ଓଡ଼ିଶା

୨୦୩୬ ସୁଦ୍ଧା ୫୦୦ ବିଲିୟନ ଡଲାର ଛୁଇଁବ ଓଡ଼ିଶା ଅର୍ଥନୀତି: ମୁଖ୍ୟମନ୍ତ୍ରୀ

‘ସମୃଦ୍ଧ ଓଡ଼ିଶା ୨୦୩୬ କନ୍‌କ୍ଲେଭ୍‌’ ଉଦ୍‌ଘାଟିତ : ଭୁବନେଶ୍ୱର ହେବ ଇଷ୍ଟର୍ଣ୍ଣ ରିଜିଅନ୍‌ର ମେଗା ଟେକ୍‌-ସିଟି,  ରାଜ୍ୟରେ ପ୍ରକୃତ ଶିଳ୍ପ ବିପ୍ଲବ ଆରମ୍ଭ ହୋଇଛି

ଭୁବନେଶ୍ୱର, ୨୫।୧୧ : ଓଡ଼ିଶାରେ ଏବେ ପ୍ରକୃତ ଶିଳ୍ପ ବିପ୍ଲବର ସୂତ୍ରପାତ ହୋଇଛି, ଯାହା ରାଜ୍ୟର ଦଶା ଓ ଦିଶା ବଦଳାଇ ଦେବ। ଆଗାମୀ ୧୦ ବର୍ଷ ମଧ୍ୟରେ ରାଜ୍ୟର ଅର୍ଥନୀତି ୫୦୦ ବିଲିୟନ ଡଲାର ଛୁଇଁବାର ଲକ୍ଷ୍ୟ ରଖାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରକାଶ କରିଛନ୍ତି।
ମଙ୍ଗଳବାର ଉତ୍କଳ ଚାମ୍ୱର୍‌ସ ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି (UCCIL) ପକ୍ଷରୁ ଆୟୋଜିତ ‘ସମୃଦ୍ଧ ଓଡ଼ିଶା ୨୦୩୬ କନ୍‌କ୍ଲେଭ୍‌’କୁ ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ ରାଜ୍ୟର ବିକାଶ ରୋଡମ୍ୟାପ୍ ଉପସ୍ଥାପନ କରିଥିଲେ। ସେ କହିଥିଲେ ଯେ, ବର୍ତ୍ତମାନ ରାଜ୍ୟର ଅର୍ଥନୀତି ପ୍ରାୟ ୧୨୦ ବିଲିୟନ ଡଲାର ରହିଛି। ୨୦୩୬ ମସିହା ସୁଦ୍ଧା ଏହାକୁ ୫୦୦ ବିଲିୟନ ଡଲାରରେ ପହଞ୍ଚାଇବାକୁ ହେଲେ ଆସନ୍ତା ଦଶନ୍ଧି ମଧ୍ୟରେ ୫ ଗୁଣ ଅଭିବୃଦ୍ଧି ହାସଲ କରିବାକୁ ପଡ଼ିବ। ଏଥିପାଇଁ ସରକାର ଭିତ୍ତିଭୂମି, ଶିଳ୍ପାୟନ ଏବଂ ଦକ୍ଷତା ବିକାଶ (Skill Development) ଉପରେ ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି।
ପୁଞ୍ଜିନିବେଶ ଓ ନିଯୁକ୍ତି ସୁଯୋଗ
ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ ଯେ, ବର୍ତ୍ତମାନ ସୁଦ୍ଧା ୨ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶରେ ୮୪ଟି ଶିଳ୍ପର ଶିଳାନ୍ୟାସ କରାଯାଇଛି, ଯାହାଦ୍ୱାରା ୧ ଲକ୍ଷ ୬୪ ହଜାର ନିଯୁକ୍ତି ସୁନିଶ୍ଚିତ ହୋଇପାରିଛି। ବେଦାନ୍ତ, ଆଦାନୀ, ଜେଏସ୍‌ଡବ୍ଲ୍ୟୁ, ଇଣ୍ଡିଆନ ଅଏଲ୍ ଏବଂ ଜୋହୋ ଗ୍ରୁପ୍ ଭଳି ବହୁରାଷ୍ଟ୍ରୀୟ କମ୍ପାନୀ ଲକ୍ଷ ଲକ୍ଷ କୋଟି ଟଙ୍କାର ନିବେଶ ପାଇଁ ଆଗେଇ ଆସିଛନ୍ତି। କେବଳ ଭାରୀ ଶିଳ୍ପ ନୁହେଁ, ଟେକ୍ସଟାଇଲ୍ ଏବଂ ଗ୍ରୀନ୍ ଏନର୍ଜି କ୍ଷେତ୍ରରେ ମଧ୍ୟ ବ୍ୟାପକ ନିବେଶ ଆସୁଛି।
ଟେକ୍ନୋଲୋଜି ହବ୍ ହେବ ଭୁବନେଶ୍ୱର
ଭୁବନେଶ୍ୱରକୁ ଦେଶର ଇଷ୍ଟର୍ଣ୍ଣ ରିଜିଅନ୍‌ ବା ପୂର୍ବାଞ୍ଚଳର ‘ମେଗା ଟେକ୍‌-ସିଟି’ ଭାବେ ଗଢ଼ି ତୋଳିବାକୁ ଯୋଜନା ରହିଛି। ଏଠାରେ ସେମିକଣ୍ଡକ୍ଟର ଶିଳ୍ପ ସମେତ ଫିନ୍‌ଟେକ୍ ଓ ଇନ୍‌ସିଓର୍‌ଟେକ୍ କମ୍ପାନୀ ପ୍ରତିଷ୍ଠା କରାଯାଉଛି। କ୍ୟାପିଟାଲ ରିଜିଅନ୍ ରିଙ୍ଗ୍ ରୋଡ୍ ପ୍ରକଳ୍ପ ଦ୍ୱାରା କଟକ-ଭୁବନେଶ୍ୱର ଟୁଇନ୍ ସିଟିର ସମ୍ପ୍ରସାରଣ ତ୍ୱରାନ୍ୱିତ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଏହି ଅବସରରେ ଶିଳ୍ପ ଓ ଦକ୍ଷତା ବିକାଶ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଯୋଗଦେଇ କହିଥିଲେ ଯେ, ମୁଖ୍ୟମନ୍ତ୍ରୀଙ୍କ ପ୍ରଚେଷ୍ଟାରେ ରାଜ୍ୟରେ ଏକ ସକାରାତ୍ମକ ଶିଳ୍ପ ବାତାବରଣ ସୃଷ୍ଟି ହୋଇଛି ଏବଂ ଯୁବଶକ୍ତି ପାଇଁ ନିଯୁକ୍ତିର ବାଟ ଫିଟିଛି। କାର୍ଯ୍ୟକ୍ରମରେ ‘ସମୃଦ୍ଧ ଓଡିଶା ୨୦୩୬’ ସ୍ମରଣିକା ଉନ୍ମୋଚିତ ହୋଇଥିଲା।
ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା, ୟୁସିସିଆଇଏଲ୍‌ ସଭାପତି ଡ. ପ୍ରବୋଧ ମହାନ୍ତି, ଆୟୋଜନ କମିଟି ଅଧ୍ୟକ୍ଷ ଡ. ବ୍ରହ୍ମା ମିଶ୍ର, ଡିଆରଡିଓ ଡିଜି ଡଃ. ବି.କେ ଦାସ ଏବଂ ବିଶିଷ୍ଟ ଶିଳ୍ପପତିମାନେ ଉପସ୍ଥିତ ଥିଲେ।

aduser

About Author

Leave a Reply

Your email address will not be published. Required fields are marked *

LOKA SAMACHAR @2026. All Rights Reserved || Developed By CBSPL