ଓଡ଼ିଶା

ଭୋଟ ପାଇଁ ଓଡିଶାବାସୀଙ୍କୁ ବ୍ୟବହାର କରିଛି ବିଜେଡି ଓ କଂଗ୍ରେସ: ବିଷ୍ଣୁଦେଓ ସାଏ

ନୂଆପଡା/ଭୁବନେଶ୍ୱର: ବିଜେଡି ୨୪ବର୍ଷ ଓ କଂଗ୍ରେସ ୫୦ ବର୍ଷ ଶାସନ କରି ବି ଉଭୟ ଦଳ ଓଡିଶାବାସୀଙ୍କ ଭରଷା ହରାଇଛନ୍ତି । ନବୀନ ପଟ୍ଟନାୟକ ୨୪ ବର୍ଷ ଶାସନ କଲେ କିନ୍ତୁ ଓଡିଆ କହିପାରିଲେ ନାହିଁ । କେନ୍ଦ୍ର ଇସ୍ପାତ ରାଷ୍ଟ୍ରମନ୍ତ୍ରୀ ଥିବାବେଳେ ରାଉଲକେଲାରେ ଅନୁଷ୍ଠିତ ଏକ ସଭାରେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେଇଥିଲେ, କିନ୍ତୁ ସେତେବେଳର ମୁଖ୍ୟମନ୍ତ୍ରୀ ନିଜ ମାତୃଭାଷା ଓଡିଆରେ ଠିକରେ ଦୁଇ ଧାଡିରେ କହିପାରିଲେନାହିଁ । ଯାହା ଲେଖିକି ଆଣିଥିଲେ, ତାକୁ ବହୁ କଷ୍ଟରେ ପଢିଥିଲେ ନବୀନ ବାବୁ । ଯିଏ ଓଡିଆ କହିପାରିଲେନି କି ଶିଖିପାରିଲେନି ସେ କଣ ଓଡିଶାବାସୀଙ୍କ କଥା ବୁଝିବେ ? ଶେଷ ନିଶ୍ୱାସ ଥିବା ଯାଏ ଦିବଙ୍ଗତ ବିଧାୟକ ରାଜେନ୍ଦ୍ର ଢୋଲକିଆ ବିଜେଡି ପାଇଁ କାର୍ଯ୍ୟ କଲେ, କିନ୍ତୁ ନିଜ ଦଳର ସହଯୋଗୀଙ୍କ ସୁଖଃ ଦୁଃଖର ସାଥୀ ହୋଇପାରିଲେ ନାହିଁ ନବୀନ ପଟ୍ଟନାୟକ। ଏପରିକି ସ୍ୱର୍ଗତଃ ଢୋଲକିଆଙ୍କ ଶେଷ ସମୟରେ ତାଙ୍କ ସ୍ୱାସ୍ଥ୍ୟ ସଂପର୍କରେ ଚିନ୍ତା ମଧ୍ୟ କଲେ ନାହିଁ । ଏହା ଅତ୍ୟନ୍ତ ଦୁଃଖଦାୟକ ବୋଲି ଛତିଶଗଡର ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଓ ସାଏ କହିଛନ୍ତି ।
ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କ ପାଇଁ ନୂଆପଡା ବ୍ଲକ ଅନ୍ତର୍ଗତ ପଂଚମପୁରଠାରେ ଅନୁଷ୍ଠିତ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇ ସାଏ କହିଛନ୍ତି ଯେ, କଂଗ୍ରେସ ପରିବାରବାଦକୁ ଛାଡି ପାରିନି । ଦୀର୍ଘ ୫୦ ବର୍ଷର ନିଜ ଶାସନ ସମୟରେ କଂଗ୍ରେସ ଓଡିଶାକୁ ଅବହେଳା କରିବା ସହିତ ଲୁଟିଦେଇଛି । ଉଭୟ ବିଜେଡି – କଂଗ୍ରେସ ପାରିବାରିକ ଦଳ । କଂଗ୍ରେସ ଓ ବିଜେଡି କେବଳ ଭୋଟ ପାଇଁ ଓଡିଶାବାସୀଙ୍କୁ ବ୍ୟବହାର କରିଛି । ବର୍ତ୍ତମାନ ଉଭୟ ବିଜେଡି ଓ କଂଗ୍ରେସ ଓଡିଶାବାସୀଙ୍କ ଦ୍ୱାରା ପ୍ରତ୍ୟାଖିତ ହୋଇସାରିଛନ୍ତି। ‘ବିଜେପିର ଅନ୍ୟ ନାମ ବିକାଶ’କୁ ନୂଆପଡାବାସୀ ହୃଦବୋଧ କରିସାରିଛନ୍ତି । ଏଥର ବିପୁଳ ସଂଖ୍ୟାରେ ପଦ୍ମ ଚିହ୍ନରେ ଭୋଟ ଦେଇ ବିଜେପି ପ୍ରାର୍ଥୀ ଯୁବ ଚେହେରା ଜୟ ଢୋଲକିଆଙ୍କୁ ବିଜୟୀ କରିବେ ବୋଲି ସାଏ ଦୃଢୋକ୍ତି ପ୍ରକାଶ କରିଛନ୍ତି ।
ବିଜେପି ବିଶ୍ୱର ସବୁଠାରୁ ବଡ ରାଜନୈତିକ ଦଳ । ଏହି ଦଳରେ ଲୋକତନ୍ତ୍ର, ନୀତି, ସିଦ୍ଧାନ୍ତ, ବିଚାରଧାରା ରହିଛି । କଂଗ୍ରେସ ଦଳ ବିଜେପିରେ ପରିବାରବାଦ ନାହିଁ । ମୋ ଭଳି ଜଣେ ସାମାନ୍ୟ ଚାଷୀ ପରିବାରରୁ ଆସିଥିବା ସାଧାରଣ ଲୋକଟି ୩ ଥର ବିଧାୟକ, ୪ ଥର ସାଂସଦ, ୩ ଥର ରାଜ୍ୟ ସଭାପତି ଏବଂ ମୋଦୀ ସରକାରର ପ୍ରଥମ ପାଳିରେ କେନ୍ଦ୍ରମନ୍ତ୍ରୀ ହୋଇଛି ବୋଲି ସାଏ କହିଛନ୍ତି ।
ଏହି ସମାବେଶରେ ଜୟ ଢୋଲକିଆ, ସ୍ୱର୍ଗତଃ ରାଜୁ ଢୋଲକିଆଙ୍କ ଧର୍ମପତ୍ନୀ କଳ୍ପନା ଢୋଲକିଆ, ଉପମୁଖ୍ୟମନ୍ତ୍ରୀ କେ.ଭି.ସିଂହଦେଓ, ସାଂସଦ ମାଳବିକା ଦେବୀ, ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂହ ତୋମାର, ସହ ପ୍ରଭାରୀ ତଥା ରାଷ୍ଟ୍ରୀୟ ଉପାଧ୍ୟକ୍ଷା ଲତା ଉସେଣ୍ଡି, ପୂର୍ବତନ ରାଜ୍ୟ ସଭାପତି ବସନ୍ତ ପଣ୍ଡା ଓ ସମୀର ମହାନ୍ତି, ରାୟପୁର ବିଧାୟକ ପୁରନ୍ଦର ମିଶ୍ରଙ୍କ ସମେତ ସ୍ଥାନୀୟ ନେତୃବୃନ୍ଦ ଉପସ୍ଥିତ ଥିଲେ।

aduser

About Author

LOKA SAMACHAR @2026. All Rights Reserved || Developed By CBSPL