ଓଡ଼ିଶା

ଭବାନୀପାଟଣା ଫରେଷ୍ଟର ତଥା ବହୁ ବେନାମୀ ଗାଡ଼ିର ମାଲିକ ଭାଗବତ ଭୂଷଣ ବେହେରାଙ୍କୁ ଗିରଫ କଲା ଭିଜିଲାନ୍ସ

ଭବାନୀପାଟଣା: କଳାହାଣ୍ଡିଜିଲ୍ଲା ଭବାନୀପାଟଣା ଉତ୍ତର ବନଖଣ୍ଡ ରେଞ୍ଜର ଭଟାଙ୍ଗପଦର ଫରେଷ୍ଟର ଭାଗବତ ଭୂଷଣ ବେହେରାଙ୍କୁ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଗିରଫ କରିଛି। ଆଜି ତାଙ୍କୁ ଭବାନୀପାଟଣା ଭିଜିଲାନ୍ସ ସ୍ପେଶାଲ ଜଜ୍‌ଙ୍କ ସମ୍ମୁଖରେ ହାଜର କରାଯିବ।
ଭବାନୀପାଟଣା ଭିଜିଲାନ୍ସ ସ୍ପେଶାଲ ଜଜ୍‌ଙ୍କ ସର୍ଚ୍ଚ ୱାରେଣ୍ଟ ଆଧାରରେ ଗତକାଲି ଭଟାଙ୍ଗପଦର ଫରେଷ୍ଟର ଭାଗବତ ଭୂଷଣ ବେହେରାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଥିଲା । ଭବାନୀପାଟଣା ସହରସ୍ଥିତ ହିଲ ଟାଉନ ବାସଭବନ, ପୈତୃକ ଗାଁ ଦେଉଣ୍ଡି ଓ ଭଟାଙ୍ଗପଦର ସେକ୍ସନ ଅଫିସରେ ଏକକାଳୀନ ଚଢ଼ାଉ ହୋଇଥିଲା। ଏଥିରେ ଭିଜିଲାନ୍ସର ୪ ଜଣ ଡ଼ିଏସପି, ୭ ଜଣ ଇନ୍ସପେକ୍ଟର, ୪ଜଣ ଏଏସଆଇ ଏବଂ ସହଯୋଗୀ କର୍ମଚାରୀଙ୍କୁ ନେଇ ଟିମ ଗଠନ ହୋଇଥିଲା।
ଗତକାଲି ସକାଳ ପ୍ରାୟ ୬ଟାରୁ ଭିଜିଲାନ୍ସର ୩ଟି ଟିମ୍ ଭବାନୀପାଟଣା ହିଲ୍ ଟାଉନ୍‌ରେ ଥିବା ଫରେଷ୍ଟରଙ୍କ ତିନି ମହଲା ବାସଭବନ, ଜୁନାଗଡ଼ ଥାନା ଅନ୍ତର୍ଗତ ଦେଉଣ୍ଡି ଗାଁରେ ଥିବା ପୈତୃକ ବାସ ଭବନ ଏବଂ ଭଟାଙ୍ଗପଦର ସେକ୍ସନ ସ୍ଥିତ ଫରେଷ୍ଟରଙ୍କ ସରକାରୀ କାର୍ଯ୍ୟାଳୟରେ ଚଢ଼ାଉ କରିଥିଲେ । ଏହି ସମୟରେ ଫରେଷ୍ଟର ବେହେରାଙ୍କ ସମସ୍ତ ବ୍ୟାଙ୍କ୍ ଆକାଉଣ୍ଟ, ସୁନା ଗହଣା ଏବଂ ଜମିବାଡ଼ି ସମ୍ପର୍କିତ କାଗଜପତ୍ରର ଯାଞ୍ଚ କରାଯାଇଥିଲା । ଯାଞ୍ଚ ସମୟରେ ବର୍ତ୍ତମାନ ସୁଦ୍ଧା ହିଲ ଟାଉନରେ ଥିବା ୫୩ଶହ ବର୍ଗଫୁଟ ଏକ ମଲ୍ଟି ଷ୍ଟୋରେଜ କୋଠା, ଭବାନୀପାଟଣା ସହର ମଧ୍ୟରେ ଥିବା ୯ଟି ପ୍ଳଟ, ୨୧୦ ଗ୍ରାମ ସୁନା, ୨ ଟି ହାର୍ଭେଷ୍ଟର ଧାନ କଟା ମେସିନ,ଗୋଟିଏ ଚାରିଚକିଆ ଗାଡି, ୪ଟି ବେନାମୀ ଟ୍ରାକ୍ଟର ଓ ବୋଲେରୋ ସମେତ, ବ୍ୟାଙ୍କ ପୋଷ୍ଟାଲ ଜମା, ଜୀବନ ବୀମା କାଗଜପତ୍ର ମିଳିଥିବା ଭିଜିଲାନ୍ସ ବିଭାଗ ପକ୍ଷରୁ ଗତକାଲି ସୂଚନା ମିଳିଥିଲା। ସେହିପରି ଭବାନୀପାଟଣା ସେଣ୍ଟ୍ରାଲ ବ୍ୟାଙ୍କରେ ତାଙ୍କ ନାମରେ ଏକ ଲକର ଖୋଲା ଯାଇଥିବା ଓ ଏହାକୁ ସେ ପରିଚାଳନା କରୁଥିବା ଭିଜିଲାନ୍ସ ବିଭାଗ ସୂଚନା ପାଇଥିଲା । ଜବତ ପରିମାଣର ସମ୍ପତ୍ତି ପ୍ରାୟ ୩ କୋଟିରୁ ଊର୍ଦ୍ଧ୍ବ ହେବ ବୋଲି ଆକଳନ କରାଯାଉଛି ।
କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଫରେଷ୍ଟର ଭାଗବତ ଭୂଷଣ ବେହେରାଙ୍କ ସମ୍ପତ୍ତି ଉପରେ କରାଯାଇଥିବା ତଲାସ ଆଧାରରେ, ତାଙ୍କ ପାଖରେ ଆୟ ବହିର୍ଭୂତ ସମ୍ପତ୍ତି ଥିବା ଜଣାପଡ଼ିଥିଲା, ଯେଉଁଥିରେ ୧ଟି ନବନିର୍ମିତ ବହୁମହଲା କୋଠା, ୯ଟି ଉଚ୍ଚ ମୂଲ୍ୟର ପ୍ଲଟ୍, ପ୍ରାୟ ୪୭୦ ଗ୍ରାମ ସୁନା, ଜମା ୩୪.୦୮ ଲକ୍ଷ ଟଙ୍କା, ୨ଟି କୁବୋଟା ହାରୱେଷ୍ଟର ମେସିନ୍ (ବେନାମୀ), ୪ଟି ଟ୍ରାକ୍ଟର (ବେନାମୀ), ୧ଟି ଅଶୋକ ଲେଲ୍ୟାଣ୍ଡ ଟିପର୍ (ବେନାମୀ), ୧ଟି ଭାରତବେଞ୍ଜ ହାଇଭା (ବେନାମୀ), ୧ଟି ବୋଲେରୋ ଗାଡ଼ି (ବେନାମୀ), ୧ଟି ଟୟୋଟା କାର୍ ଇତ୍ୟାଦି ଅନ୍ତର୍ଭୁକ୍ତ, ଯାହା ସେ ସନ୍ତୋଷଜନକ ଭାବରେ ହିସାବ ଦେଇପାରିଲେ ନାହିଁ।
ସୂଚନା ଅନୁଯାୟୀ, ଗତ ୨୦୦୦ ମସିହା ଅଗଷ୍ଟ ୨୦ ତାରିଖରେ ସମ୍ପୃକ୍ତ ଫରେଷ୍ଟର କଳାହାଣ୍ଡି ଉତ୍ତର ବନଖଣ୍ଡରେ ଫରେଷ୍ଟ ଗାର୍ଡ ଭାବେ ନିଯୁକ୍ତି ପାଇଥିଲେ । ସେହି ସମୟରେ ତାଙ୍କ ଦରମା ମାତ୍ର ୩ ହଜାର ଟଙ୍କା ଥିଲା । ଭିଜିଲାନ୍ସ ବିଭାଗ ସମ୍ପୃକ୍ତ ଫରେଷ୍ଟର ଭାଗବତ ଭୂଷଣ ବେହେରାଙ୍କୁ ଗିରଫ କରିବା ପରେ ଏନେଇ ଅଧିକ ତଦନ୍ତ କରୁଥିବା ସୂଚନା ମିଳିଛି ।

aduser

About Author

Leave a Reply

Your email address will not be published. Required fields are marked *

LOKA SAMACHAR @2026. All Rights Reserved || Developed By CBSPL