ଓଡ଼ିଶା

ଜଙ୍ଗଲରୁ ଠାବ ହେଲେ ହଷ୍ଟେଲରୁ ନିଖୋଜ ୨୦ ଅନ୍ତେବାସୀ

ଭୁବନେଶ୍ବର: କୋରାପୁଟ ଜିଲ୍ଲାର ଲଙ୍କାପୁଟ ପ୍ରାଥମିକ ବିଦ୍ୟାଳୟର ୨୦ ଜଣ ହଷ୍ଟେଲ ଅନ୍ତେବାସୀ ସୋମବାର ସକାଳେ ନିଖୋଜ ହେବା ପରେ ଆତଙ୍କ ଖେଳିଯାଇଥିଲା।

ସ୍କୁଲ ପରିସର ଏବଂ ହଷ୍ଟେଲରେ ସମ୍ପୂର୍ଣ୍ଣ ଖୋଜାଖୋଜି କରିବା ପରେ କୌଣସି ଫଳାଫଳ ମିଳିନଥିଲା। ଯାହା ଫଳରେ କର୍ମଚାରୀମାନେ ଅଭିଭାବକମାନଙ୍କୁ ସୂଚନା ଦେବାପରେ ସେମାନେ ସ୍କୁଲରେ ପହଞ୍ଚିଥିଲେ। ପ୍ରାୟ ତିନି ଘଣ୍ଟା ଖୋଜାଖୋଜି କରିବା ପରେ ଶେଷରେ ଛାତ୍ରମାନଙ୍କୁ କୋଲାବ ଜଳଭଣ୍ଡାର ନିକଟବର୍ତ୍ତୀ ପ୍ରାୟ ୫ କିଲୋମିଟର ଦୂର ପଣ୍ଡି ଜଙ୍ଗଲରେ ଠାବ କରାଯାଇଥିଲା। ପରେ ସୁରକ୍ଷିତ ଭାବରେ ସେମାନଙ୍କୁ ହଷ୍ଟେଲକୁ ଫେରାଇ ଅଣାଯାଇଥିଲା।

କୋରାପୁଟ ବ୍ଲକ ଉନ୍ନୟନ ଅଧିକାରୀ ଦେବାଶିଷ ଗୌଡା, ଶିକ୍ଷା ବିଭାଗର ଅଧିକାରୀ ଏବଂ କର୍ତ୍ତୃପକ୍ଷଙ୍କ ଏହି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।  ଛାତ୍ରମାନେ କିପରି ହଷ୍ଟେଲ ଛାଡି ପଳାଇଲେ ସେନେଇ ଜୋରଦାର ଖୋଳତାଡ କରାଯାଉଛି। ସେହିପରି କର୍ତ୍ତୃପକ୍ଷ ପିଲାଙ୍କ ସହ ଆଲୋଚନା କରିଥିବା ବେଳେ ପିଲାମାନଙ୍କୁ କିଭଳି ସୁରକ୍ଷିତ ଭାବେ ରଖାଯିବ ସେଥିପ୍ରତି ଅଧିକ ନିରୀକ୍ଷଣ କରାଯିବ ବୋଲି କହିଛନ୍ତି ଗୋଷ୍ଠୀ ଉନ୍ନୟନ ଅଧିକାରୀ।

ତେବେ ଉକ୍ତ ସ୍କୁଲ ହଷ୍ଟେଲରେ ବର୍ତ୍ତମାନ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଅତି କମରେ ୪୦ ଜଣ ଛାତ୍ର ରହୁଛନ୍ତି।

aduser

About Author

LOKA SAMACHAR @2026. All Rights Reserved || Developed By CBSPL