ଓଡ଼ିଶା

‘ଜୟ କାହିଁକି ଦିଲ୍ଲୀରେ ବିକ୍ରି ହୋଇଗଲେ, ଉତ୍ତର ଦିଅନ୍ତୁ କଳ୍ପନା’

ନୂଆପଡ଼ା: ନବୀନ ପଟ୍ଟନାୟକଙ୍କୁ ସାରା ଓଡ଼ିଶା ପିତୃତୁଲ୍ୟ ସମ୍ମାନ କରେ। ସାଢ଼େ ଚାରିକୋଟି ଓଡ଼ିଶାବାସୀଙ୍କୁ ସେ ନିଜର ପରିବାର ମାନନ୍ତି। କିନ୍ତୁ ନୂଆପଡ଼ା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଏବଂ ତାଙ୍କ ମା’ ଯେପରି ଭାବେ ମିଥ୍ୟା ଆକ୍ଷେପ କରୁଛନ୍ତି ତାହା ସାରା ରାଜ୍ୟକୁ ଚକିତ କରିଛି। କ୍ଷମତା ଲୋଭରେ ଅନ୍ଧ ପାଲଟି ଯାଇଥିବା ବିଜେପି ଏତେ ତଳକୁ ଖସିବ, ତାହା ଆମେ କେବେ କଳ୍ପନା କରି ନଥିଲୁ। ଯେତେ ନିନ୍ଦା କଲେ ମଧ୍ୟ କମ୍ ହେବ ବୋଲି ବିଜେଡିର ମହିଳା ନେତ୍ରୀମାନେ କହିଛନ୍ତି।
ବୁଧବାର ତେଲିପଡ଼ା ବିଜେଡି ଅଫିସ୍‌ରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ଟୁକୁନି ସାହୁ, ବିଧାୟିକା ବର୍ଷା ସିଂବରିହା, ପୂର୍ବତନ ବିଧାୟିକା ଦୀପାଳି ଦାସ ଓ ପୂର୍ବତନ ବିଧାୟିକା ଅଳକା ମହାନ୍ତି ଏହାକୁ ବିଜେପି ପ୍ରରୋଚିତ ମନ୍ତବ୍ୟ ଆଖ୍ୟା ଦେଇ ତୀବ୍ର ସମାଲୋଚନା କରିଛନ୍ତି। ଶ୍ରୀମତୀ ସାହୁ କହିଥିଲେ, ପୂର୍ବତନ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆଙ୍କୁ ବିଜେଡି ଓ ନବୀନବାବୁ ଅବହେଳା କରିଥିଲେ ବୋଲି ତାଙ୍କ ପରିବାର ସଦସ୍ୟ ଯେଉଁ ଅଭିଯୋଗ ଆଣିଛନ୍ତି ତାହାକୁ ଯେତେ ନିନ୍ଦା କଲେ ବି କମ୍ ହେବ। ନୂଆପଡ଼ା ଉପନିର୍ବାଚନରେ ଜୟ ଢୋଲକିଆଙ୍କୁ ପ୍ରାର୍ଥୀ କରିବା ପାଇଁ ମଧ୍ୟ ନବୀନ ବାବୁ ପ୍ରସ୍ତାବ ଦେଇଥିଲେ। କିନ୍ତୁ ଜୟ ଦିଲ୍ଲୀ ଯାଇ ବିକ୍ରି ହୋଇଗଲେ। ନବୀନ ବାବୁଙ୍କ ଉପରକୁ ଆଙ୍ଗୁଳି ଉଠାଇବା ପୂର୍ବରୁ ନିଜ ପୁଅର ଏହି ବିଶ୍ୱାସଘାତକତା ଉପରେ କଳ୍ପନା ଢୋଲକିଆ ଉତ୍ତର ରଖିବା ଆବଶ୍ୟକ। ଜୟ ନିଜକୁ ସ୍ୱର୍ଗତ ରାଜୁ ଭାଇଙ୍କ କୁପୁତ୍ର ଭାବେ ପ୍ରମାଣିତ କରିଛନ୍ତି। ନୂଆପଡ଼ାରେ ସମସ୍ତେ ନବୀନ ବାବୁଙ୍କୁ ଅପେକ୍ଷା କରିଥିଲେ। ନବୀନବାବୁ ଆସିବା ପରେ ନୂଆପଡ଼ାରେ ବିଜେଡି ସପକ୍ଷରେ ମତ ଆହୁରି ମଜଭୁତ ହୋଇଛି। ଏଥିରେ ବିଜେପି ଅତ୍ୟନ୍ତ ଭୟଭୀତ ହୋଇପଡ଼ିଛି। ସେଥିପାଇଁ ନୈତିକତାର ସବୁ ସୀମା ଟପିଯାଇ ରାଜୁଭାଇଙ୍କ ପରିବାର ଲୋକଙ୍କ ମୁହଁରେ ମିଛ କୁହାଉଛନ୍ତି। ନୂଆପଡ଼ାବାସୀ ବିଜେପିର ହୀନ ରାଜନୀତିକୁ କେବେ ବରଦାସ୍ତ କରିବେ ନାହିଁ। ପୂର୍ବତନ ବିଧାୟିକା ଦୀପାଳି ଦାସ କହିଲେ, ନବୀନବାବୁ ନୂଆପଡ଼ା ଗସ୍ତ କରିବା ପରେ ପରିସ୍ଥିତି ପୂରା ବଦଳି ଯାଇଛି। ଆସନ୍ନ ପରାଜୟକୁ ନେଇ ବିଜେପି ଅତ୍ୟନ୍ତ ଭୟଭୀତ ହୋଇପଡ଼ିଛି। ଜୟ ଢୋଲକିଆଙ୍କ ବିବାହ ଉତ୍ସବରେ ନବୀନ ବାବୁ ଯୋଗ ଦେଇଥିଲେ, ଆଉ ରାଜୁଭାଇଙ୍କ ଚିକିତ୍ସିତ ହେବାଠାରୁ ଅନ୍ତ୍ୟେଷ୍ଟିକ୍ରିୟା ପର୍ଯ୍ୟନ୍ତ ଢୋଲକିଆ ପରିବାର ସହ ଥିଲେ।

aduser

About Author

Leave a Reply

Your email address will not be published. Required fields are marked *

LOKA SAMACHAR @2026. All Rights Reserved || Developed By CBSPL