ଓଡ଼ିଶା

ବିଜେଡିର ପଦ ଛାଡ଼ିଲେ ବରିଷ୍ଠ ନେତା ଏବଂ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ

ଭୁବନେଶ୍ବର: ପୁଣି ବିଜେଡିରେ ହଲଚଲ୍। ଦଳୀୟ ପଦ ଛାଡ଼ିଲେ ବିଜେଡିର ବରିଷ୍ଠ ନେତା ଏବଂ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ। ସେ ବିଜେଡିର ସିନିଅର ସିଟିଜେନ୍ ସେଲ୍ ଉପସଭାପତି ପଦରୁ ଇସ୍ତଫା ଦେଇଛନ୍ତି। ସେ ନିଜର ଇସ୍ତଫାପତ୍ର ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇଛନ୍ତି। ଏହାପରେ ଚର୍ଚ୍ଚା ଆରମ୍ଭ ହେଲାଣି ଯେ ଦେବାଶିଷ ସାମନ୍ତରାୟ ଖୁବ୍ ଶୀଘ୍ର ବିଜେଡି ଛାଡ଼ିବେ ଏବଂ ବିଜେପିରେ ଯୋଗ ଦେବେ। ଖାଲି ସେତିକି ନୁହେଁ, ଆଗରୁ ବିଜେଡିର ଦୁଇ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇ ବିଜେପି ଟିକେଟରେ ପୁଣି ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ଠିକ୍ ସେହି ପନ୍ଥା ଅବଲମ୍ବନ କରିପାରନ୍ତି ଦେବାଶିଷ ସାମନ୍ତରାୟ।
ସୂଚନାଯୋଗ୍ୟ, କିଛି ଦିନ ତଳେ ଯେତେବେଳେ ଶ୍ରୀମୟୀ ମିଶ୍ରଙ୍କୁ ଦଳରୁ ବିଦା କରିଥିଲ‌ା ବିଜେଡି ସେତେବେଳେ ଏହାକୁ କଡ଼ା ଭାଷାରେ ନିନ୍ଦା କରିଥିଲେ ଦେବାଶିଷ ସାମନ୍ତରାୟ। ସେ କେବଳ ଶ୍ରୀମୟୀ ମିଶ୍ରଙ୍କୁ ସମର୍ଥନ କରିଥିଲେ, ତାହା ନୁହେଁ, ବରଂ ପ୍ରଫୁଲ୍ଲ କୁମାର ମଲ୍ଲିକଙ୍କୁ ନିଲମ୍ବିତ କରାଯିବା ଠିକ୍ ହୋଇନାହିଁ ବୋଲି କହିଥିଲେ। ନବୀନ ପଟ୍ଟନାୟକ ବି ହାରିଛନ୍ତି ବୋଲି କହିଥିଲେ। ଏପରିକି ଯେଉଁ ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଦସ୍ତଖତରେ ନିଲମ୍ବନ ଆଦେଶ ହୋଇଥିଲା, ତାଙ୍କୁ ବି ଛାଡ଼ି ନଥିଲେ ଦେବାଶିଷ ସାମନ୍ତରାୟ।
ଦେବାଶିଷ ସାମନ୍ତରାୟଙ୍କୁ ନିଲମ୍ବନ କଲେ କାଳେ ଦଳ ଭିତରେ ବିଭାଜନ ପ୍ରକ୍ରିୟା ଆରମ୍ଭ ହୋଇଯିବ, ବିଶେଷ କରି କଟକ ଓ ଜଗତସିଂପୁରରେ ବିଜେଡି ଭାଗ ଭାଗ ହୋଇଯିବ, ଦଳର ନୀତି ନିର୍ଦ୍ଧାରଣକାରୀ ଗୋଷ୍ଠୀ ଏଭଳି ଆଶଙ୍କା କରୁଥିବା କୁହାଯାଉଥିଲା। ସବୁଠାରୁ ବଡ଼ କଥା ହେଲା ଯେ ‌ସେ ରାଜ୍ୟସଭା ସଦସ୍ୟ ଅଛନ୍ତି। ତାଙ୍କୁ ନିଲମ୍ବନ କରାଗଲେ ସେ କାଳେ ବିଜେପିକୁ ଚାଲିଯିବେ ସେଭଳି ଆଶଙ୍କାରେ ବି ଶଙ୍କାୟିତ ଶୀର୍ଷ ନେତୃତ୍ବ। ଏଣୁ ଦେବାଶିଷ ସାମନ୍ତରାୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବାର ସମ୍ଭାବନା କ୍ଷୀଣ। ଯଦିବା ସେଭଳି କିଛି ଘଟେ, ସେଥିରେ କିଛି ଆଶ୍ଚର୍ଯ୍ୟ ହେବାର ନାହିଁ। ବିଜେଡିରେ ଚର୍ଚ୍ଚା ହେଉଛି ଯେ ଶ୍ରୀମୟୀ ମିଶ୍ରଙ୍କୁ ସମର୍ଥନ କରି ବୟାନବାଜି କରିଥିବା ଓ ନବୀନ ପଟ୍ଟନାୟକ ବି ହାରିଛନ୍ତି ବୋଲି କହି ବିଜେଡିକୁ ଦୋହଲେଇ ଦେଇଥିବା ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟଙ୍କୁ ନିଲମ୍ବନ କରିବ ତ ଦଳ? ବିଜେଡି ନେତୃତ୍ବର ଏହି ଦୁଃସାହସ ଦେଖାଇପାରିବେ କି ବୋଲି ପ୍ରଶ୍ନ ଉଠିଲାଣି।
ଶ୍ରୀମୟୀ ମିଶ୍ର ତ କାହାରି ନାଆଁ ସିଧାସଳଖ ନେଇନଥିଲେ। ସେ କେବଳ ପରୋକ୍ଷ ଭାବେ ନିଜର ମନକଥା କହିଥିଲେ। ତାହା ଦଳର ନେତୃତ୍ବଙ୍କୁ ଏତେ ବାଧିଲା ଯେ ଶ୍ରୀମୟୀଙ୍କୁ ଦଳରୁ ନିଲମ୍ବନ କରିଲେ। ହେଲେ ବିଜେଡିର ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ତ ଗଣମାଧ୍ୟମକୁ ବାଇଟ୍‌ ଦେଇ ଯାହା କହିଛନ୍ତି, ତାହା ସମସ୍ତଙ୍କୁ ଜଣା।
ଦେବାଶିଷ ସାମନ୍ତରାୟଙ୍କ ଏହି ଟିପ୍ପଣୀ ଉପରେ ବି ବିଜେଡି ନେତ୍ରୀ ତଥା ବିଧାୟିକା ପ୍ରମିଳା ମଲ୍ଲିକ ଚେତାବନୀ ଦେବା ଢଙ୍ଗରେ କହିଥିଲେ ଶୃଙ୍ଖଳା କମିଟି ସବୁ ଦେଖୁଛି। ଠିକ୍ ସେହିପରି ଅନୁରୂପ ମନ୍ତବ୍ୟ ଦେଇଥିଲେ କଟକ ମେୟର୍ ତଥା କମ୍ୟୁନିଷ୍ଟ ଦଳରୁ ରାଜନୈତିକ ଜୀବନ ଆରମ୍ଭ କରି ପରେ ବିଜେଡିରେ ଯୋଗ ଦେଇଥିବା ସୁବାସ ସିଂହ। ହେଲେ ଏହି ଘଟଣାକୁ ବେଶ୍ କିଛି ଦିନ ହୋଇଗଲାଣି, କିନ୍ତୁ ଏଯାଏ କାହିଁକି ଦେବାଶିଷ ସାମନ୍ତରାୟଙ୍କୁ ନିଲମ୍ବନ କରିନାହିଁ ଦଳ, ତାକୁ ନେଇ ବିଜେଡି ଭିତରେ ଚର୍ଚ୍ଚା ହେଉଛି।

aduser

About Author

Leave a Reply

Your email address will not be published. Required fields are marked *

LOKA SAMACHAR @2026. All Rights Reserved || Developed By CBSPL