ଜାତୀୟ

୨୫ ପ୍ରତିଶତରୁ ୧୮ ପ୍ରତିଶତକୁ ଟାରିଫ ହ୍ରାସ କଲେ ଡୋନାଲ୍ଡ ଟ୍ରମ୍ପ

ନୂଆଦିଲ୍ଲୀ: ଟାରିଫ ହ୍ରାସ କଲା ଆମେରିକା । ୨୫ ପ୍ରତିଶତରୁ ୧୮ ପ୍ରତିଶତକୁ ହ୍ରାସ କଲେ ଡୋନାଲ୍ଡ ଟ୍ରମ୍ପ ।  ଆଗକୁ ପୂରା ୨୫ ପ୍ରତିଶତ ହ୍ରାସ ହେବ । ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ କଥାବାର୍ତ୍ତା ପରେ ଟାରିଫ ହ୍ରାସ ଘୋଷଣା କରିଛନ୍ତି ଆମେରିକା ରାଷ୍ଟ୍ରପତି । ଟ୍ରୁଥ ସୋସିଆଲ ମିଡିଆରେ ଏହି ଘୋଷଣା କରିଛନ୍ତି ଟ୍ରମ୍ପ । ଭାରତୀୟ ସାମଗ୍ରୀ ଉପରେ ଶୁଳ୍କ ୨୫% ରୁ କମାଇ ୧୮% କରାଯାଇଥିବା ଘୋଷଣା କରିଛନ୍ତି। ଏହା ବଦଳରେ ଭାରତ ମଧ୍ୟ ଆମେରିକୀୟ ସାମଗ୍ରୀ ଉପରୁ ଟ୍ୟାକ୍ସ କମାଇବାକୁ ରାଜି ହୋଇଛି । ଏହି ଚୁକ୍ତିର ସବୁଠାରୁ ବଡ଼ ସର୍ତ୍ତ ହେଉଛି, ଭାରତ ଏବେ ରୁଷିଆ ଠାରୁ ଶସ୍ତା ଅଶୋଧିତ ତେଲ କିଣିବା ବନ୍ଦ କରିବ କିମ୍ବା ବହୁତ କମାଇ ଦେବ ।

ଏହା ବଦଳରେ ଭାରତ ଏବେ ଆମେରିକା ଠାରୁ ତେଲ ଓ ଗ୍ୟାସ୍ କିଣିବ। ଟ୍ରମ୍ପଙ୍କ ଅନୁସାରେ, ଏହାଦ୍ୱାରା ରୁଷିଆର ଆୟ କମିବ ଏବଂ ୟୁକ୍ରେନ ଯୁଦ୍ଧ ଶେଷ କରିବାରେ ସାହାଯ୍ୟ ମିଳିବ। ଟାରିଫ ହ୍ରାସ ସହ ବାଣିଜ୍ୟ ଚୁକ୍ତି ଘୋଷଣା କରିଛନ୍ତି ଟ୍ରମ୍ପ। ଭାରତ ଆଗାମୀ ଦିନରେ ଆମେରିକା ଠାରୁ ପ୍ରାୟ ୫୦୦ ବିଲିୟନ ଡଲାରର ସାମଗ୍ରୀ କିଣିବାକୁ ପ୍ରତିଶ୍ରୁତି ଦେଇଛି ।  ଏଥିରେ ରହିଛି ତେଲ, କୋଇଲା, ପ୍ରଯୁକ୍ତିବିଦ୍ୟା ଓ କୃଷି ଜାତ ଦ୍ରବ୍ୟ। ଟ୍ରମ୍ପ ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଟ୍ରୁଥ୍ ସୋସିଆଲ୍’ରେ ଲେଖିଛନ୍ତି ଯେ, “ମୋଦୀ ଜଣେ ଶକ୍ତିଶାଳୀ ଓ ସମ୍ମାନଜନକ ନେତା ।  ଆମେ ଦୁହେଁ କାମ କରିବାରେ ବିଶ୍ୱାସ କରୁ ।

ଏହି ଚୁକ୍ତି ବନ୍ଧୁତ୍ୱ ଓ ସମ୍ମାନର ପ୍ରତୀକ।” ତେବେ ଗୁରୁତ୍ବପୂର୍ଣ୍ଣ କଥା ହେଲା, ଆଗାମୀ ଦିନରେ ଭାରତ ଉପରେ ଲଗାଇଥିବା ପୂରା ୨୫ ପ୍ରତିଶତ ପାଲଟା ଶୁଳ୍କ ହଟାଇବ ଆମେରିକା । ଏ ନେଇ ହ୍ବାଇଟ ହାଉସର ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ଟ୍ରମ୍ପଙ୍କ ଟାରିଫ ହ୍ରାସ ପରେ ପ୍ରଧାନମନ୍ତ୍ରୀ ମୋଦି ବଡ଼ ଧନ୍ୟବାଦ ଜଣାଇଛନ୍ତି । ୧୪୦ କୋଟି ଲୋକଙ୍କ ପକ୍ଷରୁ ଧନ୍ୟବାଦ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ। କହିଛନ୍ତି, ଦୁଇଟି ବଡ଼ ଅର୍ଥନୀତି ଏକାଠି କାମ କଲେ ଏହା ବଡ଼ ସୁଯୋଗ ସୃଷ୍ଟି କରିଥାଏ। ବିଶ୍ବରେ ଶାନ୍ତି, ସ୍ଥିରତା ଏବଂ ସମୃଦ୍ଧି ପାଇଁ ଟ୍ରମ୍ପଙ୍କ ନେତୃତ୍ବ ଗୁରୁତ୍ବପୂର୍ଣ୍ଣ । ଆମ ସହଭାଗିତା ଆହୁରି ଉଚ୍ଚସ୍ତରରେ ପହଞ୍ଚିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।  ଭାରତ ଆମେରିକା ବାଣିଜ୍ୟ ଡିଲକୁ ଟ୍ରମ୍ପଙ୍କ ଘୋଷଣା ନିକଟତର କରିବ ବୋଲି କହିଛନ୍ତି ପୀୟୂଷ ଗୋୟଲ।

aduser

About Author

LOKA SAMACHAR @2026. All Rights Reserved || Developed By CBSPL