ଜାତୀୟ

ରାଜ୍ୟସଭା ଉପନିର୍ବାଚନ ପାଇଁ ହରଦୀପ ସିଂହ ପୁରୀଙ୍କୁ ବିଜେପି ଟିକେଟ୍

ମଧ୍ୟପ୍ରଦେଶ : କେନ୍ଦ୍ରମନ୍ତ୍ରୀ ହରଦୀପ ସିଂ ପୁରୀଙ୍କୁ ନେଇ ରାଜ୍ୟସଭା ନିର୍ବାଚନରେ ବଡ଼ ନିଷ୍ପତ୍ତି ନେଇଛି ବିଜେପି । ମଧ୍ୟପ୍ରଦେଶର ଗୋଟିଏ ଖାଲି ପଡ଼ିଥିବା ରାଜ୍ୟସଭା ଆସନ ପାଇଁ ଦଳ ତାଙ୍କୁ ପ୍ରାର୍ଥୀ ଘୋଷଣା କରିଛି । ରାଜ୍ୟସଭା ଉପନିର୍ବାଚନ ପାଇଁ ହରଦୀପ ସିଂହ ପୁରୀଙ୍କୁ ବିଜେପି ଟିକେଟ୍ ।  ଉତ୍ତରପ୍ରଦେଶରୁ ଟିକେଟ୍ ନମିଳିବା ପରେ ମଧ୍ୟପ୍ରଦେଶରୁ ସୁଯୋଗ । ଏଲ୍. ମୁରୁଗାନଙ୍କ ଇସ୍ତଫା ପରେ ଖାଲି ପଡ଼ିଥିଲା ଆସନ । ନଭେମ୍ବର ୧୨ରେ ଭୋଟିଂ ହେବ ।

ହରଦୀପ ସିଂ ପୁରୀ ବର୍ତ୍ତମାନ କେନ୍ଦ୍ର ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ରହିଛନ୍ତି । ପୂର୍ବରୁ ସେ ଉତ୍ତରପ୍ରଦେଶରୁ ରାଜ୍ୟସଭା ସଦସ୍ୟ ରହିଆସିଛନ୍ତି । ତାଙ୍କର ବର୍ତ୍ତମାନ କାର୍ଯ୍ୟକାଳ ଆସନ୍ତା ନଭେମ୍ବର ୨୫ରେ ଶେଷ ହେବାକୁ ଯାଉଛି । କିନ୍ତୁ ଚଳିତ ମାସରେ ଉତ୍ତରପ୍ରଦେଶ ରାଜ୍ୟସଭା ନିର୍ବାଚନ ପାଇଁ ବିଜେପି ଘୋଷଣା କରିଥିବା ପ୍ରାର୍ଥୀ ତାଲିକାରେ ପୁରୀଙ୍କ ନାମ ନଥିଲା । ଫଳରେ ତାଙ୍କ ରାଜ୍ୟସଭା ସଦସ୍ୟତାର ଭବିଷ୍ୟତକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା। ଏବେ ମଧ୍ୟପ୍ରଦେଶରୁ ତାଙ୍କୁ ପ୍ରାର୍ଥୀ କରି ଦଳ ସେହି ଅନିଶ୍ଚିତତା ଦୂର କରିଛି । ମଧ୍ୟପ୍ରଦେଶର ଏହି ରାଜ୍ୟସଭା ଆସନ ପୂର୍ବରୁ ବିଜେପି ନେତା ଏଲ୍. ମୁରୁଗାନଙ୍କ ପାଖରେ ଥିଲା ।

ସେ ୨୦୨୪ ଏପ୍ରିଲରେ ମଧ୍ୟପ୍ରଦେଶରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ତାଙ୍କ କାର୍ଯ୍ୟକାଳ ୨୦୩୦ ପର୍ଯ୍ୟନ୍ତ ରହିବାର ଥିଲା । ତେବେ ଚଳିତ ଅକ୍ଟୋବରରେ ସେ ରାଜ୍ୟସଭା ସଦସ୍ୟ ପଦ ସହ କେନ୍ଦ୍ରମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ନଭେମ୍ବର ୧୨ରେ ଏହି ଆସନ ପାଇଁ ଉପନିର୍ବାଚନ ହେବ । ନଭେମ୍ବର ୨ ପର୍ଯ୍ୟନ୍ତ ପ୍ରାର୍ଥିପତ୍ର ଦାଖଲ ସମୟ ରହିଛି । ମତଦାନ ଆବଶ୍ୟକ ହେଲେ ନଭେମ୍ବର ୧୨ରେ ଭୋଟିଂ ହେବ ।

ହରଦୀପ ସିଂହ ପୁରୀ ଜଣେ ପୂର୍ବତନ କୂଟନୀତିଜ୍ଞ। ଭାରତୀୟ ବୈଦେଶିକ ସେବାରେ କାର୍ଯ୍ୟ କରିବା ପରେ ସେ ରାଜନୀତିରେ ପ୍ରବେଶ କରିଥିଲେ । ୨୦୧୭ରେ ପ୍ରଥମଥର ପାଇଁ ନରେନ୍ଦ୍ର ମୋଦିଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିଲେ । ୨୦୧୮ରେ ଉତ୍ତରପ୍ରଦେଶରୁ ରାଜ୍ୟସଭାକୁ ଯାଇଥିଲେ ଏବଂ ୨୦୨୦ରେ ପୁଣି ନିର୍ବାଚିତ ହୋଇଥିଲେ । ୨୦୧୯ ଲୋକସଭା ନିର୍ବାଚନରେ ସେ ପଞ୍ଜାବର ଅମୃତସର ଆସନରୁ ବିଜେପି ପ୍ରାର୍ଥୀ ହୋଇଥିଲେ । ତେବେ କଂଗ୍ରେସ ପ୍ରାର୍ଥୀ ଗୁରଜିତ ସିଂହ ଔଜଲାଙ୍କଠାରୁ ପରାସ୍ତ ହୋଇଥିଲେ । ଏହାପରେ ମଧ୍ୟ ସେ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ବିଭିନ୍ନ ଦାୟିତ୍ୱ ତୁଲାଇଆସିଛନ୍ତି ।

LSadmin

About Author

LOKA SAMACHAR @2026. All Rights Reserved || Developed By CBSPL