ଓଡ଼ିଶା

ତହସିଲଦାରଙ୍କ ପାଇଁ ଆସିବ ର଼୍ୟାଙ୍କିଙ୍ଗ ବ୍ୟବସ୍ଥା, ରାଜସ୍ବ ବିଭାଗରେ ଲାଗୁ କରାଯିବ ନୂଆ ନିୟମ

ଭୁବନେଶ୍ୱରଆଗାମୀ ଦିନରେ ଲୋକେ ଯେପରି ରାଜସ୍ବ ସେବା ପାଇବାରେ କୌଣସି ସମସ୍ୟା ନ ଉପୁଜିବ ତାକୁ ନେଇ ରାଜସ୍ବ ବିଭାଗ ପକ୍ଷରୁ ନୂତନ ନିୟମ ଲାଗୁ କରାଯିବ। ଲୋକସେବା ଭବନରେ ସୋମବାର ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏନେଇ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକ ପରେ ମନ୍ତ୍ରୀ କହିଛନ୍ତି, ଓଡ଼ିଶା ସରକାରୀ ଭୂ-ପରିଚାଳନା ଆଇନରେ କେତେକ ସଂସ୍କାର ଅଣାଯିବାପାଇଁ ବିଭାଗ ପକ୍ଷରୁ କେତେକ ଦିଗ ଉପରେ ବିସ୍ତୃତ ଆଲୋଚନା ହୋଇଛି। ଏହାକୁ ନେଇ ଖୁବ୍‌ଶୀଘ୍ର ଏକ ଡ୍ରାଫ୍ଟ ପ୍ରସ୍ତୁତ କରାଯିବ ଏବଂ ଏହାକୁ ପରବର୍ତ୍ତୀ ପର୍ଯ୍ୟାୟରେ କ୍ୟାବିନେଟ୍‌ରେ ଅଣାଯିବ।

ସେହିପରି ଆଗାମୀ ଦିନରେ ଲୋକେ ଯେପରି ରାଜସ୍ବ ସେବା ପାଇବାରେ କୌଣସି ସମସ୍ୟା ନ ଉପୁଜିବ ତାକୁ ନେଇ ରାଜସ୍ବ ବିଭାଗ ପକ୍ଷରୁ ତହସିଲଦାର ବାବୁମାନଙ୍କ ଦକ୍ଷତା ମପାଯିବ। କେଉଁ ତହସିଲଦାର କେଉଁସବୁ ମାମଲାକୁ ତ୍ୱରିତ ସମାଧାନ କରୁଛନ୍ତି ଏବଂ ତାହା ମଧ୍ୟରେ କେତେସବୁ ଗୁଣାତ୍ମକ ସେବା ରହିଛି ତାକୁ ଆଧାର କରି ର଼୍ୟାଙ୍କିଙ୍ଗ ପ୍ରଦାନ କରାଯିବ। ଯେଉଁ ତହସିଲଦାରମାନେ ଅଭ୍ୟାସଗତ ଭାବେ ଠକୁଥିବେ ସେମାନେ ଏହି ର଼୍ୟାଙ୍କିଙ୍ଗରେ ଧରାପଡ଼ିବେ ଏବଂ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଏହାବ୍ୟତୀତ ଯେଉଁ ଅଧିକାରୀମାନେ ଭଲ ପ୍ରଦର୍ଶନ କରିବେ ସେମାନଙ୍କୁ ପ୍ରଶଂସାପତ୍ର ସହିତ ପଦୋନ୍ନତି ଦେବାର ମଧ୍ୟ ବ୍ୟବସ୍ଥା କରାଯିବ। ଏହାସହିତ ରାଜସ୍ବ ବିଭାଗରେ ଥିବା ପୁରୁଣା ମାମଲା ହଟାଇବା ସହିତ ରାଜସ୍ବ ସଂସ୍କାରକୁ ଲୋକାଭିମୁଖୀ କରିବାପାଇଁ ବିଭାଗ ଏଭଳି ପଦକ୍ଷେପ ଖୁବ୍‌ଶୀଘ୍ର ନେବ ବୋଲି ଜଣାଯାଇଛି। ଏହାସହ ତହସିଲଦାରଙ୍କୁ ରାଜସ୍ବ ବିଭାଗ ପକ୍ଷରୁ ନିକଟରେ ଅଣାଯାଇଥିବା ବିଭିନ୍ନ ରାଜସ୍ବ ସେବା ଓ ନୂତନ ଆଇନ କାର୍ଯ୍ୟକାରିତା ସମ୍ପର୍କରେ ଅବଗତ କରାଇବା ପାଇଁ ତାଲିମ ପ୍ରଦାନ କରାଯିବ। ପ୍ରତ୍ୟେକ ଦିନ ଅପରାହ୍ନ ୫ଟାରେ ଜିଲାସ୍ତରୀୟ ତହସିଲଦାର, ଭୂ-ବନ୍ଦୋବସ୍ତ ଅଧିକାରୀ, ଅତିରିକ୍ତ ଜିଲାପାଳ ଏବଂ ଜିଲାପାଳଙ୍କୁ ନେଇ ଏକ ଆଭାସୀ ବୈଠକ କରାଯିବ।

aduser

About Author

LOKA SAMACHAR @2026. All Rights Reserved || Developed By CBSPL