ଓଡ଼ିଶା

ଆଦିବାସୀ ଇଲାକାରେ ଅଜଣା ରୋଗ ଆତଙ୍କ ! ୧୫ ଦିନରେ ଗଲାଣି ୧୦ ଜୀବନ

ବାଲେଶ୍ଵର: ଆଦିବାସୀ ଇଲାକାରେ ଏବେ ହାହାକାର ପରିସ୍ଥିତି । ଅଜଣା ରୋଗ ବ୍ୟାପିବା ଯୋଗୁଁ ଏବେ ସମସ୍ତେ ଚିନ୍ତାରେ । ମାତ୍ର ଗୋଟିଏ ପଞ୍ଚାୟତରେ ୧୫ଦିନ ଭିତରେ ୧୦ରୁ ଅଧିକ ଆଦିବାସୀଙ୍କ ମୁଣ୍ଡ ଗଡ଼ିଲାଣି । ବାଲେଶ୍ୱର ଜିଲାର ନୀଳଗିରି ଅଞ୍ଚଳଟି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହି ଇଲାକାର ଲୋକଙ୍କୁ ପ୍ରାୟ ୮/୧୦ଦିନ ଧରି ଜ୍ୱର ଲାଗି ରହୁଛି । ଡାକ୍ତରଙ୍କ ପରାମର୍ଶକ୍ରମେ ଏମାନେ ନିୟମିତ ଔଷଧ ଖାଇବା ସହ ଡାକ୍ତରଖାନାରେ ମଧ୍ୟ ଭର୍ତ୍ତି ହେଉଛନ୍ତି । କିନ୍ତୁ କାହାର ଘରେ ଜୀବନ ଯାଉଛି ତ ପୁଣି ଆଉ କାହାର ଜୀବନ ଡାକ୍ତରଖାନା ଶଯ୍ୟାରେ ଯାଉଛି । କିଏ ଏହାକୁ ଡେଙ୍ଗୁରୋଗ ବୋଲି କହୁଥିବା ବେଳେ ଆଉ କିଏ ଦୂଷିତ ପାଣି ପିଇ ମୃତ୍ୟୁକୁ ଆମନ୍ତ୍ରଣ କରାଯାଉଛି ବୋଲି ଅଭିଯୋଗ ଉଠାଉଛନ୍ତି । ମାତ୍ର ୧୫ଦିନ ମଧ୍ୟରେ ଗରଡ଼ିହି ପଞ୍ଚାୟତ ଆମ୍ବଝର ଗାଁର ଯୋଗେନ୍ଦ୍ର ସିଂ, ଡୁମା ସିଂ, ବାଲିଚୁଆ ଗାଁର ହରେକୃଷ୍ଣ ସିଂ, ଲକ୍ଷ୍ମୀଧର ସିଂ, ଦ୍ୱାରିକାଶୁଣିର ରାଇମଣି ସିଂ, ବନ୍ଧସାହିର କଳ୍ପନା ସିଂ, ସୀମା ସିଂ, ଟିଆକଟାର ନନ୍ଦିନୀ ସିଂ, ସିଆଡ଼ିମାଳର ସରସ୍ୱତୀ ସିଂ, ଚେକାମରାର ଲାଲମୋହନ ସିଂ ପ୍ରମୁଖ ୧୦ରୁ ଊର୍ଦ୍ଧ୍ୱ ଲୋକ ଅଜଣା ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ଘଟିଛି ।

ସେପଟେ ଏଭଳି ସମ୍ବେଦନଶୀଳ ପ୍ରସଙ୍ଗ ସମ୍ପର୍କରେ ସ୍ୱାସ୍ଥ୍ୟ ବିଭାଗ ପାଖରେ ଖବର ନାହିଁ । ରୋଗୀଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ତଥ୍ୟ ରଖିବା ଏବଂ ସେମାନଙ୍କୁ ତ୍ୱରିତ ସ୍ୱାସ୍ଥ୍ୟସେବା ଯୋଗାଇବା ଉଦେଶ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ୟୁନିଟ୍ କାମ କରୁଥିବା ବେଳେ ଏହା କିନ୍ତୁ କେବଳ କାଗଜ କଲମରେ ସୀମିତ ରହି ଯାଇଛି । ନୀଳଗିରିର ଆଦିବାସୀ ଇଲାକାରେ ଏହି ୟୁନିଟ ପରିଦର୍ଶନ କରି ସ୍ୱାସ୍ଥ୍ୟ ସଚେତନତା ସହ ସେବା ଯୋଗାଇବାରେ ଅପହଞ୍ଚ ହୋଇଛି । ସେପଟେ ଆଦିବାସୀ ଇଲାକାରେ ସ୍ୱାସ୍ଥ୍ୟ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇ ପଡ଼ିଥିବା ଅଭିଯୋଗ ଉଠିଛି । କେବଳ ଗରଡ଼ିହି ପଞ୍ଚାୟତ ନୁହଁ, ବରଂ ନୀଳଗିରିରେ ଥିବା ଏକାଧିକ ଆଦିବାସୀ ଇଲାକାରେ ଏହି ଅଜଣା ରୋଗ ଲୋକଙ୍କ ଜୀବନ ନେଇ ଚାଲିଛି । ଅକାଳରେ ମଣିଷର ଅମୂଲ୍ୟ ଜୀବନ ଝଡ଼ି ପଡୁଛି । ଏଥିପ୍ରତି ସ୍ୱାସ୍ଥ୍ୟବିଭାଗ ଅଧିକ ଯତ୍ନବାନ ହେବା ଉଚିତ ବୋଲି ଅଞ୍ଚଳବାସୀ କହିଛନ୍ତି ।

aduser

About Author

Leave a Reply

Your email address will not be published. Required fields are marked *

LOKA SAMACHAR @2026. All Rights Reserved || Developed By CBSPL