ଜାତୀୟ

ଭାରତ ଉପରେ ୫୦% ଟାରିଫ ଲାଗୁ କଲା ମେକ୍ସିକୋ

ନୂଆଦିଲ୍ଲୀ: ଆମେରିକା ପରେ ଭାରତ ଉପରେ ୫୦% ପର୍ଯ୍ୟନ୍ତ ଶୁଳ୍କ ବୃଦ୍ଧି କରିଛି ମେକ୍ସିକୋ। ଆସନ୍ତା ୨୦୨୬ରୁ ଏହି ନୂଆ ବର୍ଦ୍ଧିତ ଶୁଳ୍କ ଲାଗୁ ହେବ। ଭାରତରୁ ଆମଦାନୀ ହେଉଥିବା ବିଭିନ୍ନ ସାମଗ୍ରୀ ବା ଉତ୍ପାଦ ଉପରେ ଶୁଳ୍କ ଲାଗୁ ହେବ। ଭାରତ ସମେତ ଚୀନ ଏବଂ ଅନ୍ୟାନ୍ୟ ଏସୀୟ ରାଷ୍ଟ୍ରଗୁଡ଼ିକ ଉପରେ ମେକ୍ସିକୋ ସରକାର ଏହି ଶୁଳ୍କ ଲାଗୁ କରିଛନ୍ତି।

ଗତ ବୁଧବାର ସିନେଟରେ ଏ ସଂକ୍ରାନ୍ତ ବିଲ୍‌ ପାସ୍ ହୋଇଛି। ବିଲ୍‌ ସପକ୍ଷରେ ୭୬ଟି ଭୋଟ ମିଳିଥିବାବେଳେ ୫ଟି ବିରୋଧରେ ଏବଂ ୩୫ ସଦସ୍ୟ ଭୋଟଦାନରୁ ବିରତ ରହିଥିଲେ। ମେକ୍ସିକୋ ସହିତ ଯେଉଁ ଦେଶଗୁଡ଼ିକର ବାଣିଜ୍ୟିକ ରାଜିନାମା ହୋଇ ନ ଥିବ ସେହିସବୁ ଦେଶ ଏହି ଶୁଳ୍କ ବୋଝ ମୁଣ୍ଡାଇବେ। ପ୍ରାୟ ୧୪୦୦ ଉତ୍ପାଦ ଉପରେ ଶୁଳ୍କ ଲାଗୁ ହେବ।

ଶୁଳ୍କ ଲାଗୁ ହେବାକୁ ଥିବା ସାମଗ୍ରୀଗୁଡ଼ିକ ମଧ୍ୟରେ ଗାଡ଼ିମୋଟର ଯନ୍ତ୍ରାଂଶ, ହାଲୁକା ଯାନ, ବସ୍ତ୍ର, ପ୍ଲାଷ୍ଟିକ ଉତ୍ପାଦ, ଷ୍ଟିଲ, ଘରୋଇ ଉପକରଣ, ଖେଳଣା, ଟେକ୍ସଟାଇଲ୍ସ, ଫର୍ନିଚର, ଜୋତା, ଚମଡ଼ା ଉତ୍ପାଦ, ପେପର ଏବଂ କାର୍ଡବୋର୍ଡ, ମୋଟରସାଇକେଲ, ଆଲୁମିନିଅମ, ଟ୍ରେଲରସ୍‌, ଗ୍ଲାସ, ସାବୁନ, ପରଫ୍ୟୁମ ଏବଂ କସମେଟିକ୍ସ ଉତ୍ପାଦ ପ୍ରମୁଖ ରହିଛି।

ଅଧିକାଂଶ ସାଗମ୍ରୀ ଉପରେ ୩୫% ପର୍ଯ୍ୟନ୍ତ ଶୁଳ୍କ ଲାଗୁ ହୋଇଥିବାବେଳେ ଯାତ୍ରୀବାହୀ ଯାନ ସମେତ ଅନ୍ୟ କେତେକ ସାମଗ୍ରୀ ଉପରେ ୫୦% ପର୍ଯ୍ୟନ୍ତ ଶୁଳ୍କ ଲାଗୁ ହେବ।

ମେକ୍ସିକୋ ସରକାର ବିଲ୍‌ ଉପସ୍ଥାପନ ସମୟରେ ଯୁକ୍ତି ବାଢ଼ି କହିଛନ୍ତି ଯେ, ସ୍ଥାନୀୟ ଯୁବପିଢ଼ିଙ୍କ ରୋଜଗାର ଏବଂ ଉତ୍ପାଦନକାରୀ କମ୍ପାନୀଗୁଡ଼ିକୁ ସୁରକ୍ଷିତ ରଖିବା ଲାଗି ଏହି ପଦକ୍ଷେପ ନିଆଯାଇଛି। ଏହା ଦେଶରେ ଉତ୍ପାଦିତ ସାମଗ୍ରୀଗୁଡ଼ିକୁ ବିଶ୍ଵସ୍ତରରେ ପହଞ୍ଚାଇବା ଦିଗରେ ସହାୟକ ହେବ।

aduser

About Author

LOKA SAMACHAR @2026. All Rights Reserved || Developed By CBSPL