ଜାତୀୟ

ବେଙ୍ଗାଲୁରୁ-ମହୀସୁର ଏକ୍ସପ୍ରେସ୍‌ୱେରେ ଓଲଟିଲା କେରଳ ସରକାରୀ ବସ୍‌, ୨ ମୃତ ୨୫ ଆହତ

ବେଙ୍ଗାଲୁରୁ: କେରଳ ରାଜ୍ୟ ସଡ଼କ ପରିବହନ ନିଗମର ଏକ ବସ୍ ଶନିବାର ପ୍ରତ୍ୟୁଷରେ ରାମନଗରର ଆଭେରେଗେରେ ଗେଟ୍ ନିକଟରେ ବେଙ୍ଗାଲୁରୁ-ମହୀସୁରୁ ଏକ୍ସପ୍ରେସୱେରେ ନିୟନ୍ତ୍ରଣ ହରାଇ ରାସ୍ତାକଡ଼ରେ ଥିବା ସାଇନବୋର୍ଡକୁ ଧକ୍କା ଦେବାରୁ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୫ ଜଣ ଆହତ ହୋଇଛନ୍ତି। ମୃତକ ବସ୍‌ର ଡ୍ରାଇଭର ଅରୁଣ ଓ କ‌ଣ୍ଡକ୍ଟର ଅଖିଳେଶ ବୋଲି ଜଣାପଡ଼ିଛି। ବେଙ୍ଗାଲୁରୁରୁ କୋଝିକୋଡ ଯାଉଥିବା ବସ୍‌ଟି ସକାଳ ୬ଟା ୩୦ ସମୟରେ ଆଭେରେଗେରେ ଗେଟ୍ ନିକଟରେ ନିୟନ୍ତ୍ରଣ ହରାଇ ଏକ୍ସପ୍ରେସୱେରେ ଲାଗିଥିବା ଏକ ବଡ଼ ସାଇନବୋର୍ଡରେ ଧକ୍କା ହୋଇଥିଲା।

ଧକ୍କା ଯୋଗୁଁ ବସ୍‌ଟି ରାସ୍ତା ଉପରେ ଓଲଟି ପଡ଼ିଥିଲା। ଅରୁଣ ଓ ଅଖିଳେଶଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଆହତମାନଙ୍କ ମଧ୍ୟରେ କେତେକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଦୁର୍ଘଟଣାସମ୍ପର୍କରେ ସୂଚନା ପାଇବା ପରେ ବିଦାଡି ପୁଲିସ ଓ ଅଗ୍ନିଶମ ଏବଂ ଜରୁରୀକାଳୀନ ସେବା କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ।

ଆହତମାନଙ୍କୁ ଓଲଟି ପଡ଼ିଥିବା ବସ୍‌ରୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଦୁର୍ଘଟଣା ଯୋଗୁଁ ବେଙ୍ଗାଲୁରୁ-ମହୀସୁରୁ ଏକ୍ସପ୍ରେସୱେରେ କିଛି ସମୟ ପାଇଁ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ପୁଲିସ ଓ ଜରୁରୀକାଳୀନ କର୍ମଚାରୀମାନେ ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ହଟେଇ ଟ୍ରାଫିକ୍ ଚଳାଚଳ ପୁନଃସ୍ଥାପିତ କରିଥିଲେ। ବିଦାଡ଼ି ପୁଲିସ ଷ୍ଟେସନରେ ଏକ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ କରାଯାଉଛି।

LSadmin

About Author

LOKA SAMACHAR @2026. All Rights Reserved || Developed By CBSPL