ଓଡ଼ିଶା

ଭିତରକାଠ ଦର୍ଶନ ପାଇଁ ଅଡ଼ି ବସିଲେ ସେବାୟତ, ନୀତିକାନ୍ତି ବିଳମ୍ବ

ପୁରୀ:ଚନ୍ଦ୍ରଗ୍ରହଣ ପରିପ୍ରେକ୍ଷୀରେ ୧ ଓ ୨ ତାରିଖ ଭକ୍ତଙ୍କ ଭିତରକାଠ ଦର୍ଶନ ବନ୍ଦ ପାଇଁ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଥିବାରୁ ଖୁଣ୍ଟିଆ ମେକାପ ଏବଂ ଖୁଣ୍ଟିଆ ସେବାୟତ ଗୋଷ୍ଠୀ ଏହାକୁ ବିରୋଧ କରିଛନ୍ତି। ଏଥିପାଇଁ ଶ୍ରୀମନ୍ଦିରରେ ଭୋଗମଣ୍ଡପ ନୀତିରେ ବିଳମ୍ବ ଘଟିଛି ଓ ଶନିବାର ମହାପ୍ରସାଦ ୪ଘଣ୍ଟା ବିଳମ୍ବରେ ବାହାରିଛି। ଏହାକୁ ନେଇ ଭକ୍ତ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।

ଶନିବାର ଗୋବିନ୍ଦ ଦ୍ବାଦଶୀ ବୁଡ଼ ପରେ ଭକ୍ତମାନେ ମହାପ୍ରସାଦ ପାଇବା ପାଇଁ ଦୀର୍ଘ ସମୟ ଅପେକ୍ଷା କରିଥିଲେ। ପ୍ରାୟ ୪ଘଣ୍ଟା ପରେ ଅର୍ଥାତ ସନ୍ଧ୍ୟା ୭ଟାରେ ମହାପ୍ରସାଦ ବାହାରି ଥିଲା। ପ୍ରଥମ ଭୋଗ ମଣ୍ଡପର ଭୋଗ ବାହାରିବାକୁ ୪ଘଣ୍ଟା ବିଳମ୍ବ ହେବା ଯୋଗୁଁ ଦ୍ବିତୀୟ ଭୋଗ ମଣ୍ଡପର ଭୋଗ ବାହାରିବାକୁ ଅନେକ ସମୟ ବିଳମ୍ବ ହୋଇଥାନ୍ତା। ଏଥିପାଇଁ ସୁଆର ମହାସୁଆର ସେବକମାନେ ଦ୍ବିତୀୟ ଭୋଗମଣ୍ଡପର ଭୋଗକୁ ପ୍ରଥମ ଭୋଗ ମଣ୍ଡପ ଭୋଗରେ ମିଶାଇ ଦେଇଥିଲେ। ଏହା ପରେ ସ୍ଥିତି ସ୍ବାଭାବିକ ହୋଇଥିଲା। ପ୍ରକାଶଯୋଗ୍ୟ, ଶୁକ୍ରବାର ନୀତି ବିଳମ୍ବ ଯୋଗୁଁ ରାତି ପ୍ରାୟ ୩ଟା ୨୦ରେ ବଡ଼ସିଂହାର ବେଶ ହୋଇଥିଲା। ଭୋର୍ ୪ଟା ୩୦ରେ ରାତ୍ର ପହୁଡ଼ ହୋଇଥିଲା। ଫଳରେ ଶନିବାର ସକାଳ ୭ଟାରେ ଦ୍ବାରଫିଟା ନୀତି ସମ୍ପନ୍ନ ହୋଇଥିଲା। ନୀତି ବିଳମ୍ବ ସହ ଭିତରକାଠ ଦର୍ଶନ ପାଇଁ ଦୁଇ ସେବାୟତ ଗୋଷ୍ଠୀ ଅଡ଼ି ବସିବାରୁ ମହାପ୍ରଭୁଙ୍କ ସେବାରେ ମଧ୍ୟ ଦର୍ଶନକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ସେବାୟତଙ୍କ ଦର୍ଶନକୁ ନେଇ ବିବାଦ ପରେ ଶ୍ରୀମନ୍ଦିର ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା ଯୋଗୁଁ ଏଭଳି ଅଘଟଣ ବାରମ୍ବାର ଘଟୁଥିବା ଜଗନ୍ନାଥପ୍ରେମୀ ସୂଚନା ଦେଇଛନ୍ତି।

aduser

About Author

LOKA SAMACHAR @2026. All Rights Reserved || Developed By CBSPL