ଓଡ଼ିଶା

ବ୍ୟୁରୋକ୍ରାଟିକ୍ ଦଳ ହୋଇଗଲାଣି ବିଜେଡି: ଦେବାଶିଷ ସାମନ୍ତରାୟ

ଭୁବନେଶ୍ବର: ବ୍ୟୁରୋକ୍ରାଟିକ୍ ଦଳ ହୋଇଗଲାଣି ବିଜେଡି। ଯେଉଁ ବିଜୁ ବାବୁଙ୍କ ଆଦର୍ଶରେ ଦଳ ଗଢ଼ାଯାଇଥିଲା, ଆଉ ସେହି ଆଦର୍ଶ ନାହିଁ। ଦଳରେ କେହି ବିଜୁ ଲୟାଲିଷ୍ଟ ନାହାନ୍ତି କି ନବୀନଙ୍କ ଲୟାଲିଷ୍ଟ ନାହାନ୍ତି। କିଛି ହାରୁ ନେତା ଏବେ ଦଳକୁ ଚଳାଉଛନ୍ତି। ସେମାନେ ଭାବୁଛନ୍ତି, ପୁଣି ବିଜେଡି ଶାସନ କ୍ଷମତାକୁ ଆସିବ। ଯେଉଁମାନେ ବିଜୁ ବାବୁଙ୍କ ଅନୁଗାମୀ ଥିଲେ ସୋନେ ଆଜି ବିଜେଡିରେ ନାହାନ୍ତି। ବିଜେଡିକୁ ଏବେ ବ୍ୟୁରୋକ୍ରାଟମାନେ ଚଳାଉଥିବା କଥା ସମସ୍ତଙ୍କୁ ଜଣା। ଆଜି ଦଳୀୟ ପଦ ଛାଡ଼ିବା ପରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ବିଜେଡିର ବରିଷ୍ଠ ନେତା ଏବଂ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ। ସେ ବିଜେଡିର ସିନିଅର ସିଟିଜେନ୍ ସେଲ୍ ଉପସଭାପତି ପଦରୁ ଇସ୍ତଫା ଦେଇଛନ୍ତି।
ଦେବାଶିଷ ସାମନ୍ତରାୟ ଆହୁରି କହିଛନ୍ତି, ଯେପର୍ଯ୍ୟନ୍ତ ନବୀନ ବାବୁ ଦଳକୁ ପରିଚାଳନା କରୁଥିବେ ସେଯାଏ ମୋର ବିଜେଡି ଛାଡ଼ିବାର ନାହିଁ। ବିଜେଡିରେ ଗୁରୁତ୍ବ ଦେଉନଥିବାରୁ ପଦ ଛାଡ଼ିଲି। ମୁଁ ସିନିଅର ସିଟିଜେନ୍ ସେଲ୍ ଉପସଭାପତି ପଦ ଗ୍ରହଣ କରିବାକୁ ପ୍ରସ୍ତୁତ ନଥିଲି। କିନ୍ତୁ ନବୀନ ବାବୁ ଅସୁସ୍ଥ ଥିବା କାରଣରୁ ମୁଁ ଚୁପ୍ ରହିଥିଲି। ହେଲେ ଏବେ ବାଧ୍ୟ ହୋଇ ପଦଛାଡ଼ିଛି। ଆଗେ ମୁଁ ନବୀନ ବାବୁଙ୍କ ସହ ସିଧାସଳଖ କଥା ହେଉଥିଲି। ହେଲେ ମୋତେ ସେଥିରେ ବ୍ଲକ୍ କରାଗଲା। ଏକଥା କିଏ କରିଛନ୍ତି, ତାହା ସମସ୍ତଙ୍କୁ ଜଣା। ନୂଆପଡ଼ାରେ ଜଣେ ଜିଲ୍ଲାର ବାହାରର ନେତ୍ରୀଙ୍କୁ ପ୍ରାର୍ଥୀ କରିବାକୁ କିଏ ନିଷ୍ପତ୍ତି ନେଲା ବୋଲି ସେ ପ୍ରଶ୍ନ ଉଠାଇବା ସହ କହିଛନ୍ତି ନବୀନ ବାବୁ କଦାପି ଏଭଳି କାମ କରିନଥିବେ।
ପୁଣି ବିଜେଡିରେ ହଲଚଲ୍। ଦଳୀୟ ପଦ ଛାଡ଼ିଲେ ବିଜେଡିର ବରିଷ୍ଠ ନେତା ଏବଂ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ। ସେ ବିଜେଡିର ସିନିଅର ସିଟିଜେନ୍ ସେଲ୍ ଉପସଭାପତି ପଦରୁ ଇସ୍ତଫା ଦେଇଛନ୍ତି। ସେ ନିଜର ଇସ୍ତଫାପତ୍ର ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇଛନ୍ତି। ଏହାପରେ ଚର୍ଚ୍ଚା ଆରମ୍ଭ ହେଲାଣି ଯେ ଦେବାଶିଷ ସାମନ୍ତରାୟ ଖୁବ୍ ଶୀଘ୍ର ବିଜେଡି ଛାଡ଼ିବେ ଏବଂ ବିଜେପିରେ ଯୋଗ ଦେବେ। ଖାଲି ସେତିକି ନୁହେଁ, ଆଗରୁ ବିଜେଡିର ଦୁଇ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇ ବିଜେପି ଟିକେଟରେ ପୁଣି ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ଠିକ୍ ସେହି ପନ୍ଥା ଅବଲମ୍ବନ କରିପାରନ୍ତି ଦେବାଶିଷ ସାମନ୍ତରାୟ।
ସୂଚନାଯୋଗ୍ୟ, କିଛି ଦିନ ତଳେ ଯେତେବେଳେ ଶ୍ରୀମୟୀ ମିଶ୍ରଙ୍କୁ ଦଳରୁ ବିଦା କରିଥିଲ‌ା ବିଜେଡି ସେତେବେଳେ ଏହାକୁ କଡ଼ା ଭାଷାରେ ନିନ୍ଦା କରିଥିଲେ ଦେବାଶିଷ ସାମନ୍ତରାୟ। ସେ କେବଳ ଶ୍ରୀମୟୀ ମିଶ୍ରଙ୍କୁ ସମର୍ଥନ କରିଥିଲେ, ତାହା ନୁହେଁ, ବରଂ ପ୍ରଫୁଲ୍ଲ କୁମାର ମଲ୍ଲିକଙ୍କୁ ନିଲମ୍ବିତ କରାଯିବା ଠିକ୍ ହୋଇନାହିଁ ବୋଲି କହିଥିଲେ। ନବୀନ ପଟ୍ଟନାୟକ ବି ହାରିଛନ୍ତି ବୋଲି କହିଥିଲେ। ଏପରିକି ଯେଉଁ ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଦସ୍ତଖତରେ ନିଲମ୍ବନ ଆଦେଶ ହୋଇଥିଲା, ତାଙ୍କୁ ବି ଛାଡ଼ି ନଥିଲେ ଦେବାଶିଷ ସାମନ୍ତରାୟ।

aduser

About Author

LOKA SAMACHAR @2026. All Rights Reserved || Developed By CBSPL