ଓଡ଼ିଶା

କାର୍ତ୍ତିକ ମାସ ପରେ ଧାଡ଼ି ଦର୍ଶନ ଓ ଗଣତି ମଣତି: ଆଇନ ମନ୍ତ୍ରୀ

ଭୁବନେଶ୍ବର: ରତ୍ନଭଣ୍ଡାର ଭିତରେ ହେବ ଗଣତି ମଣତି। ଏନେଇ ଖୁବ ଶୀଘ୍ର ଆସିବ ଏସଓପି। ଏନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ।

ସେ କହିଛନ୍ତି, ଶ୍ରୀକ୍ଷେତ୍ରର ବିକାଶ ପାଇଁ ସମୀକ୍ଷା ହୋଇଛି। କାମ ଆରମ୍ଭ ହୋଇଛି। ଆଗାମୀ ୧୧ ତାରିଖରେ ଶ୍ରୀମନ୍ଦିର ବିକାଶ ନେଇ ସମୀକ୍ଷା ବୈଠକ ହେବ। କାର୍ତ୍ତିକ ମାସ ପରେ ଧାଡ଼ି ଦର୍ଶନ ଓ ଗଣତି ମଣତି ହେବ। ଶୃଙ୍ଖଳିତ ଦର୍ଶନ ହେଲେ କୌଣସି ଅସୁବିଧା ହେବ ନାହିଁ। ଭକ୍ତଙ୍କୁ ଅନୁରୋଧ ଦର୍ଶନ ସମୟରେ ତରବର ନହୋଇ ମନ୍ଦିର ପ୍ରଶାସନ ପକ୍ଷରୁ ଯାହା ବ୍ୟବସ୍ଥା ହୋଇଛି ସହଯୋଗ କରନ୍ତୁ।

ଗତ  ସେପ୍ଟେମ୍ବର ମାସରେ ସଂରକ୍ଷଣ ତଥା ମରାମତି ପରେ ନୂଆ ରୂପ ପାଇଥିବା ଶ୍ରୀମନ୍ଦିର ରତ୍ନଭଣ୍ଡାରକୁ ସମସ୍ତ ବହୁମୂଲ୍ୟ ଅଳଙ୍କାର ତଥା ସାମଗ୍ରୀ ସ୍ଥାୟୀ ଭାବରେ ନିଆଯାଇଥିଲା। ପୂର୍ବରୁ ଧାର୍ଯ୍ୟ ହୋଇଥିବା ଶୁଭବେଳା, ପୂର୍ବାହ୍‌ଣ ୧୦ଟା ୫୫ ମିନିଟରେ ଏହି କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଠିକ୍ ଅପରାହ୍‌ଣ ୨–ଟା ୫୫ ମିନିଟ୍ ସମୟରେ ଶେଷ ହୋଇଥିଲା l ୪ ଘଣ୍ଟାରେ ସ୍ଥାନାନ୍ତର ପ୍ରକ୍ରିୟା ଶେଷ ହୋଇଥିଲା। ଏହା ପରେ ଶ୍ରୀମନ୍ଦିର ଶୋଧ ହୋଇ ସର୍ବସାଧାରଣଙ୍କ ପାଇଁ ଦର୍ଶନ ଆରମ୍ଭ ହୋଇଥିବା ସୂଚନା ଦେଇଥିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ।

ଅନ୍ୟପଟେ ଜଷ୍ଟିସ୍‌ ବିଶ୍ବନାଥ ରଥଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଥିବା କମିଟିର ଦୁଇ ଜଣ ସଦସ୍ୟ ସ୍ଥାନାନ୍ତର ପ୍ରକ୍ରିୟାରେ ରହିବା ପାଇଁ ସ୍ଥିର ହୋଇଥିଲା। ଏଥିରେ ଅଧ୍ୟକ୍ଷ ଜଷ୍ଟିସ୍‌ ରଥ ଓ ସଦସ୍ୟ ବିଶ୍ବପ୍ରସିଦ୍ଧ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ସାମିଲ ପାଇଁ ଚିଠି ହୋଇଥିଲା। କିନ୍ତୁ ଦଳରେ କେବଳ ଜଷ୍ଟିସ୍‌ ରଥ ହିଁ ସାମିଲ ହୋଇଥିଲେ। ସୁଦର୍ଶନ ପଟ୍ଟନାୟକ ସାମିଲ୍‌ ନହେବା ନେଇ ତାଙ୍କୁ ଗଣମାଧ୍ୟମ ପଚାରିବାରୁ ସେ ଅସନ୍ତୋଷ ପ୍ରକାଶ କରିଥିଲେ ଓ ହାଇପାୱାର କମିଟି ବୈଠକ ବସିଲେ ସେଠାରେ ସେ ଏହାକୁ ଉପସ୍ଥାପନ କରିବେ ବୋଲି କହିଥିଲେ।

ଉଲ୍ଲେଖଯୋଗ୍ୟ, ଗତବର୍ଷ ରଥଯାତ୍ରା ସମୟରେ ରତ୍ନଭଣ୍ଡାର ମରାମତି ପାଇଁ ଅଳଙ୍କାର ଅସ୍ଥାୟୀ ଭଣ୍ଡାରକୁ ସ୍ଥାନାନ୍ତର ହୋଇଥିଲା। ଚଳିତ ଜୁଲାଇ ୭ ତାରିଖରେ ଏଏସ୍ଆଇ ପକ୍ଷରୁ ରତ୍ନଭଣ୍ଡାର ମରାମତି ଶେଷ ହୋଇଥିଲା। ଆଜି ହୋଇଥିବା ସ୍ଥାନାନ୍ତର ପୂର୍ବରୁ ଅର୍ଥାତ୍‌ ଗତ ୧୯ ତାରିଖରେ ରତ୍ନଭଣ୍ଡାରକୁ ସଂସ୍କାର କରାଯାଇଥିଲା।

ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିରର ରତ୍ନଭଣ୍ଡାର ମରାମତି କାମ ସଂପୂର୍ଣ୍ଣ ହୋଇଛି। ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଶେଷ ହୋଇଥିବାରୁ ମହାପ୍ରଭୁଙ୍କ ରତ୍ନଭଣ୍ଡାରରେ ଥିବା ଅଳଙ୍କାର ଗଣତି ମଣତି ପ୍ରକ୍ରିୟା ଖୁବ ଶୀଘ୍ର ଆରମ୍ଭ ହେବ। ଏହି କାମ ଚଳିତ ମାସରେ କରାଯିବା ପାଇଁ ଚେଷ୍ଟା କରାଯାଉଛି। ଅକ୍ଟୋବର ମଧ୍ୟରେ ଗଣତି ମଣତି ଓ ହୁଣ୍ଡି ସ୍ଥାନାନ୍ତରଣ କାମ ଶେଷ ହେବ ବୋଲି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଗଣମାଧ୍ୟମକୁ ସୂଚନା ଦେଇଥିଲେ।

aduser

About Author

LOKA SAMACHAR @2026. All Rights Reserved || Developed By CBSPL