ଓଡ଼ିଶା କ୍ରୀଡା

ଓଡ଼ିଶାର ଶୋଚନୀୟ ଇନିଂସ ପରାଜୟ

ବାରବାଟୀରେ ଓଡ଼ିଶା ଶୋଚନୀୟ ଇନିଂସ ପରାଜୟର ସାମ୍ନା କରିଛି `। ମ୍ୟାଚ୍‌ ଡ୍ର ରଖିବାକୁ ଓଡ଼ିଶା ରଣଜୀ ଟିମ ବହୁତ ଚେଷ୍ଟା କଲା। ତଥାପି ଆନ୍ଧ୍ର ପ୍ରଦେଶର ପ୍ରଥମ ଇନିଂସ ସ୍କୋର ଠାରୁ ୫୦ ରନ ପଛରେ ରହିଗଲା। ଦୁଇଟି ଯାକ ଇନିଂସରେ ବ୍ୟାଟିଂ କରି ମଧ୍ୟ ଓଡ଼ିଶାର ଖେଳାଳିମାନେ ଆନ୍ଧ୍ର ପ୍ରଦେଶର ପ୍ରଥମ ଇନିଂସ ସ୍କୋର ୪୭୫କୁ ଛୁଇଁବାକୁ ସକ୍ଷମ ହୋଇନାହାନ୍ତି। ଆନ୍ଧ୍ର ପ୍ରଦେଶ ବାରବାଟୀରେ ଗୋଟିଏ ଇନିଂସ ଓ ୫୦ ରନରେ ମ୍ୟାଚ୍‌ ଜିତି ନିଜର ଦବଦବା ଦେଖାଇଛି।
ହେଲେ ଓଡ଼ିଶା ଟିମ ପୁଣି ବାରବାଟୀରେ ମାଡ଼ି କାମୁଡ଼ିଛି। ଦଳରେ ଅନେକ ତଥାକଥିତ ଷ୍ଟାର ଖେଳାଳି ରହିଥିଲେ ହେଁ ବ୍ୟାଟିଂ ଓ ବୋଲିଂରେ ଫେଲ ମାରି ଚାଲିଛନ୍ତି। ତଥାପି ସେମାନଙ୍କୁ ଓଡ଼ିଶା କ୍ରିକେଟ ଆସୋସିଏସନ ବାରମ୍ବାର ଦଳରେ ରଖି ଚାଲିଛି।
ଆନ୍ଧ୍ର ପ୍ରଦେଶ ପୂର୍ବରୁ ଚଳିତ ରଣଜୀ ଋତୁର ପ୍ରଥମ ମ୍ୟାଚରେ ଦଳ ବରୋଦା ଠାରୁ ୭ ୱିକେଟରେ ବାରବାଟୀରେ ହାରିଥିଲା। ସେହିପରି ଦ୍ୱିତୀୟ ମ୍ୟାଚ୍‌ରେ ଓଡ଼ିଶାର ମୁକାବିଲା ଉତ୍ତର ପ୍ରଦେଶ ସହ ହୋଇଥିଲା। ଏହି ମ୍ୟାଚ୍‌ ଡ୍ର ରହିଥିଲେ ହେଁ ଉତ୍ତର ପ୍ରଦେଶ ପ୍ରଥମ ଇନିଂସର ଅଗ୍ରଣୀ ଭିତ୍ତିରେ ୩ ପଏଣ୍ଟ ଓ ଓଡ଼ିଶା ୧ ପଏଣ୍ଟ ପାଇଥିଲା। ଏବେ ଆନ୍ଧ୍ର ପ୍ରଦେଶ ଇନିଂସ ବିଜୟ ହାସଲ ସହ ୭ ପଏଣ୍ଟ ପାଇଛି।
ଆନ୍ଧ୍ର ବିପକ୍ଷ ମ୍ୟାଚ୍‌ କଥା ବିଚାରକୁ ନେଲେ ପ୍ରଥମେ ବ୍ୟାଟିଂ କରୁଥିବା ଭ୍ରମଣକାରୀ ଦଳ ପ୍ରଥମେ ଓଡ଼ିଶା ବୋଲରଙ୍କ ଧୂଲେଇ କରିଥିଲା। ଶେକ ରଶିଦଙ୍କ ଅପରାଜିତ ୧୪୦ ରନ, ଶ୍ରୀକର ଭରତଙ୍କ ୯୩, ଅଭିଷେକ ରେଡ୍ଡୀଙ୍କ ୭୬, କେଭି ଶଶିକାନ୍ତଙ୍କ ୪୬ ଓ ସୌରଭ କୁମାରଙ୍କ ଅପରାଜିତ ୬୯ ରନ ବଳରେ ୭ ୱିକେଟ ହରାଇ ୪୭୫ ରନ କରିବା ପରେ ପାଳି ଘୋଷଣା କରିଥିଲା।
ବୋଲର ସମସ୍ତଙ୍କୁ ନିରାଶ କରିଥିବା ବେଳେ ବ୍ୟାଟର କିଛି କରିବେ ବୋଲି ଆଶା କରାଯାଉଥିଲା। ହେଲେ ବୋଲରଙ୍କ ତୁଳନାରେ ବ୍ୟାଟର ଆହୁରି ନିରାଶ କରିଥିଲେ। ଓଡ଼ିଶା ଟିମ କେବଳ ୫୬.୪ ଓଭର ବ୍ୟାଟିଂ କରି ୧୫୧ ରନରେ ଅଲଆଉଟ ହୋଇଯାଇଥିଲା। ଦଳର ପାଇଁ ସନ୍ଦୀପ ପଟ୍ଟନାୟକ ୫୮ ଓ ଗୌରବ ଚୌଧୁରୀ ୪୮ ରନ କରିଥିଲେ।
ଓଡ଼ିଶା ମାତ୍ର ୧୫୧ ରନ୍ କରିବାରୁ ଆନ୍ଧ୍ର ପ୍ରଦେଶ ଫଲୋଅନ୍ ଡାକିଥିଲା। ଫଲୋଅନ ପରେ ଓଡ଼ିଶା ତୃତୀୟ ଦିନରେ ଲଢ଼େଇ କରିବା ସହ ଖେଳ ଶେଷ ବେଳକୁ ୨ ୱିକେଟ ହରାଇ ୧୯୦ ରନ କରି ନେଇଥିଲା। ଲାଗୁଥିଲା ଅତି କମରେ ଓଡ଼ିଶା ପରାଜୟ ଲଜ୍ଜାରୁ ବର୍ତ୍ତିଯିବ। ଓଡ଼ିଶା ୧୩୪ ରନ ପଛରେ ରହିଥିଲା।
ହେଲେ ତୃତୀୟ ଦିନରେ ଦଳ ପୁଣି ସମସ୍ତଙ୍କୁ ନିରାଶ କରିଥିଲା। ନିୟମିତ ୱିକେଟ ହରାଇ ଦଳ ଦ୍ୱିତୀୟ ଇନିଂସରେ ୨୭୪ ରନରେ ଅଲଆଉଟ ହୋଇ ଯାଇଛି। ପ୍ରଥମ ଇନିଂସରେ ୫୮ ରନ କରିଥିବା ସନ୍ଦୀପ ପଟ୍ଟନାୟକ ଦ୍ୱିତୀୟ ଇନିଂସରେ ୬୩ ରନ କରିଥିଲେ।
ତେବେ ଗୌରବ ଚୌଧୁରୀ ୮୦ ରନ କରି କିଛି ସମୟ ପାଇଁ ଲଢ଼ିଥିଲେ। ରାଜେଶ ଧୂପର ୩୬ ଶେଷ ଆଡ଼କୁ ପ୍ରୟାସ କରିଥିଲେ ହେଁ ଓଡ଼ିଶାକୁ ପରାଜୟରୁ ରକ୍ଷା କରିପାରି ନଥିଲେ। ଆନ୍ଧ୍ର ପ୍ରଦେଶ ଇନିଂସ ଓ ୫୦ ରନର ମ୍ୟାଚ୍‌ ଜିତି ପୂରା ୭ ପଏଣ୍ଟ ଓଡ଼ିଶା ବିପକ୍ଷ ମ୍ୟାଚ୍‌ରୁ ହାସଲ କରିଛି।

aduser

About Author

LOKA SAMACHAR @2026. All Rights Reserved || Developed By CBSPL