ଓଡ଼ିଶା

ଗୋପାଳପୁର ବେଳାଭୂମି ମହୋତ୍ସବ ଉଦଘାଟନ କଲେ ରାଜ୍ୟପାଳ

ବ୍ରହ୍ମପୁର : ଗୋପାଳପୁର କେବଳ ଏକ ଆକର୍ଷଣୀୟ ବେଳାଭୂମି ଗନ୍ତବ୍ୟସ୍ଥଳ ନୁହେଁ, ଏହା ଏପରି ଏକ ସ୍ଥାନ ଯେଉଁଠାରେ ଇତିହାସ ବର୍ତ୍ତମାନ ସହିତ ମିଶିଛି ଏବଂ ପରମ୍ପରା ପ୍ରଗତି ସହିତ ହାତରେ ହାତ ମିଳାଇ ଚାଲିଛି । ଆମର ଉପକୂଳ କେବଳ ଏକ ଭୌତିକ ସୀମା ନୁହେଁ, ବରଂ ଜୀବିକା ଏବଂ ଆକାଂକ୍ଷାର ପ୍ରତୀକ । ପ୍ରାଚୀନ କଳିଙ୍ଗର ବୀର ସାଧବମାନେ ବିଶାଳ ସମୁଦ୍ର ପାର ହୋଇ ବାଣିଜ୍ୟ ସହ ଆମ ସଂସ୍କୃତି ଏବଂ ମୂଲ୍ୟବୋଧର ପ୍ରଚାରପ୍ରସାରରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ । ଓଡ଼ିଶା ସର୍ବଦା ବିଶ୍ୱଦୃଷ୍ଟି, ଆତ୍ମବିଶ୍ୱାସ ଏବଂ ଉନ୍ନତ ଚିନ୍ତାଧାରା ସହିତ ଗଭୀର ଭାବରେ ଜଡିତ ବୋଲି ମାନ୍ୟବର ରାଜ୍ୟପାଳ ଡ.ହରି ବାବୁ କମ୍ଭମପାଟି କହିଛନ୍ତି । ଭାରତ ସ୍ଥାୟୀ ଏବଂ ଅନ୍ତର୍ଭୁକ୍ତିମୂଳକ ଅଭିବୃଦ୍ଧି ଆଡକୁ ଅଗ୍ରସର ହେଉଥିବାବେଳେ ଗୋପାଳପୁର ଭଳି ଉପକୂଳବର୍ତ୍ତୀ ଅଞ୍ଚଳ ଏକ ସ୍ଥିର ଏବଂ ସମୃଦ୍ଧ ଭବିଷ୍ୟତ ଗଠନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ଏହି ଉତ୍ସବ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରି ସ୍ଥାନୀୟ ଅର୍ଥନୀତିକୁ ସୁଦୃଢ଼ କରିବ ବୋଲି ଆଜିର ସାନ୍ଧ୍ୟ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରି ମୁଖ୍ୟଅତିଥି ପ୍ରକାଶ କରିଛନ୍ତି।

ସେ ମଧ୍ୟ ଗୋପାଳପୁର ବେଳାଭୂମି ଆଜି ସୌନ୍ଦର୍ଯ୍ୟର ସୁନାମିର ପରିଣତ ହୋଇଛି ବୋଲି କହିଥିଲେ। ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ଏବଂ ସୁକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ ଗଞ୍ଜାମ ଓ ଗୋପାଳପୁରର ସାମାଜିକ ଓ ଐତିହାସିକ ପୃଷ୍ଠଭୂମି ସମ୍ପର୍କରେ ଆଲୋକପାତ କରିଥିଲେ। ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ, ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ, କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ, ଗୋପାଳପୁର ଏନ ଏ ସି ଅଧକ୍ଷ ଏ ଜାନକୀ ରାଓ, ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଆଇ ଜି ଶ୍ରୀ ନିତିନ କେଶର, ଜିଲ୍ଲାପାଳ ଭି କୀର୍ତ୍ତି  ୱାସନ, ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ଶୁଭେନ୍ଦୁ କୁମାର ପାତ୍ର, ବ୍ରହ୍ମପୁର ମହାନଗର ନିଗମ କମିଶନର ପ୍ରଥମେଶ ଅରବିନ୍ଦ ରାଜସିର୍କେ  ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।

aduser

About Author

LOKA SAMACHAR @2026. All Rights Reserved || Developed By CBSPL