ଜାତୀୟ

ତେଜସ୍ୱୀ ଯାଦବଙ୍କ ବଡ଼ ଘୋଷଣା: ମକର ସଂକ୍ରାନ୍ତିରେ ମହିଳାଙ୍କୁ ମିଳିବ ଏକାଥରେ ୩୦ ହଜାର

ପାଟନା : ବିହାର ବିଧାନସଭା ନିର୍ବାଚନ(Bihar Election)ର ପ୍ରଥମ ପର୍ଯ୍ୟାୟ ଭୋଟ ୬ ତାରିଖରେ ଅନୁଷ୍ଠିତ ହେବ। ଏହାପୂର୍ବରୁ ଆରଜେଡି ନେତା ତଥା ବିରୋଧୀ ମହାଗଠବନ୍ଧନର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତେଜସ୍ୱୀ ଯାଦବ ବଡ଼ ଘୋଷଣା କରିଛନ୍ତି।
ମଙ୍ଗଳବାର ସାମ୍ବାଦିକ ସମ୍ମିଳନୀ କରି ସେ ମହିଳାମାନଙ୍କ ସହାୟତା ପାଇଁ ଏକାଥରେ ୩୦ ହଜାର ଟଙ୍କା ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଏଥିସହ ତାଙ୍କ ମେଣ୍ଟ ସରକାର ବିହାରରେ କ୍ଷମତା ଦଖଲ କଲେ ଚାଷୀଙ୍କୁ ମାଗଣାରେ ବିଜୁଳି ଯୋଗାଇ ଦିଆଯିବ ବୋଲି ତେଜସ୍ୱୀ କହିଛନ୍ତି।
ପୂର୍ବରୁ ମହାମେଣ୍ଟ ପକ୍ଷରୁ ଜାରି ହୋଇଥିବା ଇସ୍ତାହାରରେ ଏକାଧିକ ବଡ଼ବଡ଼ ପ୍ରତିଶ୍ରୁତି ଦିଆଯାଇଥିଲା। ମେଣ୍ଟ ସରକାର କ୍ଷମତାକୁ ଆସିଲେ ବିହାରର ପ୍ରତି ପରିବାରରୁ ଜଣଙ୍କୁ ସରକାରୀ ଚାକିରି ମିଳିବ ବୋଲି ଇସ୍ତାହାରରେ ଉଲ୍ଲେଖ କରାଯାଇଥିଲା। ଏବେ ତେଜସ୍ୱୀ ମହିଳା ଭୋଟରଙ୍କୁ ନିଜ ଆଡ଼କୁ ଆଣିବା ପାଇଁ ୩୦ ହଜାର ଟଙ୍କାର ଏକକାଳୀନ ସହାୟତା ପ୍ରତିଶ୍ରୁତି ଦେଇଛନ୍ତି।
ଆଜି ତେଜସ୍ୱୀ(Tejashwi Yadav) କହିଛନ୍ତି, “ଆମେ ବିହାରରେ ସରକାର ଗଠନ କରିବା ପରେ ମକର ସଂକ୍ରାନ୍ତି(ଜାନୁଆରୀ ୧୪) ଦିନ ମହିଳାମାନଙ୍କ ଆକାଉଣ୍ଟରେ ଗୋଟିଏ ବର୍ଷ ପାଇଁ ଏକାଥରେ ୩୦ ହଜାର ଟଙ୍କା ଜମା କରିବୁ। ମୈ ବହିନ ମନ ଯୋଜନା ଅଧୀନରେ ମହିଳାମାନଙ୍କୁ ଏକାଥରେ ବର୍ଷକ ମଧ୍ୟରେ ସେମାନେ ପାଇବାକୁ ଥିବା ୩୦ ହଜାର ଟଙ୍କା ସେମାନଙ୍କ ଆକାଉଣ୍ଟରେ ଜମା କରାଯିବ।”
ମୈ ବହିନ ମନ ଯୋଜନା ସମ୍ପର୍କରେ ମହାଗଠବନ୍ଧନ ପକ୍ଷରୁ ଜାରି ଇସ୍ତହାରରେ ଉଲ୍ଲେଖ କରାଯାଇଛି। ଏହି ଯୋଜନା ଅନୁସାରେ ମହାଗଠବନ୍ଧନ କ୍ଷମତାକୁ ଆସିଲେ ରାଜ୍ୟର ଆର୍ଥିକ ଦୁର୍ବଳ ଓ ପଛୁଆ ବର୍ଗର ମହିଳାମାନଙ୍କୁ ମାସିକ ୨୫୦୦ ଟଙ୍କା ଦେବ ବୋଲି କହିଥିଲା। ଏବେ ଏହାକୁ ଅଧିକ ଆକର୍ଷଣୀୟ କରି ଭୋଟରଙ୍କ ମନ ଜିତିବାକୁ ତେଜସ୍ୱୀ ବର୍ଷକର ଟଙ୍କା ଏକକାଳୀନ ଦେବାକୁ ଘୋଷଣା କରିଛନ୍ତି।
ତେଜସ୍ୱୀ ଚାଷୀଙ୍କ ପାଇଁ ମଧ୍ୟ ବଡ଼ ପ୍ରତିଶ୍ରୁତି ଦେଇଛନ୍ତି। ମହାଗଠବନ୍ଧନ କ୍ଷମତାକୁ ଆସିଲେ ଜଳ ସେଚନ ପାଇଁ ମାଗଣା ବିଜୁଳି ଓ ଚାଷୀଙ୍କୁ ସେମାନଙ୍କ ଉତ୍ପାଦ ପାଇଁ ଅଧିକ ପାଉଣା ମିଳିବ ବୋଲି ତେଜସ୍ୱୀ କହିଛନ୍ତି।
ସେ କହିଛନ୍ତି, “ଯଦି ଆମ ସରକାର କ୍ଷମତାକୁ ଆସିବ, ତା’ହେଲେ ଆମେ ଏମଏସ୍‌ପି ବ୍ୟତୀତ ଧାନ ପାଇଁ କ୍ୱିଣ୍ଟାଲ ପିଛା ୩୦୦ ଟଙ୍କାର ବୋନସ ଦେବୁ। ଗହମ ପାଇଁ ଏମଏସପି ବ୍ୟତୀତ ବୋନସ ଆକାରରେ ୪୦୦ ଟଙ୍କା ଚାଷୀଙ୍କୁ ମିଳିବ।”

aduser

About Author

Leave a Reply

Your email address will not be published. Required fields are marked *

LOKA SAMACHAR @2026. All Rights Reserved || Developed By CBSPL