ଜାତୀୟ

ମହିଳା ସିରିଏଲ୍ କିଲରର ଅମାନୁଷିକ କାଣ୍ଡ: ଘରୁ ଉଦ୍ଧାର ହେଲା ଦୁଇ ଡଜନରୁ ଅଧିକ ମୃତଦେହ

ସିରିଏଲ୍ କିଲର୍ ର ଅମାନୁଷିକ କାଣ୍ଡ । ପ୍ରେମରେ ଫସାଇ ସୃଷ୍ଟି କରୁଥିଲା ସମ୍ପର୍କ । ବିବାହ ଜାଲରେ ଫସାଇ ନେଉଥିଲା ଜୀବନ । ଘରକୁ କରିଥିଲା ମଶାଣୀ । ସିରିଏଲ୍ କିଲର୍ ଏମିତି ଏକ ଶବ୍ଦ ଯାହାର ନାଁ ଶୁଣିଲେ ଏକ ଅଜଣା ଭୟରେ ଛାତି ଥରି ଉଠେ । ବିଶ୍ବ କ୍ରାଇମ୍ ଇତିହାସରେ ଏମିତି ଅନେକ ସିରିଏଲ୍ କିଲର୍ସଙ୍କ ନାଁ ସାମିଲ୍ ଅଛି ଯେଉଁମାନଙ୍କ କାହାଣୀ ଆପଣଙ୍କୁ କୌଣସି ଫିଲ୍ମର କାହାଣୀଠୁ କମ୍ ଲାଗିବନି । ସେହିପରି ଜଣେ ସିରିଏଲ୍ କିଲର୍ ଥିଲା ବେଲ୍ ଗନ୍ନେସ୍ । ଇଏ ପୁଣି କୌଣସି ପୁରୁଷ ସିରିଏଲ୍ କିଲର୍ ନୁହେଁ ମହିଳା ସିରିଏଲ୍ କିଲର୍ ଥିଲା ବେଲ୍ ଗନ୍ନେସ୍ ।

ଆମେରିକାରେ ରହୁଥିଲା ଏହି ସିରିଏଲ୍ କିଲର୍ । ବେଲ୍ ଗନ୍ନେସ୍ ର ମୃତ୍ୟୁ ପରେ ତା ଘରୁ ମିଳିଥିଲା ଦୁଇ ଡଜନରୁ ଅଧିକ ଲୋକଙ୍କ ମରଶରୀର । କୁହାଯାଏ ଯେ ବେଲ୍ ଗନ୍ନେସ୍ ସମସ୍ତଙ୍କୁ ହତ୍ୟା କରିଥିଲା । ଖାସ୍ କରି ପୁରୁଷମାନଙ୍କୁ ଫସାଇ ହତ୍ୟା କରୁଥିଲା ବେଲ୍ ଗନ୍ନେସ୍ ।

୧୮୮୧ ମସିହାର ଘଟଣା । ବେଲ୍ ଗନ୍ନେସ୍ ନାମକ ଏହି ମହିଳା ନରୱେରୁ ଆମେରିକାର ଚିକାଗୋ ସହରକୁ ରହିବା ପାଇଁ ଆସିଥିଲେ । ଚିକାଗୋରେ ସେ ଜଣେ ନରୱେର ପ୍ରବାସୀଙ୍କୁ ବିବାହ କରିଥିଲେ । ବେଲ୍ ଗନ୍ନେସ୍ ଏବଂ ତାଙ୍କ ସ୍ୱାମୀଙ୍କର ଚାରି ସନ୍ତାନ ଥିଲେ । ସେମାନେ ଏକ ମିଠା ଦୋକାନ ଚଳାଉଥିଲେ । କିନ୍ତୁ ହଠାତ ସନ୍ଦେହଜନକ ଭାବେ ଦୁଇ ସନ୍ତାନଙ୍କର ମୃତ୍ୟୁ ହୋଇଥିଲା ।

ରିପୋର୍ଟ ଅନୁଯାୟୀ ୧୯୦୦ ମସିହାରେ ବେଲ୍ ଗନ୍ନେସ୍ ଙ୍କ ଦୋକାନ ରହସ୍ୟମୟ ଭାବରେ ଜଳି ଯାଇଥିଲା ଏବଂ ତାଙ୍କ ସ୍ୱାମୀ ଅଗ୍ନିକାଣ୍ଡରେ ମୃତ୍ୟୁବରଣ କରିଥିଲେ । ବେଲ୍ ଗନ୍ନେସ୍ ଙ୍କ ଅନ୍ୟ ଦୁଇ ପିଲା ଏବଂ ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ସନ୍ଦେହଜନକ ପରିସ୍ଥିତିରେ ହୋଇଥିଲା । ଏହା ପରେ ବି ବେଲ୍ ଗନ୍ନେସ୍ ଙ୍କୁ ବୀମା ପଲିସିରୁ ଟଙ୍କା ମିଳିଥିଲା । ଏହି ବୀମା ଟଙ୍କାରେ ବେଲ୍ ଗନ୍ନେସ୍ ଇଣ୍ଡିଆନାର ଲା ପୋର୍ଟରେ ଏକ ଫାର୍ମ କିଣିଥିଲେ । ଫାର୍ମ କିଣିବା ପରେ ସେ ଆଉ ଜଣଙ୍କୁ ଦ୍ବିତୀୟ ବିବାହ କରିଥିଲେ । ତାଙ୍କ ଦ୍ୱିତୀୟ ସ୍ୱାମୀ ବିବାହର ମାତ୍ର ଆଠ ମାସ ପରେ ମୃତ୍ୟୁବରଣ କରିଥିଲେ।

ବେଲ୍ ଗନ୍ନେସ୍ ଙ୍କ ଦ୍ୱିତୀୟ ସ୍ୱାମୀଙ୍କ ମୃତ୍ୟୁର ମଧ୍ୟ ତଦନ୍ତ କରାଯାଇଥିଲା, କିନ୍ତୁ କୌଣସି ଠୋସ୍ ପ୍ରମାଣ ମିଳିଲା ନାହିଁ । ଫଳରେ ପୁଣି ବୀମା ରାଶି ପାଇଥିଲେ ବେଲ୍ ଗନ୍ନେସ୍ । ପରେ ବେଲ୍ ଗନ୍ନେସ୍ ତୃତୀୟ ସ୍ୱାମୀ ପାଇଁ ଖବରକାଗଜରେ ବିଜ୍ଞାପନ ଦେବା ଆରମ୍ଭ କରିଥିଲେ । ଦୁଇ ସ୍ୱାମୀଙ୍କ ମୃତ୍ୟୁ ପରେ କିଛି ଲୋକ ବେଲ୍ ଗନ୍ନେସ୍ ଙ୍କୁ ସନ୍ଦେହ କରିବାକୁ ଲାଗିଲେ । କୁହାଯାଏ ଯେ ବେଲ୍ ଗନ୍ନେସ୍ ଙ୍କୁ ବିବାହ କରିବାକୁ ଆସିଥିବା ଅନେକ ପୁରୁଷ ଏମିତି ନିଖୋଜ ହୋଇଥିଲେ ଯେ, ସେମାନଙ୍କ ଖୋଜ ଖବର ମିଳିଲାନି । କେବଳ ଜଣେ ବ୍ୟକ୍ତି ବଞ୍ଚି ଯାଇଥିଲେ।

ବେଲ୍ ଗନ୍ନେସ୍ କେତେ ଲୋକଙ୍କୁ ହତ୍ୟା କରିଛନ୍ତି ତାର କିଛି ପ୍ରମାଣ ମିଳିନି ସତ କିନ୍ତୁ, କିଛି ତଦନ୍ତକାରୀଙ୍କ କହିବା ଅନୁସାରେ ୧୫ ରୁ ଅଧିକ ଲୋକଙ୍କ ଶରୀରର ଅବଶେଷ ବେଲ୍ ଗନ୍ନେସ୍ ଙ୍କ ଫାର୍ମରୁ ମିଳିଥିଲା ।

ଫେବୃଆରୀ ୧୯୦୮ରେ ବେଲ୍ ଗନ୍ନେସ୍ ଙ୍କ ଭୟଙ୍କର କାହାଣୀରେ ପଡ଼ିଥିଲା ପୂର୍ଣ୍ଣଚ୍ଛେଦ । ସେତେବେଳେ କୌଣସି କାରଣରୁ ତାଙ୍କ ଫାର୍ମରେ ଅଗ୍ନିକାଣ୍ଡ ହୋଇଥିଲା, ଯେଉଁଥିରେ ବେଲ୍ ଗନ୍ନେସ୍ ଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଇଥିଲା । ଏହି ଅଗ୍ନିକାଣ୍ଡ ପରେ ଆରମ୍ଭ ହୋଇଥିଲା ତଦନ୍ତ । ଅଗ୍ନିକାଣ୍ଡ ପରେ ପାଉଁଶ ତଳୁ ଅନେକ ମୃତଦେହ ମିଳିଥିଲା । ଏଥିରେ ଜଣେ ମହିଳାଙ୍କ ବିକୃତ ମରଶରୀର ଉଦ୍ଧାର ହୋଇଥିଲା । ଏହା ବେଲ୍ ଗନ୍ନେସ୍ ଙ୍କର ବୋଲି ସନ୍ଦେହ କରାଯାଇଥିଲା ।

ଅଗ୍ନିକାଣ୍ଡ ପରେ ବେଲ୍ ଗନ୍ନେସ୍ ଙ୍କ ଫାର୍ମରେ ଏକ ମଶାଣୀ ଥିବା ଜଣା ପଡ଼ିଥିଲା । ମଶାଣୀରେ ଥିବା ଏକ କବରରୁ ଅନେକ ଲୋକଙ୍କ ଶରୀରର ଖଣ୍ଡ ଖଣ୍ଡ ଅଂଶ ମିଳିଥିଲା । ତଦନ୍ତକାରୀମାନେ ପ୍ରାୟ ଦୁଇ ଡଜନରୁ ଅଧିକ ଲୋକଙ୍କ ମଣଶରୀର ଉଦ୍ଧାର କରିଥିଲେ ଏହି ମଶାଣୀରୁ ।

ଘଟଣାକୁ ନେଇ ବହୁଦିନ ପର୍ଯ୍ୟନ୍ତ ତଦନ୍ତ କରାଯାଇଥିଲା । ତଦନ୍ତରୁ ବେଲ୍ ଗନ୍ନେସ୍ ଜଣେ ସିରିଏଲ୍ କିଲର୍ ଥିବା ପ୍ରକାଶ ପାଇଥିଲା । ସେ ଅନେକ ପୁରୁଷଙ୍କୁ ବାହା ହୋଇ ହତ୍ୟା କରୁଥିବା ତଦନ୍ତ ବେଳେ ଜଣା ପଡ଼ିଥିଲା । ଆଉ ହତ୍ୟା ପରେ ଘରେ ନିର୍ମିତ କବରସ୍ଥାନରେ ମୃତଦେହଗୁଡ଼ିକୁ ପୋତି ଦେଉଥିଲା ଏହି ସିରିଏଲ୍ କିଲର୍ ।

aduser

About Author

Leave a Reply

Your email address will not be published. Required fields are marked *

LOKA SAMACHAR @2026. All Rights Reserved || Developed By CBSPL