ମହାକାଳପଡ଼ା: ମହିଳାଙ୍କୁ ଭିଡ଼ି ନେଲା ବଉଳା କୁମ୍ଭୀର । ଘର ଲିପିବା ପାଇଁ ନିକଟ ନଈକୂଳକୁ କାଦୁଅ ଆଣିବାକୁ ଯାଇଥିବା ବେଳେ ଅଘଟଣ । କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ଖରିନାଶି ଗାଁରେ ଦେଖିବାକୁ ମିଳିଛି ଏହି ଘଟଣା । ମହିଳା ଜଣକ ଏହି ଗାଁର ହେମଲତା ଦାସ ବୋଲି ଜଣାପଡ଼ିଛି । ହେମଲତା ସକାଳୁ ଘର ଲିପିବା ପାଇଁ ଘର ନିକଟ ଗଳିଆ ନଈକୂଳକୁ କାଦୁଅ ଆଣିବାକୁ ଯାଇଥିଲେ ।
ଠିକ୍ ଏହି ସମୟରେ ନଦୀ ଭିତରୁ ଏକ ବଉଳା କୁମ୍ଭୀର ବାହାରି ହେମଲତାଙ୍କୁ ଟାଣି ନେଇଥିଲା । ତାଙ୍କ ଚିତ୍କାର ଶୁଣି ନିକଟରେ ଥିବା ମତ୍ସ୍ୟଜୀବୀମାନେ ହେମଲତାଙ୍କୁ କୁମ୍ଭୀର କବଳରୁ ଉଦ୍ଧାର କରି ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରିଥିଲେ । କିନ୍ତୁ ସେଠାରେ ତାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଡାକ୍ତର ହେମଲତାଙ୍କୁ ମୃତ ଘୋଷଣା କରିଥିଲେ । ହେମଲତାଙ୍କ ମୃତ୍ୟରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।







