ଯାଜପୁର : ନିର୍ଯାତନା ସହି ନପାରି ନଦୀକୁ ଡେଇଁ ନାବାଳକଙ୍କ ଆତ୍ମହତ୍ୟା ଉଦ୍ୟମ । ଯାଜପୁର ବୁଢ଼ା ନଦୀ ଚଂପାଛନ୍ଦା ଘାଟରୁ ନାବାଳକ ଜଣକ ଡେଇଁଥିବା ବେଳେ ପାଞ୍ଚ କି.ମି. ନଦୀରେ ଭାସିଯିବା ପରେ ବୁଢ଼ା ଘାଟ ଜାହାନପୁର ନିକଟରୁ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ । ଯାଜପୁର ଟାଉନ ଥାନା ଗୋଖନା ଅଞ୍ଚଳରେ ଘଟିଛି ଏହି ଅଘଟଣ । ନାବାଳକ ଜଣଙ୍କ ମୟୂରଭଞ୍ଜ କରଞ୍ଜିଆ ଅଞ୍ଚଳର ବୋଲି ଜଣାପଡ଼ିଛି । ସ୍ଥାନୀୟ ଅଞ୍ଚଳକୁ କାମ କରିବା ଲାଗି ଆସିଥିବା ନାବାଳକକୁ ବ୍ୟାଟେରୀ ଓ ବାର୍ ଚୋରି କରିଥିବା ଅଭିଯୋଗରେ ମାଲିକ ମାରପିଟ କରିଥିବାରୁ ସେ ଡରି ନଦୀକୁ ଡେଇଁ ପଡ଼ିଥିବା କହିଛି।
ସେପଟେ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ପାଇଁ ନାମ ପଞ୍ଜୀକରଣ ସମୟରେ ପିଲାଟିର ବୟସ ୧୪ ବର୍ଷ ବୋଲି ଜଣା ପଡ଼ିବା ପରେ ଘଟଣାସ୍ଥଳରେ ଶିଶୁ ସୁରକ୍ଷା ୟୁନିଟର ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପିଲାର ସ୍ୱାସ୍ଥ୍ୟାବସ୍ଥା ଭଲଥିବା ବେଳେ ତାର ଚିକିତ୍ସା ଚାଲିଛି । ହେଲେ କିପରି ବାହାର ଜିଲ୍ଲାରୁ ନାବାଳକଙ୍କୁ ଆଣି କାମରେ ଲଗାଯାଉଛି । ପରେ ନିର୍ଯାତନା ଦିଆଯାଉଛି ତାକୁ ନେଇ ଶିଶୁ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କାମ କରାଇବାକୁ ଆଣିଥିବା ମାଲିକ ମାଡ ମାରିବା ଘଟଣାକୁ ଖଣ୍ଡନ କରିଥିବା ବେଳେ ଚୋରି ଘଟଣାରେ ଥାନାକୁ ନେବାବେଳେ ନଦୀକୁ ଡେଇଁ ପଡ଼ିଥିବା କହିଛନ୍ତି । ଅନ୍ୟପଟେ ତଦନ୍ତ ଲାଗି ଆସିଥିବା ଶିଶୁ ସୁରକ୍ଷା କର୍ମଚାରୀ ପିଲାକୁ ଭେଟି ପଚରାଉଚୁରା କରୁଥିବା ବେଳେ ପିଲାଟି ନାବାଳକ ଥିବା କହିଛନ୍ତି । ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ।







