ଓଡ଼ିଶା

ପାରାଦୀପ ବଡ଼ପଡ଼ିଆ ମୁଖ୍ୟ ପରିବା ମାର୍କେଟରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୫୦ରୁ ଅଧିକ ଦୋକାନ

ଜଗତସିଂହପୁର: ପାରାଦୀପ ବଡ଼ପଡ଼ିଆ ମୁଖ୍ୟ ପରିବା ମାର୍କେଟରେ ଭୟାବହ ଅଗ୍ନିକାଣ୍ଡ। ଜଳିଗଲା ୫୦ରୁ ଅଧିକ ଦୋକାନ। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ। ୫ଟି ଦମକଳ ନିୟୋଜିତ। ବିଳମ୍ବିତ ରାତ୍ର ପ୍ରାୟ ୨ଟା ସମୟରେ ଅଗ୍ନିକାଣ୍ଡ ଘଟି ୫୦ରୁ ଅଧିକ ପରିବା ଦୋକାନ ପୋଡ଼ିପାଉଁଶ ହୋଇଯାଇଛି।
ଦୋକାନରେ ଥିବା ଟଙ୍କା ପଇସା ସହ ପନିପରିବା, କମ୍ପ୍ୟୁଟର କଣ୍ଟା ଓ ଗୋଟିଏ ବାଇକ୍ ସମ୍ପୂର୍ଣ୍ଣ ଜଳି ଯାଇଥିବା ବେଳେ ଅଗ୍ନିଶମ ବିଭାଗ ପକ୍ଷରୁ ନିଆଁକୁ ଆୟତ୍ତ କରିବା ଜାରି ରହିଛି। ଏହା ପାରାଦୀପ ବଣିକସଂଘର ମୁଖ୍ୟ ପରିବା ବ୍ୟବସାୟ କେନ୍ଦ୍ର ହୋଇଥିବା ବେଳେ ସମସ୍ତେ ଏହି ଦୋକାନ ଗୁଡିକ ଉପରେ ନିର୍ଭର କରିଥାନ୍ତି। ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ମଶାଧୂପ କିମ୍ବା ସର୍ଟ ସର୍କିଟ ଯୋଗୁ ଅଗ୍ନିକାଣ୍ଡ ଘଟିଥାଇ ପାରେ ବୋଲି ଅନୁମାନ କରାଯାଉଛି।
ତେବେ ପାରାଦୀପ ବନ୍ଦର ପକ୍ଷରୁ ଅସ୍ଥାୟୀ ଭାବେ ପିଣ୍ଡି ଯୋଗାଇ ଦିଆ ଯାଇଥିବା ବେଳେ ବ୍ୟବସାୟୀମାନେ କେବଳ ବାଉଁଶ ଓ ଜରି ପାଲରେ ଦୋକାନ ଗୁଡିକରେ ଦୀର୍ଘ ବର୍ଷ ଧରି ବ୍ୟବସାୟ କରି ଆସୁଛନ୍ତି। ତେବେ ପୂର୍ବରୁ ମଧ୍ୟ ଏହିଭଳି ଅଗ୍ନିକାଣ୍ଡ ଘଟି ୪ଟି ଦୋକାନ ପୋଡ଼ି ଯାଇଥିବା ବେଳେ ଭେଣ୍ଡିଂ ଜୋନ୍ ନିର୍ମାଣ କରିବା ପାଇଁ ବାରମ୍ବାର ଦାବି ହୋଇ ଆସୁଛି। ହେଲେ ଏପର୍ଯ୍ୟନ୍ତ ଭେଣ୍ଡିଂ ଜୋନ ନିର୍ମାଣ କରା ଯାଇ ପାରି ନାହିଁ। ଯାହା ଫଳରେ ଆଜି ନିଆଁ ଲାଗି ୫୦ରୁ ଅଧିକ ଦୋକାନ ପୋଡ଼ି ପାଉଁଶ ହୋଇଯାଇଛି। ଘଟଣା ସ୍ଥଳରେ ପରିବା ବ୍ୟବସାୟୀ ଓ ବଣିକସଂଘର କର୍ମକର୍ତ୍ତାମାନେ ପହଞ୍ଚିଥିବା ବେଳେ ଅଗ୍ନିଶମ ବିଭାଗ ପକ୍ଷରୁ ନିଆଁକୁ ଆୟତ୍ତ କରିବା ଜାରି ରହିଛି।

aduser

About Author

LOKA SAMACHAR @2026. All Rights Reserved || Developed By CBSPL