ଓଡ଼ିଶା

ନୂଆପଡ଼ାରେ ନିର୍ବାଚନ ପ୍ରଚାର କଲେ ମୁଖ୍ୟମନ୍ତ୍ରୀ

ନୂଆପଡ଼ା: ନୂଆପଡ଼ା ବିଧାନସଭା ଉପନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଅପରାହ୍‌ଣରେ ପ୍ରଚାର କରିଛନ୍ତି। ମୁଖ୍ୟମନ୍ତ୍ରୀ କୋମନାରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କ ପାଇଁ ପ୍ରଚାର କରିଛନ୍ତି। ଏହି ଅବସରରେ ସେ ଏକ ରୋଡ୍‌‌ ସୋ’ କରିଛନ୍ତି। ରୋଡ୍‌ ସୋ’ରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ବିଜେପି ସଭାପତି ମନମୋହନ ସାମଲ, କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ଉପସ୍ଥିତ ଅଛନ୍ତି। ସେହିପରି ନର୍ବାଚନ ପ୍ରଚାର ପାଇଁ ହଜାର ହଜାର ବିଜେପି ସମର୍ଥକ ଓ କର୍ମୀଙ୍କ ଭିଡ଼ ରହିଛି। ଗୁରୁବାର ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏ ନୂଆପଡ଼ା ବ୍ଲକ୍‌ରେ ବିଜେପି ପ୍ର‌ାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି। ଉଭୟ ମୋହନ ଓ ବିଷ୍ଣୁଦେଓଙ୍କ ସଭା ସଫଳ କରିବାକୁ ବିଜେପି ନେତାମାନେ ଲାଗି ପଡିଛନ୍ତି।
ବର୍ତ୍ତମାନ କୋମନା ବ୍ଲକ୍‌ ପାଇଁ ତିନିଟି ଯାକ ଦଳ ସ୍ବତନ୍ତ୍ର ରଣନୀତି କରି ଫୋକସ୍ କରୁଛନ୍ତି। ନୂଆପଡ଼ା ନିର୍ବାଚନମଣ୍ଡଳୀ ଅଧୀନରେ ଥିବା ଦୁଇଟି ବ୍ଲକ୍ ଓ ଦୁଇଟି ଏନ୍‌ଏସି ମଧ୍ୟରେ କୋମନାରେ ସର୍ବାଧିକ ଭୋଟର୍‌ ରହିଛନ୍ତି। ଏହି ବ୍ଲକ୍‌ ହିଁ ନିର୍ବାଚନୀ ଫଳାଫଳକୁ ସର୍ବାଧିକ ପ୍ରଭାବିତ କରିବ। ପୂର୍ବ ନିର୍ବାଚନରେ ବିଜେଡି ଏଠାରୁ ଅଧିକ ଭୋଟ୍‌ ପାଇଥିଲା ଓ ସେବେ ସ୍ବାଧୀନ ପ୍ରାର୍ଥୀ ଘାସିରାମ ମାଝୀ (ବର୍ତ୍ତମାନର କଂଗ୍ରେସ ପ୍ରାର୍ଥୀ) ଦ୍ବିତୀୟ ସ୍ଥାନରେ ଥିଲେ। ତାଙ୍କର ଏଠାରେ ସ୍ବତନ୍ତ୍ର ଭୋଟ୍‌ ବ୍ୟାଙ୍କ ରହିଛି। କିନ୍ତୁ ଏହି ବ୍ଲକ୍‌ରେ ଗତ ନିର୍ବାଚନର ସ୍ଥିତି ନାହିଁ। ପୂର୍ବ ନିର୍ବାଚନର ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଏବେ ବିଜେପି ପ୍ରାର୍ଥୀ। ତେଣୁ ଏଠାରେ ମତଦାନକୁ ନେଇ ଆକଳନ କରିବା ମୁସ୍କିଲ୍‌। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଗସ୍ତ ପରେ ପୁରୁଣା ବିଜେଡି ଭୋଟକୁ ବାନ୍ଧି ରଖିବା ପାଇଁ ନେତାମାନେ ଜୋରଦାର ଚେଷ୍ଟା କରୁଛନ୍ତି। ତେବେ ବିଜେପିକୁ ଅଧିକ ବଳ ‌ଦେବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଏଠାରେ ସଭା ଓ ରୋଡ୍‌ ସୋ’ କରିଛନ୍ତି।
ଉପନିର୍ବ‌ାଚନକୁ ବିଜେଡି ସମ୍ମାନ ଭାବେ ନେଇଛି। ଏଣୁ ୭ ତାରିଖରେ ଦ୍ବିତୀୟଥର ପାଇଁ ନବୀନ ନୂଆପଡ଼ାକୁ ଆସି ପ୍ରଚାର କରିବେ। ଏହା ସହ ଖରିଆର୍‌ ରୋଡ୍‌ ଓ ନୂଆପଡ଼ା ଏନ୍‌ଏସିରେ ରୋଡ୍‌ ସୋ କରିବାର କାର୍ଯ୍ୟକ୍ରମ ରହିଛି। ଏଥି ପାଇଁ ବିଜେଡି ନେତାମାନେ ଘନ ଘନ ପ୍ରସ୍ତୁତି ବୈଠକ ଚଳାଇଛନ୍ତି। ପ୍ରାର୍ଥିପତ୍ର ଦାଖଲ ପରେ ଏ ଯାଏଁ ବିଜେପିର ବଡ଼ ସଭା ହୋଇନାହିଁ। ଦଳର ୪୦ରୁ ଅଧିକ ବିଧାୟକ ଏଠାରେ ଡେରା ପକାଇଛନ୍ତି। ୮ ମନ୍ତ୍ରୀ ୮ଟି ‌ଜୋନ୍‌ ଦାୟିତ୍ବ ନେଇଥିଲେ ବି ଅନ୍ୟ ମନ୍ତ୍ରୀମାନେ ମଧ୍ୟ ମଝିରେ ମଝିରେ ଆସି ପ୍ରଚାର ଅଭିଯାନରେ ସାମିଲ ହେଉଥିବା ଦେଖିବାକୁ ମିଳୁଛି। ନବୀନଙ୍କ କୋମନା ସଭାଠାରୁ ଯେପରି ଅଧିକ ଲୋକ ଯୋଗଦେବେ, ତା’ଉପରେ ଜୋର ଦିଆଯାଉଛି। କଂଗ୍ରେସରେ କୌଣସି ବଡ଼ସଭା ଏ ପର୍ଯ୍ୟନ୍ତ ହୋଇନି।

aduser

About Author

LOKA SAMACHAR @2026. All Rights Reserved || Developed By CBSPL