ଭୁବନେଶ୍ୱର: ବିଦ୍ୟାଳୟ ସ୍ତରରେ ପାରମ୍ପରିକ ଶ୍ରେଣୀଗୃହ ପାଠପଢ଼ା ସହ ଛାତ୍ରଛାତ୍ରୀଙ୍କୁ ମିଳିବ ବ୍ୟାବହାରିକ ଓ ଧନ୍ଦାମୂଳକ ଶିକ୍ଷା । ଏନେଇ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) ଏବଂ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି) ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ରାଜ୍ୟର ୨୦ଟି ଜିଲ୍ଲାର ୨୬ଟି ପିଏମ୍ ଶ୍ରୀ ସ୍କୁଲ ଓ ସରକାରୀ ହାଇସ୍କୁଲରେ ‘ଦ୍ୱୈତ ବ୍ୟବସ୍ଥା ଭିତ୍ତିକ ଧନ୍ଦାମୂଳକ ଶିକ୍ଷା’ କାର୍ଯ୍ୟକ୍ରମ ଆରମ୍ଭ ହେବ ।
ଏହି ଏମ୍ଓୟୁ ଦ୍ୱାରା ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନେ ଓୟୁଏଟି ଓ ସ୍ଥାନୀୟ କୃଷି ବିଜ୍ଞାନ କେନ୍ଦ୍ର ସହ ଯୋଡ଼ି ହେବେ । ପିଲାମାନେ କୃଷି ଫାର୍ମ, ପରୀକ୍ଷାଗାର, ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ୍, ପଶୁପାଳନ, ଉଦ୍ୟାନ କୃଷି ଭଳି କ୍ଷେତ୍ରରେ ବୈଜ୍ଞାନିକ, ବିଶେଷଜ୍ଞଙ୍କ ତତ୍ତ୍ୱାବଧାନରେ କାମ ଶିଖିବେ । ଏହାଦ୍ୱାରା ସେମାନଙ୍କ ମଧ୍ୟରେ କେବଳ ପାଠପଢ଼ା ନୁହେଁ ବରଂ ଆତ୍ମନିର୍ଭରଶୀଳ ହେବା ପାଇଁ ବ୍ୟାବହାରିକ ଦକ୍ଷତା ବିକଶିତ ହେବ ।
ଓୟୁଏଟି ସମ୍ମିଳନୀ କକ୍ଷରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କୁହାଯାଇଛି, ଛାତ୍ରଛାତ୍ରୀମାନଙ୍କୁ ୬ଟି ଧନ୍ଦାମୂଳକ ବିଷୟରେ ତାଲିମ ପ୍ରଦାନ କରାଯିବ । ଆମ୍ବ ଚାଷ, ବାଇଗଣ, ଟମାଟୋ, ଧାନ ଚାଷ, ପଶୁ ସମ୍ପଦର ଯତ୍ନ ଓ ସ୍ୱାସ୍ଥ୍ୟ, ଦୁଗ୍ଧ ଉତ୍ପାଦନ ଓ ପ୍ରକଳ୍ପ, ଲେମ୍ବୁ ଜାତୀୟ ଫଳ ଚାଷର ସ୍ୱତନ୍ତ୍ର ପ୍ରଶିକ୍ଷଣ ମିଳିବ । ଶ୍ରେଣୀଗୃହ ଶିକ୍ଷା ସହ ପ୍ରାକ୍ଟିକାଲ କାର୍ଯ୍ୟ ମଧ୍ୟରେ ଥିବା ବ୍ୟବଧାନକୁ ଦୂର କରିବା ସହ ଜାତୀୟ ଦକ୍ଷତା ଯୋଗ୍ୟତା ଢାଞ୍ଚା (ଏନ୍ଏସ୍କ୍ୟୁଏଫ୍) ଅନୁଯାୟୀ ଦକ୍ଷତା ବୃଦ୍ଧି କରି ଛାତ୍ରଛାତ୍ରୀଙ୍କ ମଧ୍ୟରେ ରୋଜଗାର, ଉଦ୍ୟୋଗୀତା ଓ କ୍ୟାରିୟର ପ୍ରସ୍ତୁତିକୁ ସୁଦୃଢ଼ କରିବାରେ ସହଯୋଗ କରିବ ।







