ଅନ୍ତର୍ଜାତୀୟ

ମୋଜତାବାଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ; ଯେକୌଣସି ସମୟରେ ପ୍ରାଣ ହରାଇପାରନ୍ତି

ଲେବାନନ :  ଇରାନର ସର୍ବୋଚ୍ଚ ନେତା ମୋଜତାବା ଖାମେନେଇଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଏବେ ସମଗ୍ର ବିଶ୍ୱରେ ଚର୍ଚ୍ଚା ଜୋର ଧରିଛି । ଇସ୍ରାଏଲୀ ଗଣମାଧ୍ୟମର ଦାବି ଅନୁଯାୟୀ, ମୋଜତାବାଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ରହିଛି ଏବଂ ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ଖବର ପ୍ରସାରିତ ହେବା ପରେ ଇରାନର ପ୍ରଶାସନିକ ସ୍ତରରେ ତତ୍ପରତା ପ୍ରକାଶ ପାଇବା ସହ ନାନା ଗୁଜବ ସୃଷ୍ଟି ହୋଇଛି । ଏପରିକି ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ ମଧ୍ୟ ଏକ ସାକ୍ଷାତକାରରେ ସ୍ୱୀକାର କରିଛନ୍ତି ଯେ, ସର୍ବୋଚ୍ଚ ନେତାଙ୍କ ସହ ସିଧାସଳଖ ଯୋଗାଯୋଗ କରିବା ବର୍ତ୍ତମାନ ବହୁତ କଷ୍ଟକର ହୋଇପଡ଼ିଛି । ମୋଜତାବାଙ୍କ କାର୍ଯ୍ୟ କରିବାର କ୍ଷମତା ଉପରେ ଏବେ ଅନ୍ତର୍ଜାତୀୟ ସ୍ତରରେ ପ୍ରଶ୍ନ ଉଠାଯାଉଛି, ଯାହା ଇରାନ ସରକାରଙ୍କ ସ୍ଥିରତାକୁ ନେଇ ସନ୍ଦେହ ସୃଷ୍ଟି କରିଛି ।

ଇସ୍ରାଏଲୀ ଟେଲିଭିଜନ ଚ୍ୟାନେଲ ୧୪ର ରିପୋର୍ଟ ମୁତାବକ, ସର୍ବୋଚ୍ଚ ନେତାଙ୍କ ଅବସ୍ଥା ଗୁରୁତର ରହିଛି । ଜେରୁସାଲେମ ପୋଷ୍ଟର ଏକ ସୂତ୍ର ଦାବି କରିଛି ଯେ, ଯଦି ମୋଜତାବାଙ୍କ ମୃତ୍ୟୁ ଖବର ମଧ୍ୟ ଆସେ, ତେବେ ସେଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ । ଏହି ଦାବି ଇରାନର ଆଭ୍ୟନ୍ତରୀଣ ସୁରକ୍ଷା ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଭାବରେ ଦୋହଲାଇ ଦେଇଛି। ସୂଚନାଯୋଗ୍ୟ ଯେ, ଗତ ଫେବ୍ରୁଆରି ୨୮ ତାରିଖରେ ଆମେରିକା-ଇସ୍ରାଏଲର ମିଳିତ ଆକ୍ରମଣରେ ନିଜ ପିତାଙ୍କ ମୃତ୍ୟୁ ପରେ ମୋଜତାବା ସର୍ବୋଚ୍ଚ ନେତା ପଦ ଗ୍ରହଣ କରିଥିଲେ । କିନ୍ତୁ ଏହି ଦାୟିତ୍ୱ ନେବା ପରଠାରୁ ସେ ସାଧାରଣରେ ଦେଖାଯାଇ ନାହାନ୍ତି ଏବଂ କେବଳ ଲିଖିତ ବିବୃତି ମାଧ୍ୟମରେ ଦେଶବାସୀଙ୍କ ସହ ଯୋଗାଯୋଗରେ ରହିଛନ୍ତି ।

କୁହାଯାଉଛି ଯେ, ପ୍ରାରମ୍ଭିକ ସାମରିକ ଆକ୍ରମଣ ସମୟରେ ମୋଜତାବାଙ୍କ ମୁହଁରେ ଗମ୍ଭୀର ଆଘାତ ଲାଗିଥିଲା, ଯେଉଁଥିପାଇଁ ସେ ନିଜକୁ ଗୋପନ ରଖିଛନ୍ତି । ଗୁଇନ୍ଦା ରିପୋର୍ଟ ଅନୁସାରେ, ସେ ଆକ୍ରମଣକୁ ଏଡାଇବା ପାଇଁ ସରକାରୀ ଅଧିକାରୀଙ୍କ ସହ ଯୋଗାଯୋଗ କରିବା ଲାଗି ମଧ୍ୟସ୍ଥିମାନଙ୍କର ସହାୟତା ନେଉଛନ୍ତି। ଏହି ସମୟରେ ସାଉଦି ସମ୍ବାଦ ସଂସ୍ଥା ଅଲ-ହଦତ ଦାବି କରିଛି ଯେ ମୋଜତାବା ବର୍ତ୍ତମାନ ଇରାନରେ ନାହାନ୍ତି । ଅନ୍ୟପଟେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଦାବି କରିଛନ୍ତି ଯେ ସାମରିକ ଆକ୍ରମଣ ପରେ ମୋଜତାବା ଜୀବିତ ଥିବା ସମ୍ଭାବନା ମାତ୍ର ୧୦ ପ୍ରତିଶତ ରହିଛି ।

ତେବେ ଇରାନ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଅଧିକାରୀମାନେ ଏହି ସମସ୍ତ ଦାବିକୁ ଖଣ୍ଡନ କରିଛନ୍ତି । ସେମାନେ କ୍ରମାଗତ ଭାବରେ କହି ଆସୁଛନ୍ତି ଯେ, ସର୍ବୋଚ୍ଚ ନେତାଙ୍କୁ ଲାଗିଥିବା ଆଘାତ ସାମାନ୍ୟ ଏବଂ ସେ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି। ସେ ଦେଶ ପାଇଁ ସମସ୍ତ ରଣନୈତିକ ନିଷ୍ପତ୍ତି ନେଉଥିବା ଦାବି କରାଯାଉଥିଲେ ମଧ୍ୟ ସାର୍ବଜନୀନ ଭାବେ ତାଙ୍କର ଅନୁପସ୍ଥିତି ନାନା ସନ୍ଦେହ ଓ କଳ୍ପନାଜଳ୍ପନାକୁ ଜନ୍ମ ଦେଉଛି । ଏହି ସ୍ଥିତି ଏବେ ପଶ୍ଚିମ ଏସିଆର ରାଜନୀତିରେ ଏକ ନୂଆ ମୋଡ଼ ଆଣିଛି ।

LSadmin

About Author

LOKA SAMACHAR @2026. All Rights Reserved || Developed By CBSPL