ଓଡ଼ିଶା

ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଓଡ଼ିଶା ମଣ୍ଡପକୁ ଶ୍ରେଷ୍ଠ ପୁରସ୍କାର

ନୂଆଦିଲ୍ଲୀ/ଭୁବନେଶ୍ଵର: ନୂଆଦିଲ୍ଲୀର ଭାରତ ମଣ୍ଡପମ୍ ପରିସରରେ ଆୟୋଜିତ ୪୪ତମ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା ୨୦୨୫ର ଅନ୍ତିମ ତିଥିରେ ପୁରସ୍କାର ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛି ଓଡ଼ିଶା ପାଭିଲିୟନ୍। ଏ ସମ୍ପର୍କରେ ବାଣିଜ୍ୟ ମେଳାର ଆୟୋଜକ ଭାରତ ବାଣିଜ୍ୟିକ ପ୍ରୋତ୍ସାହନ ସଂଗଠନ ଦ୍ଵାରା ସୂଚନା ପ୍ରଦାନ ପରେ ଓଡ଼ିଶା ପାଭିଲିୟନରେ ଆନନ୍ଦର ଲହରୀ ଖେଳି ଯାଇଛି। ଅଂଶଗ୍ରହଣକାରୀ ଅନ୍ୟ ରାଜ୍ୟର କର୍ମକର୍ତ୍ତାମାନେ ଓଡ଼ିଶା ପାଭିଲିୟନକୁ ଆସି ଅଭିନନ୍ଦନ ଜଣାଇଛନ୍ତି।
ଚଳିତ ବର୍ଷ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟମେଳା-୨୦୨୫ର ବିଷୟବସ୍ତୁ ‘ଏକ ଭାରତ, ଶ୍ରେଷ୍ଠ ଭାରତ’ ଆଧାରରେ ଓଡ଼ିଶା ମଣ୍ଡପ ପ୍ରସ୍ତୁତ କରାଯାଇଛି। ମଣ୍ଡପ ଡିଜାଇନରେ କେବଳ ପ୍ରାଚୀନ ଓଡ଼ିଶାର ସମୃଦ୍ଧ ଐତିହ୍ୟ ଏବଂ ଭାସ୍କର୍ଯ୍ୟ କଳା ପ୍ରତିଫଳିତ ହୋଇନାହିଁ, ବରଂ ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ଗଠନ ନିମନ୍ତେ ପ୍ରସ୍ତୁତ ଭିଜନ୍ ଡକ୍ୟୁମେଣ୍ଟ ଆଧାରରେ ‘ଏକ ଭାରତ, ଶ୍ରେଷ୍ଠ ଭାରତ’ ପାଇଁ ଓଡିଶାର ପ୍ରତିବଦ୍ଧତାକୁ ପ୍ରଦର୍ଶନ କରାଯାଇଛି। ଏହି ମଣ୍ଡପ ମାଧ୍ୟମରେ ରାଜ୍ୟ ସରକାରଙ୍କ ଦ୍ଵାରା ପ୍ରଣୀତ ବିଭିନ୍ନ ଲୋକାଭିମୁଖୀ ଯୋଜନାର ସଫଳ ରୂପାୟନ ନିମନ୍ତେ ପ୍ରତିଟି ସ୍ତରରେ ହେଉଥିବା ଉଦ୍ୟମକୁ ଦେଶର ଅନ୍ୟାନ୍ୟ ରାଜ୍ୟ ଏବଂ ବିଶ୍ଵ ସମ୍ମୁଖରେ ଉପସ୍ଥାପିତ କରିବାକୁ ପ୍ରୟାସ କରାଯାଇଛି। ନିଜର ସମୃଦ୍ଧ ସଂସ୍କୃତି ଓ ପରମ୍ପରାର ସୁରକ୍ଷା ସହିତ ସମାନ୍ତରାଳ ଭାବେ ପ୍ରଗତି ଓ ଆଧୁନିକତାକୁ ଆଦରି ନେଇ ସବୁ ବର୍ଗର ଲୋକମାନଙ୍କ ସାମଗ୍ରିକ ବିକାଶ ପ୍ରତି ସରକାରଙ୍କ ପ୍ରତିବଦ୍ଧତା ଏହି ମଣ୍ଡପରେ ସ୍ଥାନିତ ହୋଇଛି । ବିଭିନ୍ନ କୃଷି ଉତ୍ପାଦ ସମେତ ଉତ୍କୃଷ୍ଟ ହସ୍ତତନ୍ତ, ହସ୍ତଶିଳ୍ପ କଳା ଏବଂ ସ୍ୱୟଂ ସହାୟିକା ଗୋଷ୍ଠୀଙ୍କ ଦ୍ୱାରା ପ୍ରସ୍ତୁତ ବହୁ ସାମଗ୍ରୀ ମଧ୍ୟ ଏଥିରେ ପ୍ରଦର୍ଶିତ ହୋଇଛି।
ଗତ ୧୪ ତାରିଖରେ ଓଡିଶାର ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୁଦୃଶ୍ୟ ଓଡ଼ିଶା ପାଭିଲିୟନ ଉଦଘାଟନ କରିଥିଲେ। ବିଭିନ୍ନ ଦିବସରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଏବଂ ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ତ୍ରିପୁରାର ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରୀ ସନ୍ତନା ଚକମା, ମଣିପୁରର ଅତିରିକ୍ତ ଶାସନ ସଚିବ ଅନୁରାଗ ବାଜପେୟୀ, ପୂର୍ବତନ କ୍ରିକେଟର ତଥା ପଶ୍ଚିମବଙ୍ଗ ବହରମପୁରର ସାଂସଦ ୟୁସୁଫ ପଠାନ, ଓଡିଶା ଆସ୍କାର ସାଂସଦ ଅନିତା ଶୁଭଦର୍ଶିନୀ, ବାଲେଶ୍ଵର ସାଂସଦ ପ୍ରତାପ ଷଡଙ୍ଗୀ, ରାଜ୍ୟ ସଭା ସାଂସଦ ସୁଜିତ କୁମାର, ରାଜ୍ୟସଭାର ପୂର୍ବତନ ସାଂସଦ ଅମର ପଟ୍ଟନାୟକଙ୍କ ସମେତ ଦେଶ ବିଦେଶର ପ୍ରତିଷ୍ଠିତ ବ୍ୟାବସାୟିକ ସଂଗଠନ ଏବଂ ବିଶିଷ୍ଟ ବ୍ୟକ୍ତିବିଶେଷ ପ୍ରମୁଖ ଓଡ଼ିଶା ମଣ୍ଡପ ପରିଦର୍ଶନରେ ଆସିଥିବା ବେଳେ ଗତ ୨୨ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଶା ରାଜ୍ୟ ଦିବସର ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ।
ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଲଗାତାର ଭାବେ ଗତ ୩ ବର୍ଷ ଧରି ଓଡ଼ିଶା ପାଭିଲିୟନ୍ ପୁରସ୍କୃତ ହୋଇଆସୁଥିବା ବେଳେ ଚଳିତ ବର୍ଷ ମଧ୍ୟ ଆସନ୍ତାକାଲି ଅପରାହ୍ନ ୪ଟା ୩୦ରେ ଆୟୋଜିତ ପୁରସ୍କାର ପ୍ରଦାନ ଉତ୍ସବରେ ଚତୁର୍ଥ ଥର ପାଇଁ ପୁରସ୍କାର ଗ୍ରହଣ କରିବ। ସୂଚନାଯୋଗ୍ୟ, ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଓଡ଼ିଶା ପାଭିଲିୟନର ଆୟୋଜନ ଦାୟିତ୍ଵ ସୂଚନା ଓ ଲୋକସମ୍ପର୍କ ବିଭାଗ ଉପରେ ରହିଛି।

aduser

About Author

Leave a Reply

Your email address will not be published. Required fields are marked *

LOKA SAMACHAR @2026. All Rights Reserved || Developed By CBSPL