ଅନ୍ତର୍ଜାତୀୟ

ଭାରତ ଉପରେ ଶୁଳ୍କ ୧୦%କୁ ହ୍ରାସ: ୨୪ରୁ ଲାଗୁ ହେବ

ନୂଆଦିଲ୍ଲୀ: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିଭିନ୍ନ ଦେଶ ଉପରେ ଲଗାଇଥିବା ଶୁଳ୍କକୁ ଗତକାଲି ଆମେରିକାର ସୁପ୍ରିମକୋର୍ଟ ଅସିଦ୍ଧ ଘୋଷଣା କରିଥିଲେ। ଏହି ରାୟ ପ୍ରକାଶ ପାଇବାର କିଛି ଘଣ୍ଟା ପରେ ଟ୍ରମ୍ପ ନୂଆ ୧୦ ପ୍ରତିଶତ ଶୁଳ୍କ ଲଗାଇଛନ୍ତି। ଏହାର ପ୍ରଭାବରେ ଭାରତ ଉପରେ ଆମେରିକାର ଶୁଳ୍କ ୧୮ ପ୍ରତିଶତରୁ ହ୍ରାସ ପାଇ ୧୦ ପ୍ରତିଶତ ହୋଇଛି। ଭାରତ ଉପରେ ଟ୍ରମ୍ପ ଗତବର୍ଷ ଅଗଷ୍ଟଠାରୁ ୫୦ ପ୍ରତିଶତ ଶୁଳ୍କ ଲଗାଇଥିଲେ। ସେଥିରୁ ୨୫ ପ୍ରତିଶତ ପାଲଟା ଶୁଳ୍କ ଥିଲା ଓ ଅବଶିଷ୍ଟ ୨୫ ପ୍ରତିଶତ ରୁଷରୁ ଭାରତ ତେଲ କିଣୁଥିବାରୁ ଜରିମାନା ଭାବେ ଲଗାଯାଇଥିଲା। ତେବେ ଭାରତ ସହ ବାଣିଜ୍ୟ ରାଜିନାମା ସମ୍ପର୍କରେ ସହମତି ହୋଇଥିବା ନେଇ ଆମେରିକା ତରଫରୁ ଘୋଷଣା କରାଯିବା ସହ ଶୁଳ୍କକୁ ୧୮ ପ୍ରତିଶତକୁ ହ୍ରାସ କରାଯାଇଥିଲା। ନୂଆ ଶୁଳ୍କ ସମ୍ପର୍କରେ ଟ୍ରମ୍ପ କହିଥିଲେ ଯେ ଚଳିତ ମାସ ୨୪ ତାରିଖରୁ ତାହା ୧୫୦ ଦିନ ପାଇଁ ଲାଗୁ କରାଯାଇଛି। ଔଷଧ ଏବଂ ଆମେରିକା-ମେକ୍ସିକୋ-କାନାଡା ରାଜିନାମାରେ ଅନ୍ତର୍ଭୁକ୍ତ ସାମଗ୍ରୀ ଉପରେ ଏହି ଶୁଳ୍କ ଲାଗୁହେବ ନାହିଁ। ଏହା ବ୍ୟତୀତ ଆମେରିକାକୁ ଆମଦାନୀ କରାଯାଉଥିବା ସବୁ ସାମଗ୍ରୀ ଉପ‌ରେ ୧୦ ପ୍ରତିଶତ ଶୁଳ୍କ ଲାଗିବ ବୋଲି ଟ୍ରମ୍ପ କହିଥିଲେ। ୧୯୭୪ର ବାଣିଜ୍ୟ ନିୟମର ଧାରା ୧୨୨ରେ ଥିବା କ୍ଷମତାକୁ ଉପଯୋଗ କରି ଟ୍ରମ୍ପ ନୂଆ ଟିକସ ଲଗାଇଛନ୍ତି। ଏହି ଧାରା ରାଷ୍ଟ୍ରପତିଙ୍କୁ ୧୫ ପ୍ରତିଶତ ଟିକସକୁ ୧୫୦ ଦିନ ପର୍ଯ୍ୟନ୍ତ ଲଗାଇବାର କ୍ଷମତା ଦେଇଛି।
ଆମେରିକା ସୁପ୍ରିମକୋର୍ଟଙ୍କ ରାୟ ବିଶ୍ବ ବାଣିଜ୍ୟ କାରବାରକୁ ନେଇ ନୂଆ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଆମେରିକା ସହ ଭାରତ ସମେତ ବିଭିନ୍ନ ଦେଶ ସ୍ବାକ୍ଷର କରିଥିବା ରାଜିନାମାର କ’ଣ ହେବ ତାହାକୁ ନେଇ ଅନିଶ୍ଚିତତା ଦେଖାଦେଇଛି। ବର୍ତ୍ତମାନ ସମୟରେ ‌କୌଣସି ଦେଶକୁ ୧୦ ପ୍ରତିଶତରୁ ଅଧିକ ଶୁଳ୍କ ଦେବାକୁ ପଡ଼ିବ ନାହିଁ। କିନ୍ତୁ ସୁପ୍ରିମକୋର୍ଟଙ୍କ ରାୟକୁ ଟ୍ରମ୍ପ କିଭଳି ଗ୍ରହଣ କରୁଛନ୍ତି ଓ ଆଗକୁ କଣ ପଦକ୍ଷେପ ନେଉଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିବ।
ବିଶେଷଜ୍ଞଙ୍କ ମତରେ ଆମେରିକାକୁ ଜିନିଷ ପଠାଉଥିବା କୌଣସି ଦେଶକୁ ବର୍ତ୍ତମାନ ୧୦ ପ୍ରତିଶତରୁ ଅଧିକ ଶୁଳ୍କ ଗଣିବାକୁ ପଡ଼ିବନି। କିନ୍ତୁ ବାଣିଜ୍ୟ ନିୟମର ଧାରା ୧୨୨ ଆଧାରରେ ଲଗାଯାଇଥିବା ଶୁଳ୍ପର ଅବଧି ୧୫୦ ଦିନ ପରେ ଆପେ ଶେଷ ହୋଇଯିବ। ଟ୍ରମ୍ପ ଚାହିଲେ ଜରୁରୀକାଳୀନ ସ୍ଥିତି ସୃଷ୍ଟି ହୋଇଥିବା ଦର୍ଶାଇ ଶୁଳ୍କକୁ ଆଗୁଆ ଉଚ୍ଛେଦ କରି ପୁଣି ଅଧିକ ଟିକସ ଲଗାଇପାରିବେ। ଗତକାଲି ଆମେରିକା ସୁପ୍ରିମକୋର୍ଟ ଶୁଳ୍କକୁ ଅସିଦ୍ଧ ଘୋଷଣା କରିବା ପରେ ଭାରତ ଭଳି ଦେଶ ପାଇଁ ଚମତ୍କାର ସୁଯୋଗ ସୃଷ୍ଟି ହୋଇଥିଲା। ସବୁଠୁ ଅନୁଗୃହୀତ ଦେଶ (ଏମଏଫଏନ) ମାନ୍ୟତା ପାଇଥିବାରୁ ଭାରତ ପାଇଁ ଶୁଳ୍କ ୩.୫ ପ୍ରତିଶତକୁ ହ୍ରାସ ପାଇଥିଲା। କିନ୍ତୁ ଟ୍ରମ୍ପ ସଙ୍ଗେ ସ‌ଙ୍ଗେ ୧୦ ପ୍ରତିଶତର ନୂଆ ଶୁଳ୍କ ଲଗାଇବା ପରେ ସବୁକିଛି ବିଗିଡ଼ିଯାଇଥିଲା।
ସୁପ୍ରିମକୋର୍ଟଙ୍କ ରାୟ ପରେ ଟ୍ରମ୍ପ କହିଥିଲେ ଯେ ଭାରତ ଓ ଆମେରିକା ମଧ୍ୟରେ ବାଣିଜ୍ୟ ରାଜିନାମା ବଜାୟ ରହିଛି। ଭରତ ସହ ମୋ ସମ୍ପର୍କ ବହୁତ ବଢ଼ିଆ। ଆମେ ଭାରତ ସହ କାରବାର କରୁଛୁ। ସେ କହିଥି‌ଲେ ସୁପ୍ରିମକୋର୍ଟଙ୍କ ରାୟ ପ୍ରଭାବରେ କିଛି ବି ବଦଳିବନି। ଭାରତ ଆମକୁ ଶୁଳ୍କ ଦେବ। ଆମେ ସେମାନଙ୍କୁ ଶୁଳ୍କ ଦେବୁନାହିଁ। ଏହା ହିଁ ନିଷ୍ପତ୍ତି ହୋଇଛି ବୋଲି ଟ୍ରମ୍ପ କହିଥିଲେ।

aduser

About Author

Leave a Reply

Your email address will not be published. Required fields are marked *

LOKA SAMACHAR @2026. All Rights Reserved || Developed By CBSPL