ଜାତୀୟ

ଉତ୍ତରପ୍ରଦେଶ ବିଭାଜନକୁ ନେଇ ପୁଣି ଆରମ୍ଭ ହେଲା ତର୍କ ବିତର୍କ

ଲକ୍ଷ୍ନୌ: ଭାଗ ଭାଗ ହୋଇଯିବ ଉତ୍ତରପ୍ରଦେଶ! ରାଜ୍ୟ ବିଭାଜନକୁ ନେଇ ପୁଣିଥରେ ଆରମ୍ଭ ହୋଇଯାଇଛି ତର୍କ ବିତର୍କ। ପଶ୍ଚିମ ଉତ୍ତରପ୍ରଦେଶ ପରେ ପୂର୍ବାଞ୍ଚଳକୁ ସ୍ଵତନ୍ତ୍ର ରାଜ୍ୟ ପାଇଁ ଦାବି ଉଠିଛି। ଆମେଠିରେ ଏକ କାର୍ଯ୍ୟକ୍ରମ ସମୟରେ ଦୁଇ ବରିଷ୍ଠ ବିଜେପି ନେତା  ସ୍ଵତନ୍ତ୍ର ରାଜ୍ୟ ପାଇଁ ଦାବି ଉଠାଇଛନ୍ତି, ଯାହାକୁ ନେଇ ରାଜନୈତିକ ବୟାନବାଜୀ ଆରମ୍ଭ ହୋଇଯାଇଛି।

ଯେଉଁ ଜିଲ୍ଲାଗୁଡ଼ିକୁ ଅଲଗା କରି ସ୍ଵତନ୍ତ୍ର ରାଜ୍ୟରେ ପରିଣତ କରିବାକୁ ଦାବି ଉଠୁଛି, ସେହି ଜିଲ୍ଲାଗୁଡ଼ିକ ହେଉଛି, ବାରାଣସୀ, ଚନ୍ଦୌଲି, ଜୌନପୁର, ଗାଜିପୁର, ଆଜମଗଡ଼, ମଉ, ବାଲିଆ, ପ୍ରୟାଗରାଜ, କୌଶାମ୍ବୀ, ପ୍ରତାପଗଡ଼, ମିର୍ଜାପୁର, ସୋନଭଦ୍ର, ଭାଦୋହୀ, ଅଯୋଧ୍ୟା, ଆକବରପୁର, ସୁଲତାନପୁର, ଆମେଥି, ଗୋଣ୍ଡା, ବଳରାମପୁର, ବହରାଇଚ୍, ଶ୍ରାବସ୍ତି, ଗୋରଖପୁର, ମହାରାଜଗଞ୍ଜ, ଦେଓରିଆ, କୁଶୀନଗର, ବସ୍ତି, ସିଦ୍ଧାର୍ଥନଗର ଏବଂ ସନ୍ଥ କବୀର ନଗର ଅନ୍ତର୍ଭୁକ୍ତ। ଏହି ଜିଲ୍ଲାଗୁଡ଼ିକୁ ବିଭାଜନ କରି ସ୍ଵତନ୍ତ୍ର ରାଜ୍ୟରେ ପରିଣତ କରିବା ପାଇଁ ସଭାରେ ଏକ ବ୍ଲୁପ୍ରିଣ୍ଟ୍ ଉପସ୍ଥାପନ କରିଥିଲେ ସଞ୍ଜୟ ସିଂ। ତାଙ୍କ କହିବା ଅନୁସାରେ ଉତ୍ତରପ୍ରଦେଶର ଆଠଟି ଡିଭିଜନକୁ ୨୮ଟି ଜିଲ୍ଲାରେ ମିଶାଇ ଏକ ନୂତନ ରାଜ୍ୟ ଗଠନ କରାଯିବ। ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ ନେତାମାନେ ଦାବି କରନ୍ତି ଯେ ପ୍ରାୟ ୭କୋଟି ୯୮ ଲକ୍ଷ ଜନସଂଖ୍ୟା ସହିତ ଏହି ରାଜ୍ୟ ଦେଶର ୧୪ତମ ବୃହତ ରାଜ୍ୟ ହେବ।

ନୂତନ ରାଜ୍ୟ ପାଇଁ ଦାବି ମଧ୍ୟରେ ଯେଉଁ ନାଁଟି ସବୁଠାରୁ ଅଧିକ ଧ୍ୟାନ ଆକର୍ଷଣ କରୁଛି ତାହା ହେଉଛି ପୂର୍ବାଞ୍ଚଳ। ନେତାମାନେ କହିଛନ୍ତି, ଏହି ନାଁ ଏହି ଅଞ୍ଚଳର ଭୌଗୋଳିକ, ସାଂସ୍କୃତିକ ଏବଂ ଭାଷାଗତ ପରିଚୟକୁ ପ୍ରତିଫଳିତ କରେ। ତେଣୁ ରାଜ୍ୟର ନାଁ ପୂର୍ବାଞ୍ଚଳ ହେବ ବୋଲି ଦାବି କରାଯାଇଛି। ଅନ୍ୟପଟେ ଏକ ନୂଆ ରାଜ୍ୟର ଆହ୍ବାନ ଦେଇ ଅମିତା ସିଂ କହିଛନ୍ତି, ପୂର୍ବାଞ୍ଚଳ ପ୍ରାକୃତିକ ସମ୍ପଦ, ଉର୍ବର ଜମି, ବିଦ୍ୟୁତ ଉତ୍ପାଦନ ଏବଂ ଏଠାରେ ଅନେକ ପର୍ଯ୍ୟଟନସ୍ଥଳି ରହିଛି। ତଥାପି ଏହି ଅଞ୍ଚଳ ବିକାଶରେ ପଛରେ ରହିଛି। ଯଦି ଏହି ଅଞ୍ଚଳ ସ୍ଵତନ୍ତ୍ର ରାଜ୍ୟରେ ପରିଣତ ହୁଏ ତେବେ ଯାଇଁ ତୀବ୍ର ବିକାଶ ହୋଇପାରିବ।

aduser

About Author

LOKA SAMACHAR @2026. All Rights Reserved || Developed By CBSPL