ଓଡ଼ିଶା

ଭିଡ଼ ନିୟନ୍ତ୍ରଣ ପାଇଁ ଭୁବନେଶ୍ୱରରୁ କନ୍ଦରପୁରକୁ ସଂଯୋଗ ହେବ ନୂଆ ରାସ୍ତା

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ରୋଡ୍‌ ନେଟ୍‌ୱାର୍କକୁ ସୁଦୃଢ଼ କରି ରାଜ୍ୟର ବିକାଶକୁ ଆଗେଇ ନେବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ମାନ୍ୟବର ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ସ୍ପଷ୍ଟ ଆଭିମୁଖ୍ୟ ରହିଛି । ଏହି ଲକ୍ଷ୍ୟକୁ ତ୍ୱରିତ ବେଗରେ ଆଗେଇ ନେବା ସହିତ ରାଜ୍ୟର ସବୁ ପ୍ରମୁଖ ଅଞ୍ଚଳକୁ ଭଲ ରୋଡ୍‌ ନେଟ୍‌ୱାର୍କ ଯୋଗାଇ ଦେବା ପାଇଁ କାର୍ଯ୍ୟ କରିବାକୁ ପଡ଼ିବ ବୋଲି ନିର୍ମାଣ ବିଭାଗ ପ୍ରମୁଖ ଶାସନ ସଚିବ ସଂଜୟ କୁମାର ସିଂହ ମତବ୍ୟକ୍ତ କରିଛନ୍ତି ।

ଆଜି ବିଭାଗୀୟ ସମ୍ମିଳନୀ କକ୍ଷରେ ନିର୍ମାଣ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ରାଜ୍ୟର ବିଭିନ୍ନ ରାସ୍ତା ପ୍ରକଳ୍ପର ନିର୍ମାଣ ଓ ପ୍ରଶସ୍ତୀକରଣ ନେଇ ଆଲୋଚନା ହୋଇଯାଇଛି । ଏଥିରେ ରାଜଧାନୀ ଭୁବନେଶ୍ୱରର ଚାରିପାଖରେ ନିର୍ମାଣ ହେବାକୁ ଥିବା ପ୍ରାୟ ୧୧୧ କିଲୋମିଟର ଦୀର୍ଘ କ୍ୟାପିଟାଲ ରିଜିଅନ୍‌ ରିଂ ରୋଡ୍‌ ନିର୍ମାଣ, ଜଙ୍ଗଲ ଓ ପରିବେଶ ବିଭାଗର ଅନୁମୋଦନ ଏବଂ ଜମି ଅଧିଗ୍ରହଣ ସହ ପ୍ରକଳ୍ପ କାର୍ଯ୍ୟକୁ ତ୍ୱରିତ ବେଗରେ ଆଗେଇ ନେବା ପାଇଁ ସଚିବ ଶ୍ରୀ ସିଂହ ବିଭାଗୀୟ ଅଧିକାରୀ ଓ ଇଂଜିନିୟରମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ସେହିପରି ବର୍ତ୍ତମାନ ଦିନରେ କଟକ ସହରର ଭିଡ଼ ନିୟନ୍ତ୍ରଣ ଏବଂ ଭୁବନେଶ୍ୱରରୁ ଜଗତସିଂହପୁର ଏବଂ ପାରାଦୀପକୁ ସିଧାସଳଖ ରାସ୍ତା ନିର୍ମାଣ ନେଇ ଆଲୋଚନା ହୋଇଥିଲା । ଧାକୁଳେଇ ପୀଠ ନିକଟରୁ କନ୍ଦରପୁର ପର୍ଯ୍ୟନ୍ତ ଏକ ନୂଆ ଗ୍ରୀନ୍‌ ଫିଲ୍‌ଡ ରୋଡ୍‌ ନିର୍ମାଣ ପାଇଁ ନକ୍ସା ଏବଂ ଡିିପିଆର୍‌ ପ୍ରସ୍ତୁତି ପାଇଁ ପ୍ରମୁଖ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ଏହି ରାସ୍ତା ନିର୍ମାଣ ହେଲେ ଭୁବନେଶ୍ୱରରୁ ଜଗତସିଂହପୁର ଏବଂ ପାରାଦୀପକୁ ଯିବା ପାଇଁ ଆଉ କଟକ ସହର ଭିତର ଦେଇ ଯିବାକୁ ପଡ଼ିବ ନାହିଁ । ଏଥି ସହିତ ଭୁବନେଶ୍ୱରରୁ ଜଗତସିଂହପୁର ଏବଂ ପାରାଦୀପକୁ ଦୂରତ୍ୱ ହ୍ରାସ ପାଇବ ।

ଏଥି ସହିତ ଏହି ବୈଠକରେ ୨୦୬ କିଲୋମିଟର ଦୀର୍ଘ କୋରାପୁଟ-ମୋହନା ରାସ୍ତାର ପ୍ରଶସ୍ତିକରଣ ଏବଂ ଜମି ଅଧିଗ୍ରହଣ ନେଇ ଆଲୋଚନା ହୋଇଥିଲା । ସେହିପରି ଖୋର୍ଦ୍ଧା-ନୟାଗଡ଼ ରାସ୍ତାର ଉନ୍ନତିକରଣ ଏବଂ ପ୍ରଶସ୍ତିକରଣ ସହ ଡିପିଆର୍‌ ଅନୁଯାୟୀ କାର୍ଯ୍ୟକୁ ତ୍ୱରିତ ବେଗରେ ଆଗେଇ ନେବା ପାଇଁ ପ୍ରମୁଖ ଶାସନ ସଚିବ ଶ୍ରୀ ସିଂହ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଏହି ବୈଠକରେ ନିର୍ମାଣ ବିଭାଗର ଇଆଇସି-ତଥା-ସ୍ୱତନ୍ତ୍ର ଶାସନ ସଚିବ ଲକ୍ଷ୍ମୀକାନ୍ତ ପାଢ଼ୀ, ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରଣାଳୟର ଆଞ୍ଚଳିକ ଅଧିକାରୀ ସୁନୀଲ କୁମାର, ଜାତୀୟ ରାଜପଥ(ଓଡ଼ିଶା)ର ମୁଖ୍ୟ ଯନ୍ତ୍ରୀଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

 

aduser

About Author

Leave a Reply

Your email address will not be published. Required fields are marked *

LOKA SAMACHAR @2026. All Rights Reserved || Developed By CBSPL