ଓଡ଼ିଶା

ଏଣିକି ସବୁ ଜିଲାରେ ହେବ ପୁସ୍ତକ ମେଳା

ଭୁବନେଶ୍ବର: ପୁସ୍ତକମେଳା କ୍ଷେତ୍ରରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଆଉ ଏକ ବଡ଼ ପଦକ୍ଷେପ ନେଇଛି। ଏଣିକି ପ୍ରତି ଜିଲାରେ ହେବ ପୁସ୍ତକମେଳା। ଏନେଇ ପୂର୍ବରୁ ନିଷ୍ପତ୍ତି ହୋଇଥିଲେ ହେଁ ଏହା ପ୍ରାୟତଃ ଚଳିତ ଆର୍ଥିକ ବର୍ଷରୁ ଆରମ୍ଭ ହେବା ନେଇ ଯୋଜନା କରାଯାଇଛି। ସରକାରୀସ୍ତରରେ ପୂର୍ବରୁ କେବଳ ରାଜଧାନୀରେ ପୁସ୍ତକମେଳା ହେଉଥିବାବେଳେ ଏଣିକି ସମ୍ପ୍ରସାରଣ କରାଯିବ।
ମେଳାରେ ବିଭିନ୍ନ ଦିବସରେ ଆଲୋଚନାଚକ୍ର, କବିତା ପାଠ, ନୂତନ ପୁସ୍ତକ ଉନ୍ମୋଚନ, କବି ଓ ଲେଖକ ସମ୍ମିଳନୀ, ବ୍ୟଙ୍ଗକବି ସମ୍ମିଳନୀ, ଶିଶୁ-ସାହିତ୍ୟିକ ସମ୍ମିଳନୀ ହେବ। ଏହାସହିତ ଓଡ଼ିଆ ସାହିତ୍ୟର ବିଭିନ୍ନ ବିଭାଗରେ ପୁରସ୍କାର ପ୍ରଦାନ କରାଯିବ। ତେବେ ପୁସ୍ତକମେଳା ନେଇ ବିଭାଗ ପକ୍ଷରୁ ଖୁବଶୀଘ୍ର କାର୍ଯ୍ୟପନ୍ଥା ଗ୍ରହଣ କରାଯିବ। ବିଶେଷ କରି ଏହାର ରୂପରେଖ ସମ୍ପର୍କରେ ଆଲୋଚନା କରାଯାଇ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଯିବ। ଏହାପରେ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ଜିଲାସ୍ତରରେ କାର୍ଯ୍ୟନ୍ବୟନ କରାଯିବ। ବିଭାଗ ପକ୍ଷରୁ ଜିଲା ସଂସ୍କୃତି ଉନ୍ନୟନ ଅଧିକାରୀ ଜିଲାସ୍ତରରେ ସମସ୍ତ ସହଯୋଗ କରିବେ। ପୁସ୍ତକମେଳା ପାଇଁ ବାର୍ଷିକ ୩ କୋଟି ଟଙ୍କା ମିଳୁଥିବାବେଳେ ଚଳିତ ବର୍ଷ ବଜେଟରେ ୨୪ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଫଳରେ ପ୍ରତି ଜିଲାରେ ପୁସ୍ତକମେଳା କରାଯିବାକୁ ବିଭାଗ ସବୁଜ ସଙ୍କେତ ଦେଇଛି। ଜିଲାୱାରି ପୁସ୍ତକମେଳା ପାଇଁ ପ୍ରାୟ ୫୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ।

aduser

About Author

Leave a Reply

Your email address will not be published. Required fields are marked *

LOKA SAMACHAR @2026. All Rights Reserved || Developed By CBSPL