ଓଡ଼ିଶା

ସଂସ୍କୃତି ଓ ଲୋକକଳା ବଞ୍ଚାଇବା ଦାୟିତ୍ବ ଆମର: ଗଣଶିକ୍ଷାମନ୍ତ୍ରୀ

ନବରଙ୍ଗପୁର : ଜିଲ୍ଲାସ୍ତରୀୟ ଲୋକମହୋତ୍ସବ ମଣ୍ଡେଇ ଲୋକକଳା, ସଂସ୍କୃତି, ପରମ୍ପରା, ଐତିହ୍ୟ, ଚାଳିଚଳଣୀ ଓ ଆସ୍ଥାକୁ ଉତ୍ସବ ମାଧ୍ୟମରେ ପରିପ୍ରକାଶ କରିବାର ଏକ ଜନଅନ୍ଦୋଳନ ଭାବେ ଉଭା ହୋଇଛି। ଏପରି ମତବ୍ୟକ୍ତ କରିଛନ୍ତି ନବରଙ୍ଗପୁର ଜିଲ୍ଲାର ଆଦିବୀସୀ ସଂସ୍କୃତି ଓ ପରମ୍ପରାକୁ ନେଇ ଆୟୋଜନ ହେଉଥିବା  ଲୋକ ମହୋତ୍ସବ ‘ମଣ୍ଡେଇ-୨୦୨୫’ ଜିଲ୍ଲା ମହୋତ୍ସବର ଶୁଭାରମ୍ଭ ଉତ୍ସବରେ ଯୋଗ ଦେଇଥିବା ସମସ୍ତ ଅତିଥି।
ଉମରକୋଟ ବ୍ଲକର ପୋଡାଗଡ଼ ଠାରେ ଥିବା ପ୍ରତ୍ୟକ୍ଷ ଭୈରବ ଓ ମାଁ ଦନ୍ତେଶ୍ବରୀଙ୍କ ପୀଠ ନିକଟରେ ପୂଜାର୍ଚ୍ଚନା କରିବା ପରେ ଆଜ୍ଞାମାଳ ସହ ମଶାଲ ସହ ଅଂଚଳର ବିଭିନ୍ନ ଦେବାଦେବୀ ପୀଠରୁ ପ୍ରତୀକ ଲାଟି, କୂର୍ଚ୍ଚୀ ଆଦି ସହ ପୂଜକ, ସିରା ଆଦିଙ୍କୁ ନେଇ ଶୋଭାଯାତ୍ରା କରାଯାଇଥିଲା। ଶୋଭାଯାତ୍ରାରେ ଢ଼େମସା, ଗଣ୍ଡିନୃତ୍ୟ ଆଦି ନାଚ ସହ ଆତସବାଜୀ ପ୍ରଦର୍ଶନୀରେ ଦୁଲୁକି ଉଠିଥିଲା ପୋଡ଼ାଗଡ଼ ଅଂଚଳ। ଶୋଭାଯାତ୍ରାରେ ଜିଲ୍ଲା ସଂସ୍କୃତି ପରିଷଦର ଅଧ୍ୟକ୍ଷ ତଥା ଜିଲ୍ଲାପାଳ ଡ.ମହେଶ୍ବର ସ୍ବାଇଁ, ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ, ବିଶିଷ୍ଟ ଅତିଥି ଭାବେ ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ସମ୍ମାନୀତ ଅତିଥି ଭାବେ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ,  ନବରଙ୍ଗପୁର ବିଧାୟକ ଗୌରୀଶଙ୍କର ମାଝୀ, ଝରିଗାଁ ବିଧାୟକ ନରସିଂହ ଭତରା, ରାଜ୍ୟସଭା ସାଂସଦଙ୍କ ପ୍ରତିନିଧି କାଜମ ମଦାନୀ, ପୂର୍ବତନ ସାଂସଦ ପର୍ଶୁରାମ ମାଝୀ, ବିଜେପି ରାଜ୍ୟ ଉପସଭାପତି ରମେଶ ସାହୁ, ଜିଲ୍ଲାବିଜେପି ସଭାପତି କୁଞବିହାରୀ ଦାଶ, ଜିଲ୍ଲାପରିଷଦ ସଭ୍ୟା ଲିପିକା ମାଝୀ, ଡିଏଫଓ ଶୁଭେନ୍ଦୁ ପ୍ରସାଦ ବେହେରା, ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ବିରଚିଂ ନାରାୟଣ ଦରୱାନ, ଅତିରିକ୍ତ ଜିଲ୍ଲାପାଳ ବିଶ୍ବଜିତ୍ ବର୍ମନ, ଉପଜିଲ୍ଲାପାଳ ପ୍ରକାଶ କୁମାର ମିଶ୍ର, ମୁନ୍ନା ତ୍ରିପାଠୀ, ଉମରକୋଟ ବ୍ଲକ ଅଧ୍ୟକ୍ଷା ସୁଶିଳା ମାଝୀ, ପୌରଅଧ୍ୟକ୍ଷା ରାଧା ଭତରା ଆଦି ଭାଗ ନେଇଥିଲେ।
ଜିଲ୍ଲାପାଳ ଡ.ମହେଶ୍ବର ସ୍ବାଇଁଙ୍କ ସଭାପତିତ୍ବରେ ଆୟୋଜିତ ବୈଠକରେ ମୁଖ୍ୟଅତିଥି ଭାବେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଯୋଗ ଦେଇ ପୋଡ଼ାଗଡ଼ ପୀଠର ବିକାଶ ବନବିଭାଗ ଦ୍ବାରା ୧କୋଟି ଟଙ୍କା ବ୍ୟୟରେ କରାଯିବ ବୋଲି ଘୋଷଣା କରିଥିଲେ। ବିଶିଷ୍ଟ ଅତିଥି ଭାବେ ଗଣଶିକ୍ଷାମନ୍ତ୍ରୀ ଯୋଗ ଦେଇ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପୋଡାଗଡ ପୀଠର ବିକାଶ ପାଇଁ କୋଟିଏ ଟଙ୍କା ଦେବାକୁ ଘୋଷଣା କରିଥିବାରୁ ଧନ୍ୟବାଦ ଦେଇଥିଲେ।  ନବରଙ୍ଗପୁର ଜିଲ୍ଲା ପ୍ରକୃତି ଓ ସ୍ମୃତିର ଗନ୍ଥାଘର। ଆମ ସଂସ୍କୃତି ଓ ପରମ୍ପରା ପାଇଁ ଆମେ ଗର୍ବ ଅନୁଭବ କରୁଛୁ। ଆମ ସଂସ୍କୃତି ଲୋକବାଦ୍ୟ, ଲୋକନୃତ୍ୟକୁ ବଂଚାଇବା ଦାୟିତ୍ବ ଆମର। ସାଇଲୋଡି,ଡେମସା ଲୋକନୃତ୍ୟ ଆଜି ବିଶ୍ବବିଦିତ। ଆଦିବାସୀ ମାନେ ହେଉଛନ୍ତି ସଂସ୍କୃତିକୁ ଛାଡି , ପରାମ୍ପରାକୁ ଛାଡି ପାରୁନାହାନ୍ତି। ଏହାକୁ ସବୁଦିନ ପାଇଁ ଉଜ୍ଜୀବିତ କରି ରଖିବା ପାଇଁ ମଣ୍ଡେଇ ଉତ୍ସବକୁ ମହାସମାରୋହର ସହ ପାଳନ କରାଯାଉଛି।
ଏହି ଅବସରରେ ମଣ୍ଡେଇ ପୋଷ୍ଟର ଓ ଉମରକୋଟ ବ୍ଲକ, ଓ ପୌରପାଳିକା ପକ୍ଷରୁ ପ୍ରସ୍ତୁତ ମଣ୍ଡେଇ ସ୍ମରଣିକାକୁ ଅତିଥିମାନେ ଉନ୍ମୋଚନ କରିଥିଲେ। ପୋଡାଗଡ ସେବାୟତ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଗବେଷକ ଡ.ପରେଶ ରଥଙ୍କୁ ଏହି ଅବସରରେ ସମ୍ବର୍ଦ୍ଧନା ଦିଆଯାଇଥିଲା। ମଂଚରେ ଉମରକୋଟ ବିଡିଓ ମନୋଜ କୁମାର ମେହେର, ପୌର ନିର୍ବାହୀ ଅଧିକାରୀ ଆଲୋକ କୁମାର ଅନୁଗୁଳିଆ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମନୋଜ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ।  ଇଂ.ଚନ୍ଦନା ମଲ୍ଲିକ ମଞ୍ଚ ସଂଯୋଜନା କରିଥିଲେ।

 

aduser

About Author

LOKA SAMACHAR @2026. All Rights Reserved || Developed By CBSPL