପାଳନ କରିବ ନାହିଁ, ବରଂ ପରବର୍ତ୍ତୀ ଶତାବ୍ଦୀ ପାଇଁ ମୂଳଦୁଆ ପକାଇବ।
ଏହି କ୍ରୀଡ଼ା ଭାରତର ବିଶ୍ବସ୍ତରୀୟ କ୍ରୀଡ଼ା ଭିତ୍ତିଭୂମି ଓ ଏହାର ଦକ୍ଷତା ସହିତ ବିକଶିତ ଭାରତ-୨୦୪୭ ଅଭିମୁଖେ ଭାରତର ଯାତ୍ରାକୁ ପ୍ରଦର୍ଶିତ କରିବ। ୨୦୩୦ ରାଜ୍ୟଗୋଷ୍ଠୀ କ୍ରୀଡ଼ାକୁ ଶ୍ରେଷ୍ଠ ଆୟୋଜନ ନେଇ ଆମେ ପ୍ରସ୍ତୁତ। ୨୦୩୦ ରାଜ୍ୟାଗାଷ୍ଠୀ କ୍ରୀଡ଼ା ଭାରତ ପାଇଁ ୨୦୩୬ ଅଲିମ୍ପିକ୍‌ସ ଆୟୋଜନ ନେଇ ବାଟ ଫିଟାଇବ।

aduser

About Author

Leave a Reply

Your email address will not be published. Required fields are marked *

LOKA SAMACHAR @2026. All Rights Reserved || Developed By CBSPL