ଜାତୀୟ

କଲବଲ କଲାଣି ମହଙ୍ଗା ମାଡ଼, ୪.୮୨% ଛୁଇଁଲା ଖୁଚୁରା ମୁଦ୍ରାସ୍ଫୀତି

ନୂଆଦିଲ୍ଲୀ: କଲବଲ କଲାଣି ମହଙ୍ଗା ମାଡ଼ । ପାର୍ବଣ ସମୟରେ ଦର ବୃଦ୍ଧି । ଦେଶରେ ବଢ଼ିଛି ଖୁଚୁରା ମୁଦ୍ରାସ୍ଫୀତି । ତେଲ ଦର ବଢ଼ାଇଲା ଚିନ୍ତା ।  ସୁଧ ହାର ବୃଦ୍ଧି ନେଇ ବଢ଼ିଲା ଆଶଙ୍କା ।  ଅଗଷ୍ଟରେ ୪.୮୨% ରେ ପହଞ୍ଚିଲା ଦରବୃଦ୍ଧି ହାର । ପୂର୍ବ ମାସ ଅର୍ଥାତ୍ ଜୁଲାଇରେ ଏହି ହାର ୪.୪୫ ପ୍ରତିଶତ ଥିଲା । ବିଶେଷ କରି ଖାଦ୍ୟ ସାମଗ୍ରୀର ମୂଲ୍ୟରେ ବୃଦ୍ଧି ଘଟିବା କାରଣରୁ ମୁଦ୍ରାସ୍ଫୀତିରେ ଏହି ଉଲ୍ଲେଖନୀୟ ବୃଦ୍ଧି ଦେଖିବାକୁ ମିଳିଛି । ଅଗଷ୍ଟ ମାସରେ ଖୁଚୁରା ମୁଦ୍ରାସ୍ଫୀତି ବା ରିଟେଲ୍ ଇନଫ୍ଲେସନ୍ ୪.୮ ପ୍ରତିଶତରେ ପହଞ୍ଚିଛି, ଅର୍ଥାତ୍ ସାଧାରଣ ଲୋକ ଦୈନନ୍ଦିନ ଜୀବନରେ କିଣୁଥିବା ବିଭିନ୍ନ ସାମଗ୍ରୀ ଓ ସେବା ପାଇଁ ପୂର୍ବ ତୁଳନାରେ ଅଧିକ ଟଙ୍କା ଖର୍ଚ୍ଚ କରୁଛନ୍ତି ।  ଓଡ଼ିଶା ବଜାରରେ ମଧ୍ୟ ମହଙ୍ଗା ମାଡ଼ । ୫.୫% ଡେଇଁଲା ମୁଦ୍ରାସ୍ଫୀତି ।  ଯାହା ଜାତୀୟ ହାରଠୁ ଅଧିକ । ଦେଶରେ ଓଡ଼ିଶା ହେଉଛି ପଞ୍ଚମ ମହଙ୍ଗା ବଜାର । ତେଲେଙ୍ଗାନା , ତାମିଲନାଡୁ , ମଧ୍ୟପ୍ରଦେଶ , ଆନ୍ଧ୍ରପ୍ରଦେଶ ପଛକୁ ଓଡ଼ିଶା ଦେଶର ପଞ୍ଚମ ମହଙ୍ଗା ବଜାର ହୋଇଛି । ହାରାହାରି ଭାବେ ଦେଶର ଗ୍ରାହକମାନଙ୍କ ତୁଳନାରେ ଓଡ଼ିଶାର ଗ୍ରାହକମାନେ ବିଭିନ୍ନ ଜିନିଷକୁ ଅଧିକ ଦାମ୍ ଦେଇ କିଣୁଛନ୍ତି ।

ମୁଦ୍ରାସ୍ଫୀତିକୁ ୪% ମଧ୍ୟରେ ରଖିବା ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କକୁ କେନ୍ଦ୍ର ସରକାର କହିଛନ୍ତି । କିନ୍ତୁ ଚିନି, ପନିପରିବା, ପିଆଜ ଆଦିର ଦରବୃଦ୍ଧି ପରେ ଖୁଚୁରା ମୁଦ୍ରାସ୍ଫୀତି ହାର ସେହି ଧାର୍ଯ୍ୟ ସୀମା ଡେଇଁଯାଇଛି । ଗତ ମାସରେ ରାଜ୍ୟରେ ଚିନି ଦର ଅଳ୍ପ ଦିନ ଭିତରେ କେଜି ପିଛା ୪୨ ଟଙ୍କାରୁ ବଢ଼ି ୭୫ ଟଙ୍କା ହୋଇଯାଇଥିଲା । କେନ୍ଦ୍ର ସରକାର ଷ୍ଟକ୍ ସୀମା ଧାଯ୍ୟ କରିବା ଏବଂ ୧ ନିୟୁତ ଟନ୍ ଚିନି ଶୁଳ୍କମୁକ୍ତ ଆମଦାନି ପାଇଁ ପଦକ୍ଷେପ ନେବାରୁ ଚିନି ଦରରେ ସାମାନ୍ୟ ହ୍ରାସ ଘଟିଥିଲା। କିନ୍ତୁ ଏବେବି ତାହାର ଖୁଚୁରା ଦର ଗତ କିଛି ମାସ ପୂର୍ବର ସ୍ବାଭାବିକ ଦରଠାରୁ ଯଥେଷ୍ଟ ଅଧିକ ରହିଛି । ସେହିପରି ପିଆଜ କେଜି ୬୦ ଟଙ୍କା ହୋଇଯାଇଛି ଯାହା ତଳକୁ ଖସିବାର ନାଁ ଥରୁନାହିଁ । ଅଗଷ୍ଟ ମାସରୁ ଆରମ୍ଭ ହୋଇଥିବା ଏହି ଦୁଇ ସାମଗ୍ରୀର ଦର ସେପ୍ଟେମ୍ବରରେ ମଧ୍ୟ ତଳକୁ ନ ଖସିବା ଚିନ୍ତାର କାରଣ ହୋଇଛି। ତେଣୁ ସେପ୍ଟେମ୍ବରରେ ରାଜ୍ୟର ଖୁଚୁରା ମୁଦ୍ରାସ୍ଫୀତି ଆହୁରି ଉଚ୍ଚା ହେବା ଆଶଙ୍କା ରହିଛି । ବିଶେଷ କରି ତେଲ ଓ ଇନ୍ଧନ ଦରକୁ ନେଇ ଚିନ୍ତା ବଢ଼ିଛି ।

ତେଲ ଦର ବଢ଼ିଲେ କେବଳ ପେଟ୍ରୋଲ୍ କିମ୍ବା ଡିଜେଲ୍ ମହଙ୍ଗା ହୁଏ ନାହିଁ । ପରିବହନ ଖର୍ଚ୍ଚ ବଢ଼ିବା ଯୋଗୁଁ ବଜାରକୁ ପନିପରିବା, ଖାଦ୍ୟସାମଗ୍ରୀ ଓ ଅନ୍ୟାନ୍ୟ ଜିନିଷ ପହଞ୍ଚାଇବା ମଧ୍ୟ ମହଙ୍ଗା ହୋଇଥାଏ । ଶେଷରେ ଏହାର ବୋଝ ସାଧାରଣ ଗ୍ରାହକଙ୍କ ଉପରେ ପଡ଼ିଥାଏ । ମହଙ୍ଗା ଦର ବଢ଼ିବା ପରେ ଏବେ ସମସ୍ତଙ୍କ ନଜର ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (RBI) ଉପରେ । ଦରବୃଦ୍ଧିକୁ ନିୟନ୍ତ୍ରଣରେ ରଖିବା ପାଇଁ RBI ଆଗାମୀ ଦିନରେ ସୁଧ ହାର ବଢ଼ାଇପାରେ ବୋଲି ବଜାରରେ ଆଶଙ୍କା ବଢ଼ିଛି । RBI ସୁଧ ହାର ବଢ଼ାଇଲେ ବ୍ୟାଙ୍କରୁ ଋଣ ନେବା ମହଙ୍ଗା ହୋଇପାରେ । ଏହାର ପ୍ରଭାବ ଘର ଋଣ, ଗାଡ଼ି ଋଣ ଓ ଅନ୍ୟାନ୍ୟ ଋଣ ଉପରେ ପଡ଼ିପାରେ। ଫଳରେ କିଛି ଋଣଗ୍ରାହୀଙ୍କ EMI ବଢ଼ିବାର ସମ୍ଭାବନା ରହିବ । ତେଣୁ ଆଗାମୀ କିଛି ମାସରେ ତେଲ ଦର ଓ ଦେଶର ମହଙ୍ଗା ଦର କେଉଁ ଦିଗକୁ ଯାଉଛି, ତାହା RBIର ପରବର୍ତ୍ତୀ ନିଷ୍ପତ୍ତି ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ ହେବ ।

LSadmin

About Author

LOKA SAMACHAR @2026. All Rights Reserved || Developed By CBSPL