ମୋହନା:ଅତି ଭୀଷଣ ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଲଗାଣ ବର୍ଷା ଜାରି ରହିଛି । ଆଞ୍ଚଳିକ ପାଣିପାଗ କେନ୍ଦ୍ରର ତଥ୍ୟ ଅନୁଯାୟୀ, ବୁଧବାର ସକାଳ ୮ଟା ୩୦ ସୁଦ୍ଧା ଗଜପତି ଜିଲ୍ଲାର ମହେନ୍ଦ୍ରଗଡ଼ରେ ସର୍ବାଧିକ ୨୪୯.୯ ମିଲିମିଟର ବର୍ଷା ରେକର୍ଡ ହୋଇଛି । ଏପଟେ ଗଜପତି ଜିଲ୍ଲା ମୋହନା ଅଞ୍ଚଳର ଗୁଡ଼ୁରୀଗୁଡ଼ା ବ୍ରିଜ୍ର ଗାର୍ଡୱାଲ୍ ନଦୀକୁ ଧସିପଡ଼ିଛି । ଏଥିସହ ବ୍ରିଜ୍କୁ ସଂଯୋଗ କରୁଥିବା ରାସ୍ତାର କିଛି ଅଂଶ ମଧ୍ୟ ଧସିଯାଇଛି । ଏହି ଘଟଣା ପରେ ଆଖପାଖର ତିନିଟି ଗାଁର ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ମାତ୍ର ତିନିବର୍ଷ ତଳେ ଏହି ବ୍ରିଜ୍ଟି ବିଜୁ ସେତୁ ଯୋଜନାରେ ନିର୍ମାଣ କରାଯାଇଥିଲା। ବାତ୍ୟାଜନିତ ବର୍ଷା ଓ ନଦୀରେ ଜଳପ୍ରବାହ ବୃଦ୍ଧି ଯୋଗୁଁ ବ୍ରିଜ୍ର ଗାର୍ଡୱାଲ୍ ସହ ସଂଲଗ୍ନ ରାସ୍ତା ଧସିଯାଇଛି।
ବ୍ରିଜ୍ଟି ଉପରେ ନିର୍ଭର କରୁଥିବା ତିନିଟି ଗାଁର ଲୋକଙ୍କ ଯାତାୟତ ପ୍ରଭାବିତ ହେବା ଆଶଙ୍କା ରହିଛି। ତେଣୁ ତୁରନ୍ତ ଘଟଣାସ୍ଥଳ ଯାଞ୍ଚ କରି କ୍ଷୟକ୍ଷତିର ଆକଳନ କରିବା ସହ ଆବଶ୍ୟକ ମରାମତି ଓ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବାକୁ ଦାବି ହେଉଛି।
ସେହିପରି ଗଜପତି ଜିଲ୍ଲାର ରାୟଗଡ଼ ବ୍ଲକ ଲାଇଲାଇ ଗ୍ରାମ ପଞ୍ଚାୟତର କୁମୁଣ୍ଡା ଗ୍ରାମରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାପଡ଼ିଛି । ଭୀଷଣ ପବନ ଯୋଗୁଁ ଏକ ବିରାଟ ଗଛ ଭାଙ୍ଗି ତିନୋଟି ଘର ଉପରେ ପଡ଼ିବା ଯୋଗୁଁ ବ୍ୟାପକ କ୍ଷତି ହୋଇଛି ।
ଏପଟେ ବାତ୍ୟା ଅର୍ଣ୍ଣବର ପ୍ରଭାବରେ ଗଞ୍ଜାମ ଜିଲ୍ଲା ପାତ୍ରପୁର ଓ ତୁମ୍ବା ମୁଖ୍ୟ ରାସ୍ତାରେ ବିରାଟ ବିରାଟ ଗଛ ପଡ଼ି ରାସ୍ତା ଅବରୋଧ ହୋଇଛି । ପାଖାପାଖି ୨୨ କିଲୋମିଟର ରାସ୍ତା ଭିତରେ ୨୦୦ରୁ ଉର୍ଦ୍ଧ୍ବ ଗଛ ପଡିଥିବା ଯୋଗୁଁ ଯାତାୟତ ବାଧାପ୍ରାପ୍ତ ହୋଇଛି । NDRF ଏବଂ ODRAFସହ ମନୁ ସେନାର ସହଯୋଗରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।




