ଓଡ଼ିଶା

‘ସରପଞ୍ଚଙ୍କ ପାଇଁ ନିହାତି ଆବଶ୍ୟକ ଓଡ଼ିଆ ଲେଖି ପଢ଼ି ଜାଣିବା’

କଟକ: ଏଣିକି ସରପଞ୍ଚ ହେଲେ ଓଡ଼ିଆ ଲେଖି ପଢ଼ି ଜାଣିବା ନିହାତି ଆବଶ୍ୟକ । ଏନେଇ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ହାଇକୋର୍ଟ । କୋର୍ଟ କହିଛନ୍ତି ଯେ, ଗ୍ରାମ ପଞ୍ଚାୟତରେ ସରପଞ୍ଚ ଏକ ସର୍ବୋଚ୍ଚ ତଥା ଗୁରୁତ୍ୱପୂର୍ଣ୍ଣ ପଦବି । ସରପଞ୍ଚଙ୍କୁ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼େ । ଜଣେ ସରପଞ୍ଚ ଗ୍ରାମ ପଞ୍ଚାୟତର ମୁଖ୍ୟ ଭାବରେ ସନ୍ତୋଷଜନକ ଭାବେ କାର୍ଯ୍ୟ ତୁଲାଇବାକୁ ହେଲେ ଓଡ଼ିଆ ପଢ଼ିବା ଓ ଲେଖିବା ଦକ୍ଷତା ଅତ୍ୟନ୍ତ ଜରୁରୀ ।

ସରପଞ୍ଚ ଶେଖ ଆବୁତେହେରଙ୍କ ପକ୍ଷରୁ ଆଗତ ମାମଲାକୁ ଖାରଜ କରିବା ଅବସରରେ ହାଇକୋର୍ଟର ବିଚାରପତି ଜଷ୍ଟିସ୍ ରାଧାକୃଷ୍ଣ ପଟ୍ଟନାୟକ ଏହି ଆଦେଶ ଦେବା ସହ ନିମ୍ନ ଅଦାଲତଙ୍କ ଆଦେଶ କାଏମ୍ ରଖିଛନ୍ତି ।

୨୦୨୨ ମସିହାରେ ପୁରୀ ନିମାପଡ଼ା ଅଞ୍ଚଳର ସୁହାଗପୁର ଗ୍ରାମ ପଞ୍ଚାୟତର ସରପଞ୍ଚ ଭାବେ ଶେଖ ଆବୁତେହେରା ନିର୍ବାଚିତ ହୋଇଥିଲେ। ନିର୍ବାଚନ ପରେ ସେ ସରପଞ୍ଚ ଭାବେ କାର୍ଯ୍ୟଭାର ଗ୍ରହଣ କରିଥିଲେ । ନିର୍ବାଚନରେ ପରାଜିତ ପ୍ରାର୍ଥୀ ଶାନ୍ତିଲତା ମିଶ୍ର ସିଭିଲ ଜଜ୍‌ (ଜୁନିୟର ଡିଭିଜନ୍‌), ନିମାପଡ଼ାଙ୍କ ନିକଟରେ ଏକ ନିର୍ବାଚନ ମାମଲା ରୁଜୁ କରିଥିଲେ। ସେ ଅଭିଯୋଗ କରିଥିଲେ ଯେ ଓଡ଼ିଶା ଗ୍ରାମ ପଞ୍ଚାୟତ ଅଧିନିୟମ, ୧୯୬୪ର ଧାରା ୧୧(ବି) ଅନୁଯାୟୀ ନିର୍ବାଚିତ ସରପଞ୍ଚ ଓଡ଼ିଆ ପଢ଼ିବା ଓ ଲେଖିବାରେ ଅସମର୍ଥ । ଋଣ ଖିଲାପକାରୀ ଭାବେ ମଧ୍ୟ ତାଙ୍କ ନାମରେ ଅଭିଯୋଗ ରହିଛି। ଏହି ଦୁଇ ଓଡ଼ିଶା ଗ୍ରାମ ପଞ୍ଚାୟତ ଆଇନ, ୧୯୬୪ରୁ ଧାରା ୩୯ (ଲୋନ ଡିଫଲଟର), ଧାରା ୧୧ (ଖ) (ଓଡ଼ିଆ ପଢ଼ି-ଲେଖି ନ ଜାଣିବା) ଅନୁସାରେ ଅଯୋଗ୍ୟତା ବୋଲି ଦାବି କରାଯାଇଥିଲା ।

ମାମଲାରେ ଉଭୟପକ୍ଷ ତାଙ୍କ ପ୍ରମାଣ ଦାଖଲ କରିଥିଲେ । ଶେଖ ଅବୁତାହେରାଙ୍କ ପକ୍ଷରୁ ଓଡ଼ିଆ ଅକ୍ଷର ଲେଖାଯାଇଥିବା ଏକ କାଗଜ, ସ୍କୁଲ ଲିଭିଂ ପ୍ରମାଣପତ୍ର ଆଦି ଦାଖଲ କରିଥିଲେ । ତେବେ ନିମ୍ନ ଅଦାଲତରେ ତାଙ୍କୁ ଦୈନିକ ‘ସମାଜ’ ଖବରକାଗଜ ଏବଂ ‘ଛବିଳ ମଧୁ ବର୍ଣ୍ଣବୋଧ’ ପଢ଼ିବାକୁ ଦିଆଯାଇଥିଲା । ଏହା ସହ ଖୋଲା ଅଦାଲତରେ ତାଙ୍କୁ ‘ମହାତ୍ମା ଗାନ୍ଧୀ ଗ୍ରାମୀଣ ରୋଜଗାର ଯୋଜନାରେ ଆମ ପଞ୍ଚାୟତକୁ ଏହି ବର୍ଷ କେତେ ଟଙ୍କା ଆସିଛି‘ ବୋଲି ଏକ ବାକ୍ୟ ଲେଖିବାକୁ କୁହାଯାଇଥିଲା । ସେ ଏହି ବାକ୍ୟଟି ଠିକ୍ ଭାବେ ଲେଖିପାରି ନ ଥିଲେ ଏବଂ ‘ସମାଜ’ ଖବରକାଗଜ ଓ ବର୍ଣ୍ଣବୋଧ ପଢ଼ିବାରେ ମଧ୍ୟ ବିଫଳ ହୋଇଥିଲେ ।

ଓଡ଼ିଆ ପଢ଼ିବା ଓ ଲେଖିବାରେ ଅସମର୍ଥ ବୋଲି ଜଣାପଡ଼ିବା ପରେ ନିମ୍ନ ଅଦାଲତ ଏହି କାରଣରୁ ସରପଞ୍ଚଙ୍କ ନିର୍ବାଚନ ଅବୈଧ ବୋଲି ରାୟ ଦେବା ସହ ପୁନଃନିର୍ବାଚନ ପାଇଁ ନିର୍ଦେଶ ଦେଇଥିଲେ। ଏହି ରାୟକୁ ଚାଲେଞ୍ଜ କରି ଶେଖ ଅବୁତାହେରା ଅତିରିକ୍ତ ଜିଲା ଜଜ୍‌ଙ୍କ ନିକଟରେ ଅପିଲ ଦାୟର କରିଥିଲେ। ଅତିରିକ୍ତ ଜିଲା ଜଜ୍‌ ମଧ୍ୟ ସିଭିଲ ଜଜ୍‌ଙ୍କ ସହ ସହମତ ହେଲେ ଓ ଅପିଲକୁ ଖାରଜ କରିଦେଇଥିଲେ। ଏହି ରାୟକୁ ଚାଲେଞ୍ଜ କରି ଶେଖ ଅବୁତାହେରା ହାଇକୋର୍ଟରେ ରିଟ୍‌ ଆବେଦନ କରିଥିଲେ।

ତାଙ୍କ ଆବେଦନରେ ସେ ଦର୍ଶାଇଥିଲେ ଯେ ଆଇନରେ କୌଣସି ‘ମିନିମମ ଷ୍ଟାଣ୍ଡାର୍ଡ’ ନାହିଁ । ଖୋଲା ଅଦାଲତରେ ତାଙ୍କର ପରୀକ୍ଷା ନିଆଯିବା ଠିକ ନୁହେଁ। ତେଣୁ ଏହି ରାୟକୁ ରଦ୍ଦ କରିବାକୁ ପ୍ରାର୍ଥନା କରିଥିଲେ । ହାଇକୋର୍ଟ ମାମଲାର ଶୁଣାଣି କରି ସରପଞ୍ଚ ଭଳି ପଦରେ ଥିବା ବ୍ୟକ୍ତି ଓଡ଼ିଆ ପଢ଼ିବା ଓ ଲେଖିବାର ମୂଳ କ୍ଷମତା ରଖିବା ଆବଶ୍ୟକ। କେବଳ ସ୍ବାକ୍ଷର କରିବା ପର୍ଯ୍ୟାପ୍ତ ନୁହେଁ । ତେଣୁ ରିଟ୍‌ ପିଟିସନ୍‌କୁ ଖାରଜ କରିବା ସହ ନିମ୍ନ ଅଦାଲତଙ୍କ ରାୟକୁ ବଳବତ୍ତର ରଖିଛନ୍ତି ।

 

aduser

About Author

Leave a Reply

Your email address will not be published. Required fields are marked *

LOKA SAMACHAR @2026. All Rights Reserved || Developed By CBSPL