ଓଡ଼ିଶା

ଲୋକଙ୍କ ସମସ୍ୟାର ସମାଧାନ ପାଇଁ ୩ କିମି ପାହାଡ଼ ଚଢିଲେ ବିଡିଓ

ନବରଙ୍ଗପୁର: ଚର୍ଚ୍ଚାରେ ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ବିଡ଼ିଓ କ୍ଷୀରୋଦ ଚନ୍ଦ୍ର ସାହୁ । ଲୋକଙ୍କ ସମସ୍ୟାର ସମାଧାନ ପାଇଁ ପାଦରେ ଚାଲିଚାଲି ଯାଇ ପାର ହେଲେ ତିନି ପାହାଡ଼ । ପାଞ୍ଚଟି ପରିବାର ପାଖରେ ସରକାରୀ ସୁବିଧାକୁ ପହଞ୍ଚାଇବା ପାଇଁ ଏଭଳି ପଦକ୍ଷେପ ନେଇଛନ୍ତି ବିଡିଓ କ୍ଷୀରୋଦ ଚନ୍ଦ୍ର ସାହୁ। ନନ୍ଦାହାଣ୍ଡି ବ୍ଲକ ଜଗନ୍ନାଥପୁର ପଞ୍ଚାୟତର ଦୁର୍ଗମ ଅଞ୍ଚଳ ଫୁଟଘର ଗାଁ । ଏଠାକୁ ଯିବା ଏତେ ସହଜ ନୁହେଁ। ପାଦ ଚଲା ରାସ୍ତାରେ ଯାଇ ତିନିଟି ପାହାଡ଼ ଚଢିବା ପରେ ପଡ଼େ ଫୁଟଘର ଗାଁ। ଗାଁରେ ବାସ କରନ୍ତି ୫ଟି ପରିବାର। କ୍ଷୀରୋଦ ଚନ୍ଦ୍ର ସାହୁ ନନ୍ଦାହାଣ୍ଡି ବ୍ଲକରେ ୨୦୨୩ ମସିହାରେ ବିଡ଼ିଓ ଭାବେ କାର୍ଯ୍ୟଭାର ଗ୍ରହଣ କରିଥିଲେ। ଏହାର ଅଳ୍ପ ଦିନ ପରେ ସେ ଫୁଟଘର ଗାଁକୁ ଯାଇ ଲୋକଙ୍କ ସମସ୍ୟା ପଚାରି ବୁଝିଥିଲେ।

ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରି ସେ ନିଜ ପ୍ରତିଶ୍ରୁତି ପାଳନ କରିଥିଲେ। ଏବେ ପୁଣି ଥରେ ଆଉ କିଛି ସମସ୍ୟା ରହିଛି କି ଜାଣିବା ପାଇଁ ବ୍ଲକର ସମସ୍ତ ବିଭାଗର ଅଧିକାରୀଙ୍କୁ ନେଇ ଫୁଟଘର ଗାଁକୁ ଯାଇଥିଲେ। ସମସ୍ତଙ୍କ ବ୍ୟକ୍ତିଗତ ସମସ୍ୟା ସହ ମୌଳିକ ସମସ୍ୟା ପଚାରିବୁଝିଥିଲେ। ଜଣେ ବୟସ୍କ ବାର୍ଦ୍ଧକ୍ୟ ଭତ୍ତାରୁ ବଂଚିତ ରହିଯାଇଥିବା ଜାଣିବା ପରେ ଖୁବ ଶୀଘ୍ର ତାଙ୍କୁ ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଗାଁକୁ ରାସ୍ତାଟିଏ ନଥିବାରୁ ଏହାର ମଧ୍ୟ ସମାଧାନ ହୋଇଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଦୁର୍ଗମ ଅଞ୍ଚଳର ତୃଣମୂଳ ସ୍ତରର ଲୋକଙ୍କ ନିକଟରେ ସରକାରୀ ଯୋଜନାକୁ ପହଞ୍ଚାଇବା ପାଇଁ ବିଡ଼ିଓଙ୍କ ଏଭଳି କାର୍ଯ୍ୟ ସାଧାରଣରେ ବେଶ ପ୍ରଶଂସିତ ହୋଇଛି ।

aduser

About Author

LOKA SAMACHAR @2026. All Rights Reserved || Developed By CBSPL