କର୍ଣ୍ଣାଟକ : ଫ୍ରିଜ୍ ବିସ୍ଫୋରଣରେ ପରିବାରର ୪ ମୃତ । ନିଆଁରୁ ବଞ୍ଚିଗଲେ ୨ଜଣ । ଶରୀରର ୬୦% ଅର୍ଦ୍ଧଦଗ୍ଧ ହୋଇ ଅବସ୍ଥା ଗୁରୁତର ରହିଛି । କର୍ଣ୍ଣାଟକ ବେଲଗାଭି ସେଣ୍ଟ୍ରାଲ୍ ବସଷ୍ଟାଣ୍ଡ ନିକଟ ଚାଭାଟ ଗଲିରେ ଏହି ଅଘଟଣ ଘଟିଛି । ସୂଚନାନୁଯାୟୀ, ଗତକାଲି ରାତିରେ ଘରେ ପରିବାରର ୬ଜଣ ଶୋଇଥିଲେ । ହଠାତ୍ ଏକ ପ୍ରଚଣ୍ଡ ଶବ୍ଦରେ ଥରିଉଠିଲା ଘର । ଏହାପରେ ଚାରିଆଡ଼େ ନିଆଁ ବ୍ୟାପିଯାଇଥିଲା । ଅଗ୍ନିକାଣ୍ଡ ଭିତରେ ଫସିଯାଇଥିଲେ ପୁରା ପରିବାର । ଏହି ଭୟଙ୍କର ଅଗ୍ନିକାଣ୍ଡରେ ୪ ଜଣଙ୍କ ଜୀବନ ଯାଇଥିବା ବେଳେ ଆଉ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ପ୍ରାଥମିକ ତଦନ୍ତରୁ ଘରେ ଥିବା ଫ୍ରିଜ୍ ବିସ୍ଫୋରଣ ପରେ ଅଗ୍ନିକାଣ୍ଡ ବ୍ୟାପିଥିବା ସନ୍ଦେହ କରାଯାଉଛି । ମୃତକମାନେ ହେଲେ ଭାରତୀ ଦାମୋନେ, ଶାରଦା ଦାମୋନେ, ଗଙ୍ଗା ଦାମୋନେ ଓ ପ୍ରିୟା ଦାମୋନେ ।
ଗଜାନନ ଦାମୋନେ ଓ ରୋଶନ ଦାମୋନେଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଛନ୍ତି । ଉଭୟଙ୍କ ଶରୀରର ପ୍ରାୟ ୬୦ ପ୍ରତିଶତ ପୋଡ଼ିଯାଇଛି । ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଚିକିତ୍ସା ଜାରି ରହିଛି । ଗଣେଶ ଚତୁର୍ଥୀ ପାଇଁ ପରିବାର ଲୋକେ ଘରକୁ ଗଣେଶଙ୍କ ମୂର୍ତ୍ତି ଆଣିଥିଲେ । ରାତିରେ ଖାଇସାରି ସମସ୍ତେ ଶୋଇପଡ଼ିଥିଲେ । ଭୋର ୨ଟା ୧୫ରେ ହଠାତ୍ ପ୍ରଚଣ୍ଡ ବିସ୍ଫୋରଣ ଶବ୍ଦ ଶୁଣି ପଡ଼ୋଶୀଙ୍କ ନିଦ ଭାଙ୍ଗିଥିଲା । ସେମାନେ ବାହାରକୁ ଆସିବା ବେଳକୁ ଦାମୋନେ ଘରେ ନିଆଁ ବ୍ୟାପିଯାଇଥିଲା । ସ୍ଥାନୀୟ ଲୋକମାନେ ସେହି ପରିବାର ଲୋକଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ । ଦୁଇ ଜଣଙ୍କୁ ବାହାରକୁ ଆଣିଥିବାବେଳେ ଅନ୍ୟ ୪ ଜଣ ମହିଳା ଘର ଭିତରେ ଫସିଯାଇଥିଲେ । ବିସ୍ଫୋରଣ ଓ ନିଆଁରେ ଘରଟି ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି । ଘର ଭିତରେ ଥିବା ଅଧିକାଂଶ ଜିନିଷ ମଧ୍ୟ ପୋଡ଼ି ଜଳିଯାଇଛି ।
ଅନ୍ୟପଟେ ଫ୍ରିଜ୍ କାହିଁକି ବିସ୍ଫୋରଣ ହେଲା ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । ସର୍ଟସର୍କିଟ୍ ରୁ ପ୍ରଥମେ ଫ୍ରିଜ୍ ରେ ବିସ୍ଫୋରଣ ହୋଇଥିଲା ନା ପ୍ରଥମେ ଘରେ ନିଆଁ ଲାଗିବା ପରେ ଫ୍ରିଜ୍ ବିସ୍ଫୋରଣ ହୋଇଥିଲା ସେନେଇ ତଦନ୍ତ କରୁଛି ପୋଲିସ।ଗଣେଶ ମୂର୍ତ୍ତି ଚାରିପଟେ ଲଗାଯାଇଥିବା ସାଜସଜ୍ଜା ବିଦ୍ୟୁତ୍ ଲାଇଟରୁ ସର୍ଟ ସର୍କିଟ୍ ହୋଇଥିଲା କି ନାହିଁ ସେ ଦିଗରେ ମଧ୍ୟ,ରେ ତଦନ୍ତ କରାଯାଉଛି ।




