ଓଡ଼ିଶା

ଓଏସ୍‌ଏସ୍‌ସି ଅଫିସ ଆଗରେ ଆଣ୍ଠେଇ କାନମୋଡ଼ି ଚାପୁଡ଼ା ଖାଇ ଧାରଣା ଦେଲେ ଆଶାୟୀ

ଭୁବନେଶ୍ବର: ଓଡ଼ିଶା କର୍ମଚାରୀ ପ୍ରବରଣ ଆୟୋଗ (ଓଏସ୍‌ଏସ୍‌ସି) ଦ୍ବାରା ପରିଚାଳିତ ପ୍ରଶିକ୍ଷିତ ସ୍ନାତକ ଶିକ୍ଷକ (ଟିଜିଟି) ନିଯୁକ୍ତି ପ୍ରକ୍ରିୟାରେ ଟିଜିଟି ସଂସ୍କୃତ ପଦବୀ ପାଇଁ ମେଧା ତାଲିକା ପ୍ରକାଶ ପାଉନି। ସଂସ୍କୃତ ବ୍ୟତୀତ ଅନ୍ୟ ଟିଜିଟି ପଦବୀ ପାଇଁ ମେଧା ତାଲିକା ପ୍ରକାଶ ପାଇଛି। ଟିଜିଟି ସଂସ୍କୃତ ପଦବୀ ପାଇଁ ମେଧା ତାଲିକା ପ୍ରକାଶରେ ବିଳମ୍ବ କରାଯାଉଥିବା ପ୍ରତିବାଦରେ ଶହ ଶହ ଆଶାୟୀ ଶିକ୍ଷକ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଓଏସ୍‌ଏସ୍‌ସି କାର୍ଯ୍ୟାଳୟ ଆଗରେ ଆଶାୟୀ ଶିକ୍ଷକ ଧାରଣା ଦେବା ସହ ଅଭିନବ ପ୍ରତିବାଦ କରିଛନ୍ତି। ଆଣ୍ଠେଇବା ସହ କାନମୋଡ଼ି ଚାପୁଡ଼ା ଖାଇ ଧାରଣା ଦେଇଥିଲେ ଆଶାୟୀ।

ସେମାନଙ୍କ ଅଭିଯୋଗ ଅନୁସାରେ, ଗତ ମେ’ ୧୭ରେ ଏଲ୍‌ଟିଆର ଅନ୍ତର୍ଗତ ୭୨୯ ଟିଜିଟି ସଂସ୍କୃତ ଶିକ୍ଷକ ପଦ ପାଇଁ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ହେଲେ ଏଯାଏଁ ସେମାନଙ୍କ ମେଧା ତାଲିକା ବାହାରିନି। ଏହି ସଂସ୍କୃତ ଶିକ୍ଷକ ପରୀକ୍ଷାର୍ଥୀଙ୍କ ସହ ଏକ ସମୟରେ ବିଜ୍ଞାନ ଶିକ୍ଷକ ପଦବୀ ପାଇଁ ବି ପରୀକ୍ଷା ହୋଇଥିଲା। ବିଜ୍ଞାନ ଶିକ୍ଷକ ପରୀକ୍ଷାର୍ଥୀଙ୍କ ଫଳ ବାହାରି ଡକ୍ୟୁମେଣ୍ଟ ଯାଞ୍ଚ ସରିଲାଣି। ଏପରିକି ଆସନ୍ତା ୧୫ ତାରିଖରେ ସେମାନଙ୍କୁ ନିଯୁକ୍ତି ଦେବାକୁ ଗଣଶିକ୍ଷା ବିଭାଗ ବିଜ୍ଞପ୍ତି ଜାରି କରିଛି। ହେଲେ ସଂସ୍କୃତ ଶିକ୍ଷକ ପଦବୀ ପାଇଁ ଡକ୍ୟୁମେଣ୍ଟ ଯାଞ୍ଚ ସରିଥିଲେ ବି ଏପର୍ଯ୍ୟନ୍ତ ଫଳ ବାହାରି ପାରୁନି। ଏପରି ପକ୍ଷପାତପୂର୍ଣ୍ଣ ନିଷ୍ପତ୍ତିକୁ ବିରୋଧ କରି ଶତାଧିକ ଆଶାୟୀ ସଂସ୍କୃତ ଶିକ୍ଷକ ଓଏସ୍‌ଏସ୍‌ସି କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ। ଦୀର୍ଘ ସମୟ ପରେ ଓଏସ୍ଏସ୍‌ସି କର୍ତ୍ତୃପକ୍ଷଙ୍କ ସହ ଆଶାୟୀ ଶିକ୍ଷକଙ୍କ ପ୍ରତିନିଧି ଦଳର ଆଲୋଚନା ହୋଇଥିଲା। ଏହି ଆଲୋଚନାରୁ କୌଣସି ନିଷ୍କର୍ଷ ନ ବାହାରିବାରୁ ଆନ୍ଦୋଳନ ଜାରି ରଖିଛନ୍ତି ଆଶାୟୀ।

aduser

About Author

LOKA SAMACHAR @2026. All Rights Reserved || Developed By CBSPL