ଓଡ଼ିଶା

ଜଙ୍ଗଲରେ ଶିଶୁ କନ୍ୟାକୁ ଛାଡ଼ିଲା ମା’

ଝାରସୁଗୁଡ଼ା : ମା’ ମୁଁ ଝିଅ ବୋଲି କଣ ମୋତେ ବାପା ମା’ର ସ୍ନେହ ମିଳିବନି ? କଣ ମୋର ଏ ଦୁନିଆକୁ ଆସିବା ଭୁଲ ହୋଇଗଲା ? ମୁଁ କାହିଁକି ତମ ପାଇଁ ଅଲୋଡ଼ା ହୋଇଗଲି ? ମୋତେ ୧୦ ମାସ ଗର୍ଭରେ ରଖି ଏତେ କଷ୍ଟ ପାଇବା ପରେ ମୁହଁ ଫେରାଇ ନେଲ କେମିତି ? ମୋର ଭୁଲ ବା କଣ ? ହୁଏତ ଏ ଶିଶୁଟି ପାଟି ଖୋଲି କଥା କହିପାରୁଥିଲେ ଏମିତି କିଛି ପ୍ରଶ୍ନ ପଚାରି ଥାଆନ୍ତା ମା’ ବାପାଙ୍କୁ ? ଆଜିର ସମାଜରେ ଝିଅମାନେ ଇତିହାସ ରଚୁଥିବା ବେଳେ ଏବେବି ବଦଳିନି କିଛି ଲୋକଙ୍କ ମାନସିକତା । ଝିଅ ବୋଲି ଜଙ୍ଗଲରେ ପିଙ୍ଗି ଦେଇ ଚାଲିଗଲେ ।

ଝାରସୁଗୁଡ଼ା ଜିଲ୍ଲା ଲଇକେରା ଠାରେ ଘଟିଛି ହୃଦୟ ବିଦାରକ ଦୃଶ୍ୟ । ଜନ୍ମ କରିବା ପରେ ନବ ଜାତ ଶିଶୁ କନ୍ୟାକୁ ନୂଆ ପୋଷାକ ପିନ୍ଧାଇ ଜଙ୍ଗଲରେ ଛାଡ଼ିଦେଲା ମା’। ଗତକାଲି ସନ୍ଧ୍ୟାରେ ଝାରସୁଗୁଡ଼ା-ବାଗଡିହି ରାସ୍ତାର କାଦୋବାହାଲ ଜଙ୍ଗଲ ନିକଟରେ ଝାରମୁଣ୍ଡା ପିଇଓ କଳ୍କିନୀ କୁମ୍ଭାର ବାଗଡିହି ଅଭିମୁଖେ ଆସିବା ବେଳେ ପରିସ୍ରା କରିବାକୁ ଜଙ୍ଗଲ ଭିତରକୁ ଯାଇଥିଲେ ।ଏହି ସମୟରେ ଶିଶୁର କାନ୍ଦ ଶୁଣି ଭିତରକୁ ଯାଇଥିଲେ ଆଉ କପଡ଼ାରେ ଗୁଡ଼ାଇ ଶିଶୁକୁ ରଖାଯାଇଥିବା ଦେଖିବାକୁ ପାଇଥିଲେ ।ସଙ୍ଗେ ସଙ୍ଗେ ଶିଶୁକନ୍ୟାକୁ ସେ ଉଦ୍ଧାର କରି ବାଗଡିହି ଫାଣ୍ଡିରେ ଦେଇଥିଲେ । ଖବର ପାଇ ଲଇକେରା ଥାନାଧିକାରୀ, ସ୍ଥାନୀୟ ସରପଞ୍ଚ, ଅଞ୍ଚଳର ସମାଜସେବୀମାନେ ଫାଣ୍ଡିରେ ପହଞ୍ଚିଥିବା ବେଳେ ଶିଶୁଟିର ଚିକିତ୍ସା ପାଇଁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦିଆଯାଇଥିଲା।

ତେବେ କିଏ ଓ କେଉଁ ପରିସ୍ଥିତିରେ ଶିଶୁକନ୍ୟାକୁ ଜଙ୍ଗଲରେ ଛାଡ଼ିଲା ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ । ସେପଟେ ସିଡବ୍ଲ୍ୟୁସିକୁ ସୂଚନା ଦିଆଯାଇଥିବା ବେଳେ ସିଡବ୍ଲ୍ୟୁସି ଅଧକ୍ଷ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯାଇ ଶିଶୁର ସ୍ବାସ୍ଥ୍ୟବସ୍ଥା ବିଷୟରେ ବୁଝାସୁଝା କରିଥିଲେ । କେଉଁ ଦମ୍ପତି ଏବଂ କେଉଁ ପରିସ୍ଥିତିରେ ଏହି ଶିଶୁ କନ୍ୟାକୁ ଜଙ୍ଗଲରେ ଫୋପାଡ଼ି ଚାଲିଯାଇଛନ୍ତି ତାହାକୁ ନେଇ ସିଡବ୍ଲ୍ୟୁସି ଯାଞ୍ଚ ଆରମ୍ଭ କରିଛନ୍ତି ।

ତେବେ ଏହି ଘଟଣାକୁ ନିନ୍ଦା କରିଛନ୍ତି ସ୍ଥାନୀୟ ବୁଦ୍ଧିଜୀବୀ ସମାଜସେବୀ । ଆଜିକାଲି ଯୁଗରେ ଝିଅ ପୁଅଙ୍କ ଠାରୁ କମ ନୁହଁନ୍ତି ବୋଲି ସମାଜସେବୀ ନିଜ ମତ ପ୍ରକାଶ କରିଛନ୍ତି।

ଏହି ଆଧୁନିକ ଯୁଗରେ ପୁଅ ପାଇବା ଆଶାରେ ନବଜାତ ଶିଶୁକନ୍ୟାଙ୍କ ବଳି ଦିଆଯାଉଛି । ତେବେ ଏହି ଘଟଣାକୁ ତଦନ୍ତ କରି ଦୋଷୀଙ୍କୁ ଖୋଜି ଉଚିତ ଦଣ୍ଡ ମିଳିବା ଦରକାର ବୋଲି ସାଧାରଣରେ ଦାବି ଉଠୁଛି ।

aduser

About Author

Leave a Reply

Your email address will not be published. Required fields are marked *

LOKA SAMACHAR @2026. All Rights Reserved || Developed By CBSPL