ଓଡ଼ିଶା

ଶ୍ରୀମନ୍ଦିରରେ ବ୍ୟାରିକେଡ ଠେଲି ପଶିଲେ ଭକ୍ତ

ପୁରୀ: ଅସହ୍ୟ ହେଲା ଧାଡ଼ିରେ ଛିଡ଼ା ହେବ। ବ୍ୟାରିକେଡ ଠେଲି ଶ୍ରୀମନ୍ଦିର ଭିତରକୁ ପଶିଲେ ଭକ୍ତ। ଠେଲାପେଲା ବେଳେ ତଳେ ପଡ଼ିଗଲେ ୨ ମହିଳା ଭକ୍ତ। ସୌଭାଗ୍ୟବସତଃ କାହାକୁ କୌଣସି କ୍ଷତି ହୋଇନାହିଁ। ରବିବାର ମହାକାର୍ତ୍ତିକ ପଞ୍ଚୁକର ପ୍ରଥମ ଦିନରେ ଶ୍ରୀମନ୍ଦିରରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ।

ସୂଚନା ଅନୁସାରେ, ଶ୍ରୀମନ୍ଦିର ଉତ୍ତରଦ୍ୱାର ନିକଟରେ ଅତିଥିମାନଙ୍କୁ ନିଆଯାଉଥିବା ବ୍ୟାରିକେଡକୁ ଠେଲି କିଛି ଭକ୍ତ ମନ୍ଦିରକୁ ପଶିଥିଲେ। ଏହି ସମୟରେ ବେଶ୍‌ ଠେଲାପେଲା ଦେଖିବାକୁ ମିଳିଥିଲା। ଆଉ ସେହି ଠେଲାପେଲା ମଧ୍ୟରେ ଦୁଇ ମହିଳା ଭକ୍ତ ପଡ଼ିଯାଇଥିଲେ। ତେବେ​‌ ମନ୍ଦିର ନିକଟରେ ଥିବା ସ୍ବେଚ୍ଛାସେବୀ ସେମାନଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରିଥିଲେ। ତେବେ ବର୍ତ୍ତମାନ ପୋଲିସ ସ୍ଥିତିକୁ ନିଜ ନିୟନ୍ତ୍ରଣକୁ ନେଇଛି। ସିଂହଦ୍ଵାର ଦେଇ ଭକ୍ତମାନେ ମନ୍ଦିର ଭିତରକୁ ପ୍ରବେଶ କରୁଛନ୍ତି।

ସୂଚନାଯୋଗ୍ୟ, ପଞ୍ଚୁକରେ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତି ଆରମ୍ଭ ହୋଇଥିବା ବେଳେ ପୁରୀରେ ଦେଖିବାକୁ ମିଳିଛି ଅସମ୍ଭାଳ ଭିଡ଼। ସିଂହଦ୍ବାରଠାରୁ ମାର୍କେଟ ଛକ ଯାଏ ଭକ୍ତଙ୍କ ଧାଡ଼ି ଦେଖିବାକୁ ମିଳିଛି। ରାଜ୍ୟ ତଥା ରାଜ୍ୟ ବାହାରୁ ଶ୍ରୀକ୍ଷେତ୍ରକୁ ଆସିଛନ୍ତି ହଜାର ହଜାର ଶ୍ରଦ୍ଧାଳୁ। ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି। ମାର୍କେଟ ଛକ ଠାରୁ ଛାୟା ବ୍ୟାରିକେଡ଼ ବ୍ୟବସ୍ଥା ହୋଇଛି। ସିଂହଦ୍ବାରରେ ପ୍ରବେଶ କରି ଅନ୍ୟ ୩ ଦ୍ବାରରେ ପ୍ରସ୍ଥାନ କରୁଛନ୍ତି ଶ୍ରଦ୍ଧାଳୁ। ବିଭିନ୍ନ ସ୍ଥାନରେ ୩୨ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି। ସେହିଭଳି ଶୃଙ୍ଖଳିତ ଦର୍ଶନ ଓ ଭିଡ଼ ନିୟନ୍ତ୍ରଣ ପାଇଁ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ସୁରକ୍ଷା ଦାୟିତ୍ବରେ ନିୟୋଜିତ କରାଯାଇଛି।

aduser

About Author

LOKA SAMACHAR @2026. All Rights Reserved || Developed By CBSPL