ଓଡ଼ିଶା

ଖଲ୍ଲିକୋଟର କୁନି ଲେଖିକା କୋମଳଙ୍କ କମାଲ: ଆମାଜନରେ ପ୍ରକାଶ ପାଇଲା ୩ଟି ପୁସ୍ତକ

ଖଲ୍ଲିକୋଟ: ଖଲ୍ଲିକୋଟ ସହର ସ୍ଥିତ କେ.ସି. ପବ୍ଲିକ ସ୍କୁଲର ନବମ ଶ୍ରେଣୀ ଛାତ୍ରୀ କୋମଳ ନାୟକ ନିଜର ଅସାଧାରଣ ପ୍ରତିଭା ବଳରେ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ସାଜିଛନ୍ତି। ମାତ୍ର ୧୪ ବର୍ଷ ବୟସରେ ତାଙ୍କ ଦ୍ୱାରା ରଚିତ ତିନୋଟି ଇଂରାଜୀ ପୁସ୍ତକ ବିଶ୍ୱପ୍ରସିଦ୍ଧ ‘ଆମାଜନ’ (Amazon) ପ୍ଲାଟଫର୍ମରେ ପ୍ରକାଶ ପାଇ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।

କୋମଳ ନିଜର କୁନି କଲମରେ ମାନବୀୟ ସମ୍ବେଦନା ଓ ଶକ୍ତିଶାଳୀ ଭାବନାକୁ ନେଇ ୧୬୫ ପୃଷ୍ଠା ସମ୍ବଳିତ ପ୍ରଥମ ପୁସ୍ତକ “Faces Without Name” ରଚନା କରିଛନ୍ତି। ଏହି ପୁସ୍ତକରେ ସେ ନିଜ ଚାରିପଟେ ଥିବା ଅଦେଖା ମୁହଁ ଓ ସେମାନଙ୍କ ଜୀବନର କାହାଣୀକୁ ଶବ୍ଦର କୁହୁକରେ ଅତି ସୁନ୍ଦର ଭାବେ ରୂପ ଦେଇଛନ୍ତି। ପୁସ୍ତକଟିରେ ବାପାଙ୍କ ପ୍ରତି ଥିବା ଅବ୍ୟକ୍ତ ଭଲପାଇବା ଓ ଅନେକ ହୃଦୟସ୍ପର୍ଶୀ ସ୍ମୃତିକୁ ସେ ସାବଲୀଳ ଭାବେ ଉପସ୍ଥାପନ କରିଛନ୍ତି।

ସେହିପରି ତାଙ୍କର ଅନ୍ୟ ଏକ ପୁସ୍ତକ “Character Building Through Moral Values” ରେ ମଣିଷର ଚରିତ୍ର ଗଠନ ଓ ନୈତିକ ମୂଲ୍ୟବୋଧ ବିଷୟରେ ଆଲେଖ୍ୟ ପ୍ରସ୍ତୁତ କରାଯାଇଛି। କୋମଳଙ୍କ ଏହି ସଫଳତା ପଛରେ ମା’ ପୁଷ୍ପରାଣୀ ବିଶ୍ୱାଳ ଓ ବାପା ଶଙ୍କର୍ଷଣ ନାୟକଙ୍କ ପ୍ରେରଣା ରହିଛି। ତାଙ୍କର ଏହି କୃତି ପାଇଁ ତାଙ୍କୁ ଆନ୍ତର୍ଜାତିକ ସ୍ୱୀକୃତି ମଧ୍ୟ ମିଳିଛି।

ନିଜର ପାଠପଢ଼ା ସହିତ ସାହିତ୍ୟ ସାଧନା ପାଇଁ କୋମଳ ଦୈନିକ ତିନି ଘଣ୍ଟା ସମୟ ବାହାର କରି ପରିଶ୍ରମ କରନ୍ତି। ଭବିଷ୍ୟତରେ ଜଣେ ଆଇ.ଏ.ଏସ. (IAS) ଅଫିସର ହୋଇ ସମାଜର ନିଷ୍ପେସିତ ଓ ଗରିବ ଲୋକଙ୍କ ସେବା କରିବାକୁ ସେ ଲକ୍ଷ୍ୟ ରଖିଛନ୍ତି। ଜଣେ ୧୪ ବର୍ଷୀୟା କିଶୋରୀଙ୍କ ଏଭଳି ସାରସ୍ୱତ ସାଧନାକୁ ସ୍ଥାନୀୟ ଅଞ୍ଚଳରେ ବେଶ୍ ପ୍ରଶଂସା କରାଯାଇଛି।

LSadmin

About Author

LOKA SAMACHAR @2026. All Rights Reserved || Developed By CBSPL