ଓଡ଼ିଶା

ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ଆବେଦନ ଖାରଜ

ଭୁବନେଶ୍ୱର: ଭୁବନେଶ୍ଵର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ଆବେଦନ ସୁପ୍ରିମକୋର୍ଟ ଖାରଜ କରିଛନ୍ତି। ବିଧାୟକ ଶ୍ରୀ ଜେନାଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିବା ସହ ପୁନଃ ଗଣତି ଓ ସାନି ନିର୍ବାଚନ କରିବା ପାଇଁ ପରାଜିତ ବିଜେପି ପ୍ରାର୍ଥୀ ଶ୍ରୀ ଜଗନ୍ନାଥ ପ୍ରଧାନ ଓ ତାଙ୍କର ପ୍ରସ୍ତାବକ ଶ୍ରୀ ଗୋରାଚନ୍ଦ ମଙ୍ଗରାଜ ଦୁଇଟି ପୃଥକ ନିର୍ବାଚନ ମାମଲା ଓଡିଶା ହାଇକୋର୍ଟରେ ଦାଖଲ କରିଛନ୍ତି। ସେହି ଦୁଇଟି ନିର୍ବାଚନ ମାମଲାକୁ ବିନା ଶୁଣାଣିରେ ଖାରଜ କରିବା ପାଇଁ ଶ୍ରୀ ଜେନା ହାଇକୋର୍ଟରେ ଦୁଇଟି ଅନ୍ତରୀଣ ଦରଖାସ୍ତ କରିଥିଲେ। ଯାହାକୁ ଓଡିଶା ହାଇକୋର୍ଟ ଖାରଜ କରି ମୂଳ ନିର୍ବାଚନ ମାମଲା ଶୁଣାଣି ନିମନ୍ତେ ଆଦେଶ ଦେଇଥିଲେ।

ଓଡିଶା ହାଇକୋର୍ଟଙ୍କ ଉକ୍ତ ଆଦେଶକୁ ଚାଲେଞ୍ଜ କରି ବିଧାୟକ ଶ୍ରୀ ଜେନା ସୁପ୍ରିମ କୋର୍ଟରେ ଦୁଇଟି ଆବେଦନ ଏସ୍‌ଏଲ୍‌ପି କରିଥିଲେ। ଆଜି ସୁପ୍ରିମ କୋର୍ଟର ମୁଖ୍ୟ ବିଚାରପତିଙ୍କ ଖଣ୍ଡପୀଠ ଉକ୍ତ ମାମଲାର ବିଚାର କରି ଓଡିଶା ହାଇକୋର୍ଟଙ୍କ ରାୟକୁ କାଏମ ରଖିବା ସହ ବିଧାୟକ ଶ୍ରୀ ଜେନାଙ୍କ ଆବେଦନକୁ ଖାରଜ କରିଛନ୍ତି। ଫଳରେ ବିଧାୟକ ଶ୍ରୀ ଜେନାଙ୍କ ବିରୁଦ୍ଧରେ କରାଯାଇଥିବା ମୂଳ ନିର୍ବାଚନ ମାମଲା ଦୁଇଟିର ବିଚାର ଓଡିଶା ହାଇକୋର୍ଟରେ ଚାଲିବ।

ଅନ୍ୟପକ୍ଷରେ ଆଜି ଓଡିଶା ହାଇକୋର୍ଟର ବିଚାରପତି ଶ୍ରୀ ଆନନ୍ଦ ଚନ୍ଦ୍ର ବେହେରା ମୂଳ ନିର୍ବାଚନ ମାମଲା ରେ ଡ୍ରାଫ୍ଟ ଇସୁ କରିବା ସହ ସାକ୍ଷୀ ମାନଙ୍କ ତାଲିକା ଓ ଦସ୍ତାବିଜ ତାଲିକା ଦାଖଲ ପାଇଁ ଉଭୟ ପକ୍ଷ ଙ୍କୁ ନିର୍ଦେଶ ଦେବା ସହ ମୂଳ ନିର୍ବାଚନ ମାମଲା ଦୁଇଟିର ଶୁଣାଣି ପାଇଁ ଆସନ୍ତା ୧୦ ତାରିଖକୁ ଦିନ ଧାର୍ଯ୍ୟ କରିଛନ୍ତି।

aduser

About Author

LOKA SAMACHAR @2026. All Rights Reserved || Developed By CBSPL